ନୂଆଦିଲ୍ଲୀ: ଚାମ୍ପିଅନ୍ସ ଟ୍ରଫି ୨୦୨୫କୁ ନେଇ ଭାରତୀୟ ଦଳ ପାକିସ୍ତାନ କ୍ରିକେଟ୍ ବୋର୍ଡକୁ ବଡ ଝଟକା ଦେଇଛି । ରିପୋର୍ଟ ଅନୁଯାୟୀ, ଭାରତୀୟ ଦଳ ଚାମ୍ପିଅନ୍ସ ଟ୍ରଫି ଖେଳିବା ପାଇଁ ପାକିସ୍ତାନ ଗସ୍ତ କରିବ ନାହିଁ । ଦଳ ନିଜର ସମସ୍ତ ମୁକାବିଲା ଦୁବାଇରେ ଖେଳିପାରେ । ତେବେ ଏହାର ଆନୁଷ୍ଠାନିକ ଘୋଷଣା ବାକି ରହିଛି । ବିସିିସିଆଇ ପାକିସ୍ତାନ ବୋର୍ଡକୁ ସୁରକ୍ଷା କାରଣରୁ ଭାରତୀୟ ଦଳ ପାକିସ୍ତାନ ଗସ୍ତ କରୁ ନ ଥିବା ଜଣାଇ ଦେଇଥିବା ରିପୋର୍ଟରୁ ପ୍ରକାଶ ।
ଇଣ୍ଡିଆନ୍ସ ଏକ୍ସପ୍ରେସର ଖବର ଅନୁଯାୟୀ, ଭାରତୀୟ ଦଳ ଆସନ୍ତା ବର୍ଷ ହେବାକୁ ଥିବା ଚାମ୍ପିଅନ୍ସ ଟ୍ରଫି ପାଇଁ ପାକିସ୍ତାନ ଯିବ ନାହିଁ । ନିକଟରେ ବିସିସିଆଇ ପାକିସ୍ତାନ କ୍ରିକେଟ୍ ବୋର୍ଡ ସହ ଆଲୋଚନା କରିଛି । ଏଥିରେ ବିସିସିଆଇ ସୁରକ୍ଷା କାରଣ ଦର୍ଶାଇଛି । ଭାରତୀୟ ଦଳ ନିଜର ସମସ୍ତ ମ୍ୟାଚ୍ ଦୁବାଇରେ ଖେଳିପାରେ । ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ନିକଟରେ ପାକିସ୍ତାନ ଗସ୍ତ କରିଥିଲେ । ଏହା ପରଠୁ ଭାରତୀୟ ଦଳକୁ ନେଇ ଖୁବ୍ ଚର୍ଚ୍ଚା ହେଉଥିଲା । ମାତ୍ର ଏବେ ପାକିସ୍ତାନକୁ ଝଟକା ଲାଗିବା ପରି ଖବର ଆସିଛି ।
ଋିପୋର୍ଟରେ ଏହା ମଧ୍ୟ ଉଲ୍ଲେଖ ରହିଛି ଯେ, ପାକିସ୍ତାନ ଭାରତକୁ ଚାମ୍ପିଅନ୍ସ ଟ୍ରଫି ପାଇଁ ମନାଇବାକୁ ପୂରା ଉଦ୍ୟମ କରିଥିଲା । ପିସିବି ଏହା ମଧ୍ୟ ପ୍ରସ୍ତାବ ଦେଇଥିଲା ଯେ, ଭାରତୀୟ ଦଳ ନିଜର ମ୍ୟାଚ୍ ପାକିସ୍ତାନରେ ଖେଳିବା ପରେ ଭାରତ ଫେରି ଆସୁ । ଏ ସଂପର୍କରେ ଅନେକ ପ୍ରସ୍ତାବ ଦିଆଯାଇଥିଲା । ମାତ୍ର ବିସିସିଆଇ ସୁରକ୍ଷା କାରଣ ଦର୍ଶାଇ ସମସ୍ତ ପ୍ରସ୍ତାବ ଅଗ୍ରାହ୍ୟ କରି ଦେଇଛି ।
ଭାରତ ପାକିସ୍ତାନ ନ ଯିବା କାରଣରୁ ପିସିବିକୁ ବଡ ଝଟକା ଲାଗିଛି । ଏଥିରେ ପିସିବିକୁ ଆର୍ଥିକ କ୍ଷତି ବି ଘଟିବ । ପାକିସ୍ତାନ ଚାମ୍ପିଅନ୍ସ ଟ୍ରଫି ପୂର୍ବରୁ ନିଜ ଷ୍ଟାଡିୟମର ବହୁତ କାମ କରାଇଛି । ଏଥିପାଇଁ ଆଇସିସି ଫଣ୍ଡ ବି ଜାରି କରିଥିଲା ।