ନୂଆଦିଲ୍ଲୀ: ମିଳିତ ଜାତିସଂଘରେ ଶାନ୍ତି ରକ୍ଷା ଅଭିଯାନ ଉପରେ ବିତର୍କ ସମୟରେ ପୁଣି ଥରେ ପାକିସ୍ତାନକୁ ମୁହଁତୋଡ ଜବାବ ଦେଇଛି ଭାରତ । ରାଜ୍ୟସଭା ସଦସ୍ୟ ତଥା ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ସୁଧାଂଶୁ ତ୍ରିବେଦୀ କହିଛନ୍ତି, ଭାରତ ପାକିସ୍ତାନ ଦ୍ୱାରା ଦିଆଯାଇଥିବା ଟିପ୍ପଣୀର ଜବାବ ଦେବା ପାଇଁ ନିଜର ଅଧିକାରର ପ୍ରୟୋଗ କରୁଛି । କାରଣ ପାକିସ୍ତାନ ବାରମ୍ବାର ଏହି ଗୃହକୁ ଭ୍ରମିତ କରିବାକୁ ଚେଷ୍ଟା କରିଛି ।
ଶୁକ୍ରବାର ମିଳିତ ଜାତିସଂଘ ମହାସଭାର ବିଶେଷ ରାଜନୈତିକ ଏବଂ ଉପନିବେଶୀକରଣରେ ଶାନ୍ତିର ଅଭିଯାନ ଉପରେ ଆଲୋଚାନା ସମୟରେ ସୁଧାଂଶୁ ତ୍ରିବେଦୀ ଏହି ଟିପ୍ପଣୀ କରିଛନ୍ତି । ସେ କହିଛନ୍ତି କେନ୍ଦ୍ର ଶାସିତ ଅଞ୍ଚଳ ଜମ୍ମୁ-କାଶ୍ମୀର ଭାରତର ଅଭିନ୍ନ ଅଙ୍ଗ ଥିଲା ଏବଂ ସର୍ବଦା ରହିବ ।
ସେ କହିଛନ୍ତି, ନିକଟରେ ଜମ୍ମୁ-କାଶ୍ମୀରବାସୀ ନିଜର ଗଣତାନ୍ତ୍ରିକ ଓ ନିର୍ବାଚନ ଅଧିକାରର ପ୍ରୟୋଗ କରି ନିଜର ସରକାର ଚୟନ କରିଛନ୍ତି । ପାକିସ୍ତାନକୁ ଏମିତି ବୟାନବାଜି ଓ ମିଥ୍ୟା କହିବାରୁ ନିବୃତ୍ତ ରହିବା ଉଚିତ୍ । ପାକିସ୍ତାନ ଯେତେ କହିଲେ ବି ସତ ବଦଳି ଯିବନି । ଏମିତି ଗୃହକୁ ଭିତ୍ତିହୀନ ବୟାନ ଦେଇ ପାକିସ୍ତାନ ଭ୍ରମିତ କରି ପାରିବ ନାହିଁ ।
ଏହା ପୂର୍ବରୁ ପାକିସ୍ତାନୀ ପ୍ରତିନିଧି ନିୟନ୍ତ୍ରଣ ରେଖାରେ ଅସ୍ତ୍ରବିରତି ଉଲ୍ଲଂଘନ ଉପରେ ନଜର ରଖିବା ପାଇଁ ମିଳିତ ଜାତିସଂଘର ପର୍ଯ୍ୟବେକ୍ଷକ ବିଷୟରେ ଆଲୋଚନା କରିଥିଲେ । ଜମ୍ମୁ-କାଶ୍ମୀର ଉପରେ ମିଳିତ ଜାତିସଂଘ ନଜର ରଖିବା ଉଚିତ୍ । ଭାରତର କହିବା କଥା ସିମଲା ରାଜିନାମା ଓ ଏହାର ପରିଣାମ ସ୍ୱରୂପ ନିୟନ୍ତ୍ରଣ ରେଖାର ସ୍ଥାପନା ପରେ ମିଳିତ ଜାତିସଂଘ ମହାସଭାର ଉପଯୋଗିତ ସମାପ୍ତ ହୋଇଛି । ତେଣୁ ପାକିସ୍ତାନକୁ ସତ୍ୟତା ଉପରେ ଯିବା ଉଚିତ୍ । ମିଥ୍ୟା କହି ପ୍ରକୃତ ପ୍ରସଙ୍ଗ ଓ ତଥ୍ୟକୁ ପାକିସ୍ତାନ ବଦଳାଇ ପାରିବ ନାହିଁ ବୋଲି ତ୍ରିବେଦୀ କହିଛନ୍ତି ।