ନୂଆଦିଲ୍ଲୀ: ଏସିଆ କପ୍ ୨୦୨୫ରେ ୟୁଏଇ ବିପକ୍ଷ ମ୍ୟାଚରୁ ନିଜର ଅଭିଯାନ ଆରମ୍ଭ କରିବ ଭାରତ । ଚଳିତ ବର୍ଷ ଫେବୃଆରୀ ୨ ପରେ ଭାରତ ପ୍ରଥମ ଥର ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିବ । ତେବେ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଓ କୋଚ୍ ଗୌତମ ଗମ୍ଭୀରଙ୍କ ପାଇଁ ଚୂଡାନ୍ତ ଏକାଦଶ ଚୟନ କରିବା ମୁସ୍କିଲ ହୋଇପାରେ । ଆଗାମୀ ଟି-୨୦ ବିଶ୍ୱକପକୁ ଦୃଷ୍ଟିରେ ରଖି ଚୂଡାନ୍ତ ଏକାଦଶ ଚୟନ ହୋଇପାରେ । ବିସିସିଆଇ ଏସିଆ କପ୍ ୨୦୨୫ ପାଇଁ ୧୫ ଜଣିଆ ଦଳ ଘୋଷଣା କରିଛି । ଏଥିରୁ ୪ ଖେଳାଳିଙ୍କୁ ବେଞ୍ଚରେ ବସିବାକୁ ପଡିବ । ଚାଲନ୍ତୁ ଜାଣିବା କେମିତି ରହିବ ଆଜିର ଚୂଡାନ୍ତ ଏକାଦଶ ।
ଶୁଭମନ ଗିଲଙ୍କ ଟି-୨୦ ଅନ୍ତର୍ଜାତୀୟକୁ କେବଳ ପ୍ରତ୍ୟାବର୍ତ୍ତନ ଘଟିନି ବରଂ ତାଙ୍କୁ ଉପଅଧିନାୟକ ଦାୟିତ୍ୱ ଦିଆଯାଇଛି । ତେଣୁ ତାଙ୍କୁ ଚୂଡାନ୍ତ ଏକାଦଶରେ ସ୍ଥାନ ମିଳିବା ନିଶ୍ଚିତ । ଗିଲଙ୍କୁ ଅଭିଷେକ ଶର୍ମାଙ୍କ ସହ ଓପନିଂ କରୁଥିବ ଦେଖିବାକୁ ମିଳିପାରେ । ଆଉ ଏହି କାରଣରୁ ସଞ୍ଜୁ ସାମସନଙ୍କୁ ଦଳରେ ସ୍ଥାନ ମିଳିବା ମୁସ୍କିଲ ଲାଗୁଛି ।
ସାମସନ ଓ ଜିତେଶ ଶର୍ମାଙ୍କ ଭାବେ ଭାରତ ପାଖରେ ଦୁଇ ୱିକେଟ୍ କିପରର ବିକଳ୍ପ ରହିଛି । ହେଲେ କଥା ଯଦି ଫିନିସରକୁ ଆସେ ତେବେ ନମ୍ବର ୬-୭ରେ ବ୍ୟାଟିଂ କରିବା ମାମଲାରେ ଜିତେଶ ଶର୍ମା ସାମସନଙ୍କଠୁ ଆଗରେ ଅଛନ୍ତିତ । ସଞ୍ଜୁ ସାମସନଙ୍କ ବ୍ୟତୀତ ରିଙ୍କୁ ସିଂ, କୁଲଦୀପ ଯାଦବ ଓ ହର୍ଷିତ ରାଣାଙ୍କୁ ବେଞ୍ଚରେ ବସିବାକୁ ପଡିିପାରେ ।
ରିଙ୍କୁ ସିଂଙ୍କୁ ଏଥିପାଇଁ ଦଳରେ ସ୍ଥାନ ମିଳିବନି କାରଣ ଭାରତ ପାଖରେ ହାର୍ଦ୍ଦିକ ପାଣ୍ଡ୍ୟା, ଶିବମ ଦୁବେ ଓ ଜିତେଶ ଶର୍ମାଙ୍କ ରୂପେ ୩-୩ ଫିନିସର ଅଛନ୍ତି । ପାଣ୍ଡ୍ୟା ଓ ଦୁବେ ବୋଲିଂ ବି କରି ପାରିବେ । ଅନ୍ୟପଟେ କୁଲଦୀପ ଯାଦବଙ୍କ ଖେଳିବା ସମ୍ଭାବନା ଏଥିପାଇଁ କମ ରହିଛି କାରଣ ବ୍ୟାଟିଂରେ ଗଭୀରତା ପାଇଁ ସୂର୍ଯ୍ୟ-ଗମ୍ଭୀରଙ୍କ ଯୋଡି ଅକ୍ଷର ପଟେଲଙ୍କୁ ଗୁରୁତ୍ୱ ଦେଇ ପାରନ୍ତି । ଦଳରେ ଯଶପ୍ରୀତ ବୁମରା ଓ ଅର୍ଶଦୀପ ସିଂ ଥିବା କାରଣରୁ ହର୍ଷିତ ରାଣାଙ୍କୁ ଅପେକ୍ଷା କରିବାକୁ ପଡିପାରେ ।
ଭାରତର ସମ୍ଭାବିତ ଚୂଡାନ୍ତ ଏକାଦଶ
ଶୁଭମନ ଗିଲ(ଉପ ଅଧିନାୟକ), ଅଭିଷେକ ଶର୍ମା, ତିଳକ ବର୍ମା, ସୂର୍ଯ୍ୟକୁମାର ଯାଦବ(ଅଧିନାୟକ), ହାର୍ଦ୍ଦିକ ପାଣ୍ଡ୍ୟା, ଜିତେଶ ଶର୍ମା(ୱିକେଟ୍ କିପର), ଶିବମ ଦୁବେ, ଅକ୍ଷର ପଟେଲ, ଯଶପ୍ରୀତ ବୁମରା, ଅର୍ଶଦୀପ ସିଂ, ବରୁଣ ଚକ୍ରବର୍ତ୍ତୀ ।
ବେଞ୍ଚ- ସଞ୍ଜୁ ସାମସନ, ରିଙ୍କୁ ସିଂ, ହର୍ଷିତ ରାଣା, କୁଲଦୀପ ଯାଦବ ।