ମୁମ୍ବାଇ: କ୍ରିକେଟର ପୃଥ୍ୱୀ ଶ'ଙ୍କ ଉପରେ ୧୦୦ ଟଙ୍କା ପ୍ରତୀକାତ୍ମକ ଜରିମାନା ଲଗାଇଛନ୍ତି । ଏକ ଅସଦାଚରଣ ମାମଲାରେ କୋର୍ଟରେ ଜବାବ ଦାଖଲ ନ କରିବା ପାଇଁ ତାଙ୍କ ଉପରେ ଏହି ଜରିମାନା ଲଗାଯାଇଛି।
ସୋସିଆଲ ମିଡିଆ ଇନଫ୍ଲୁଏନସର୍ ସପନା ଗିଲ୍ ଶ'ଙ୍କ ବିରୁଦ୍ଧରେ ଏକ ଅସଦାଚରଣ ମାମଲା ଦାୟର କରିଥିଲେ । ମାଜିଷ୍ଟ୍ରେଟ୍ କୋର୍ଟ ଏହି ମାମଲାରେ କ୍ରିକେଟରଙ୍କ ବିରୁଦ୍ଧରେ ଏଫଆଇଆର ପଞ୍ଜିକୃତ ନକରିବାକୁ ନିର୍ଦ୍ଦେଶ ଦେଇଥିଲେ । ଗିଲ୍ ଏକ ଫୌଜଦାରୀ ସଂଶୋଧନ ଆବେଦନ ମାଧ୍ୟମରେ ସେସନ୍ କୋର୍ଟରେ ସେହି ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିଥିଲେ । ପୂର୍ବରୁ ସେସନ୍ କୋର୍ଟ ଶ'ଙ୍କୁ ତାଙ୍କର ଜବାବ ଦାଖଲ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଗତ ଶୁଣାଣିରେ ତାଙ୍କୁ ଶେଷ ଚେତାବନୀ ଦିଆଯାଇଥିଲା କିନ୍ତୁ ଶ' ମଙ୍ଗଳବାର ଶୁଣାଣି ପର୍ଯ୍ୟନ୍ତ ତାଙ୍କର ଜବାବ ଦାଖଲ କରିନଥିଲେ । ଏହା ଉପରେ କୋର୍ଟ ଜରିମାନା ଲଗାଇଥିଲେ । ଏହି ମାମଲାର ପରବର୍ତ୍ତୀ ଶୁଣାଣି ଡିସେମ୍ବର ୧୬ ରେ ହେବ।
ଦୁଇ ବର୍ଷ ପୂର୍ବେ ସପନା ଗିଲ ପୃଥ୍ୱୀ ଶ'ଙ୍କ ଉପରେ ଅସଦାଚରଣ ଅଭିଯୋଗ ଆଣିଥିଲେ । ୧୫ ଫେବୃଆରୀ, ୨୦୨୩ରେ ମୁମ୍ବାଇର ଅନ୍ଧେରୀର ଏକ ପବ୍ରେ ଏହା ଘଟିଥିଲା । ଯାଞ୍ଚ ବେଳେ ପୋଲିସର ରିପୋର୍ଟ ସପନାଙ୍କ ଅଭିଯୋଗଠାରୁ ଭିନ୍ନ ଥିଲା । ପୋଲିସ ରିପୋର୍ଟ ଅନୁଯାୟୀ, ଗିଲଙ୍କ ବନ୍ଧୁ ଶୋଭିତ ଠାକୁର ରାତି ପ୍ରାୟ ୧ଟା ବେଳେ ପୃଥ୍ୱୀ ଶ'ଙ୍କୁ ସେଲଫି ପାଇଁ ବାରମ୍ବାର ଅନୁରୋଧ କରିଥିଲେ । ଯେତେବେଳେ ପୃଥ୍ୱୀ ସେଲଫି ଦେବାକୁ ମନା କରିଦେଲେ, ସେତେବେଳେ ପରିସ୍ଥିତି ଖରାପ ହୋଇଥିଲା । କିନ୍ତୁ ସପନା ଗିଲ୍ କହିଥିଲେ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ଚାଲିଥିବାବେଳେ ସେ ହସ୍ତକ୍ଷେପ କରିବାରୁ ପୃଥ୍ୱୀ ତାଙ୍କୁ ଅସଦାଚରଣ କରିଥିଲେ ।