ନୂଆଦିଲ୍ଲୀ: ଟି-୨୦ ଏସିଆ କପ୍ ୨୦୨୫ ପୂର୍ବରୁ ରିଟାୟର କ୍ରିକେଟରଙ୍କ ଲିଗ୍ ଇଂଲଣ୍ଡରେ ଆୟୋଜିତ ହୋଇଥିଲା । ଏହି ଟୁର୍ଣ୍ଣାମେଣ୍ଟରେ ଭାରତର ବରିଷ୍ଠ କ୍ରିକେଟର ପାକିସ୍ତାନ ବିପକ୍ଷ ମ୍ୟାଚକୁ ବୟକଟ୍ କରିଥିଲେ । ଏହା ପଛର କାରଣ ଥିଲା ପାକିସ୍ତାନ ପୋଷିତ ଆତଙ୍କବାଦୀ ପହଲଗାମରେ ନରସଂହାର କରିଥିଲେ । ସାଂପ୍ରଦାୟିକ ହିଂସା ଭିଆଇବା ଉଦ୍ଦେଶ୍ୟରେ ଆତଙ୍କବାଦୀ ପହଲଗାମ ହମଲା କରିଥିଲେ । ତେଣୁ ଏବେ ସାମାଜିକ ଗଣମାଧ୍ୟମରେ ସ୍ୱର ଉଠିବାରେ ଲାଗିଛି ଯେ, ଏସିଆ କପରେ ଭାରତ ପାକିସ୍ତାନ ବିପକ୍ଷ ମ୍ୟାଚ୍ ବହିଷ୍କାର କରୁ । କିନ୍ତୁ ଭାରତ ସରକାର ଏବଂ ବିସିସିଆଇ ଏମିତି କରିବାକୁ ସ୍ପଷ୍ଟ ମନା କରି ଦେଇଛନ୍ତି । ଏବେ ବିସିସିଆଇ ସଚିବ ଦେବଜିତ ସୈକିୟା ପାକିସ୍ତାନ ବିପକ୍ଷ ମ୍ୟାଚ୍ କାହିଁକି ବୟକଟ୍ କରାଯିବ ନାହିଁ , ତାର କାରନ ଜଣାଇଛନ୍ତି ।
ଦେବଜିତ ସୈକିୟା ଏନଡିଟିଭି ସହ ଆଲୋଚନା ବେଳେ କହିଛନ୍ତି, କ୍ରିକେଟ୍ ହେଉ କି ଅନ୍ୟ କ୍ରୀଡା ହେଉ ଭାରତୀୟ ଦଳ କେନ୍ଦ୍ର ସରକାରଙ୍କ ରାଷ୍ଟ୍ରୀୟ ନୀତି ଏବଂ ଗାଇଡଲାଇନ ଅନୁସାରେ ଖେଳିଥାଏ । ସେହି ଅନୁସାରେ ଏସିଆ କପରେ ଆମେ ପାକିସ୍ତାନ ବିପକ୍ଷ ମ୍ୟାଚ୍ ବୟକଟ୍ କରି ପାରିବୁ ନାହିଁ । କେନ୍ଦ୍ର ସରକାର ରାଷ୍ଟ୍ରୀୟ ସ୍ତରରେ କ୍ରୀଡା ସଂଘ ପାଇଁ ଗାଇଡଲାଇନ୍ ପ୍ରସ୍ତୁତ କରିବା ସମୟରେ ସବୁ ଦିଗକୁ ଦୃଷ୍ଟିରେ ରଖି କରିଛନ୍ତି । ଏହି ଅନୁସାରେ ଆମେ ବହୁରାଷ୍ଟ୍ରୀୟ ଟୁର୍ଣ୍ଣାମେଣ୍ଟରେ ଖେଳିବା ନେଇ କେନ୍ଦ୍ର ସରକାର ଅନୁମତି ଦେଇଥାନ୍ତି ।
ସୈକିୟା ଏହା ମଧ୍ୟ କହିଛନ୍ତି ଯେ, ବହୁରାଷ୍ଟ୍ରୀୟ ଟୁର୍ଣ୍ଣାମେଣ୍ଟରେ ପାକିସ୍ତାନ ବିପକ୍ଷ ମ୍ୟାଚ୍ ବହିଷ୍କାର କରିବା କାହିଁକି ସମ୍ଭବ ନୁହେଁ ? ୍ସେ କହିଛନ୍ତି ଯଦି ଆମେ ଏମିତି କରିବା ତେବେ ଆମ ଉପରେ ପ୍ରତିବନ୍ଧକ ଲାଗିପାରେ । କେନ୍ଦ୍ର ସରକାର ମହାସଂଘର ହିତ ଏବଂ ଖେଳାଳିଙ୍କ ଚିନ୍ତା ସହିତ ସବୁ ଦିଗକୁ ଧ୍ୟାନରେ ରଖିଛନ୍ତି । କୌଣସି ବହୁ ରାଷ୍ଟ୍ରୀୟ ଟୁର୍ଣ୍ଣାମେଣ୍ଟରେ ଯଦି କୌଣସି ଦଳ ଅଂଶଗ୍ରହଣ କରୁ ନାହାନ୍ତି ତେବେ ଏହା ଉପରେ ପ୍ରତିବନ୍ଧକ ଲଗାଯାଇ ପାରିବ । ତେଣୁ ଭାରତୀୟ ଦଳ ପାକିସ୍ତାନ ବିପକ୍ଷ ଏସିଆ କପ୍ ମ୍ୟାଚ୍ ବୟକଟ୍ କରି ପାରିବ ନାହିଁ । ସୂଚନାଯୋଗ୍ୟ, ସେପ୍ଟେମ୍ବର ୧୪ ତାରିଖରେ ଭାରତ ଓ ପାକିସ୍ତାନ ବିପକ୍ଷ ବହୁ ପ୍ରତୀକ୍ଷିତ ମୁକାବିଲା ଖେଳାଯିବ ।