ନୂଆଦିଲ୍ଲୀ: ଦକ୍ଷିଣ କୋରିଆକୁ ୪-୧ ଗୋଲରେ ପରାସ୍ତ କରି ଭାରତ ହକି ଏସିଆ କପ୍ ଟାଇଟଲ ଜିତିଛି। ଏହା ଭାରତର ଚତୁର୍ଥ ଏସିଆ କପ୍ ଟାଇଟଲ। ଟିମ୍ ଇଣ୍ଡିଆ ପାଇଁ ସୁଖଜିତ ସିଂହ, ଅମିତ ରୋହିଦାସ ଗୋଟିଏ ଲେଖାଏଁ ଗୋଲ ଏବଂ ଦିଲପ୍ରୀତ ସିଂହ ଦୁଇଟି ଗୋଲ ଦେଇଥିଲେ। ଏହା ସହ ଭାରତ ୨୦୧୩ ଫାଇନାଲର ପରାଜୟର ପ୍ରତିଶୋଧ ନେଇଛି। ୨୦୧୩ରେ ଦକ୍ଷିଣ କୋରିଆ ଭାରତକୁ ୪-୩ ଗୋଲରେ ପରାସ୍ତ କରି ଟ୍ରଫି ଜିତିଥିଲା। ଭାରତ ଟ୍ରଫି ଜିତିବା ସହ ବିଶ୍ଵକପ୍ ପାଇଁ ଯୋଗ୍ୟତା ଅର୍ଜନ କରିଛି।
ମ୍ୟାଚ୍ର ପ୍ରାରମ୍ଭିକ ମୁହୂର୍ତ୍ତରେ ସୁଖଜିତ ସିଂହ ଏକ ଗୋଲ ସ୍କୋର କରି ଟିମ୍ ଇଣ୍ଡିଆକୁ ଆଗୁଆ ରଖିଥିଲେ। ପ୍ରଥମ କ୍ୱାର୍ଟରରେ ଭାରତକୁ ଏକ ପେନାଲ୍ଟି ଷ୍ଟ୍ରୋକ୍ ମଧ୍ୟ ମିଳିଥିଲା, କିନ୍ତୁ ଗୋଲ ହୋଇପାରିନଥିଲା। ଦ୍ୱିତୀୟ କ୍ୱାର୍ଟର ଆରମ୍ଭ ହୋଇଥିବା ବେଳେ ଜୁଗରାଜ ସିଂହଙ୍କୁ ୨ ମିନିଟ୍ ପାଇଁ ନିଲମ୍ବିତ କରାଯାଇଥିଲା। ଟିମ୍ ଇଣ୍ଡିଆ ପଡ଼ିଆରେ ୧୦ ଜଣ ଖେଳାଳି ସହ ଖେଲିଥିଲା। ଏହା ସତ୍ତ୍ୱେ କୋରିଆନ୍ ଦଳ କୌଣସି ଗୋଲ କରିପାରିନଥିଲା। ଦ୍ୱିତୀୟ କ୍ୱାର୍ଟରରେ ଦିଲପ୍ରୀତ ସିଂହ ଏକ ଗୋଲ ସ୍କୋର କରି ଟିମ୍ ଇଣ୍ଡିଆକୁ ୨-୦ରେ ଆଗୁଆ ରଖିଥିଲେ।
ଭାରତ ହାଫ୍ ଟାଇମ୍ ପର୍ଯ୍ୟନ୍ତ ୨-୦ରେ ଆଗୁଆ ଥିଲା। ତୃତୀୟ କ୍ୱାର୍ଟରରେ ଦକ୍ଷିଣ କୋରିଆ ଭଲ ଆରମ୍ଭ କରିଥିଲା, କିନ୍ତୁ ଟିମ୍ ଇଣ୍ଡିଆ ଏକ ଗୋଲ ସ୍କୋର କରିବାରେ ସଫଳ ହୋଇଥିଲା। ଦିଲପ୍ରୀତ ସିଂହ ମ୍ୟାଚ୍ର ଦ୍ୱିତୀୟ ଗୋଲ ସ୍କୋର କରି ଭାରତକୁ ୩-୦ରେ ଆଗୁଆ କରିଥିଲେ। ଚତୁର୍ଥ ଏବଂ ଶେଷ କ୍ୱାର୍ଟରରେ ମଧ୍ୟ କଡ଼ା ସଂଘର୍ଷ ଦେଖିବାକୁ ମିଳିଥିଲା। ଏହି କ୍ଵାର୍ଟରରେ ବରିଷ୍ଠ ଖେଳାଳି ଅମିତ ରୋହିଦାସ ଭାରତ ପାଇଁ ଚତୁର୍ଥ ଗୋଲ ସ୍କୋର କରିଥିଲେ। କୋରିଆନ୍ ଦଳ ମ୍ୟାଚ୍ରେ କେବଳ ଗୋଟିଏ ଗୋଲ କରିପାରିଥିଲା।
ଟିମ୍ ଇଣ୍ଡିଆ ନେଲା ପ୍ରତିଶୋଧ
ଏ ହେଉଛି ସେହି ଦକ୍ଷିଣ କୋରିଆ, ଯିଏ ୨୦୧୩ ଏସିଆ କପ୍ ଫାଇନାଲ୍ରେ ଭାରତକୁ ୪-୩ ଗୋଲରେ ପରାସ୍ତ କରି ଟାଇଟଲରୁ ବଞ୍ଚିତ କରିଥିଲା। ବର୍ତ୍ତମାନ ୧୨ ବର୍ଷର ଦୀର୍ଘ ଅପେକ୍ଷା ପରେ, ଭାରତୀୟ ଦଳ ଏହାର ପ୍ରତିଶୋଧ ନେବାରେ ସଫଳ ହୋଇଛି।
ଏହାକୁ ଏକ ବଡ଼ ସଂଯୋଗ ମଧ୍ୟ କୁହାଯାଇପାରେ ଯେ ଗତ ୩୧ ବର୍ଷ ମଧ୍ୟରେ ଭାରତ ଏବଂ ଦକ୍ଷିଣ କୋରିଆ ବ୍ୟତୀତ ଅନ୍ୟ କୌଣସି ତୃତୀୟ ଦଳ ହକି ଏସିଆ କପ୍ ଟାଇଟଲ ଜିତି ନାହାନ୍ତି। ଗତ ୯ଟି ଏସିଆ କପ୍ ଟୁର୍ଣ୍ଣାମେଣ୍ଟରେ, ଦକ୍ଷିଣ କୋରିଆ ପାଞ୍ଚ ଥର ଟ୍ରଫି ଜିତିଛି ଏବଂ ଭାରତ ଚାରି ଥର ଜିତିଛି।
Also read: କିଏ ଜିତିବ ଏସିଆ କପ୍ ୨୦୨୫ ଟାଇଟଲ ? ବଡ ଭବିଷ୍ୟତବାଣୀ କଲେ ଆକାଶଚୋପ୍ରା