ବିହାର ସ୍ବତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରସଙ୍ଗରେ ଆଧାର କାର୍ଡକୁ ବୈଧ ନଥି ଭାବେ ଗ୍ରହଣ କରିବାକୁ ନିର୍ବାଚନ କମିଶନଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ। କାର୍ଡର ବୈଧତାକୁ ସଠିକ୍ ଯାଞ୍ଚ କରିବାକୁ ବି ଅଦାଲତ ପରାମର୍ଶ ଦେଇଛନ୍ତି। ବିଭିନ୍ନ ପିଟିସନର ଶୁଣାଣି କରି ସୁପ୍ରିମକୋର୍ଟ ଏହି ନିଷ୍ପତ୍ତି ଶୁଣାଇଛନ୍ତି। ଜଷ୍ଟିସ ସୂର୍ଯ୍ୟ କାନ୍ତ ଓ ଜଷ୍ଟିସ ଜୋୟମାଲ୍ୟ ବାଗଚୀଙ୍କ ବେଞ୍ଚ ଆଧାରକୁ ୧୧ଟି ଅନ୍ୟ ବୈଧ ଡକ୍ୟୁମେଣ୍ଟ ସହିତ ୧୨ତମ ପ୍ରମାଣପତ୍ର ଭାବେ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ବିହାରରେ ଏସଆଇଆର ଲାଗି ଗତ ଜୁନ ୨୪ରେ ନିର୍ବାଚନ କମିଶନ ଜାରି କରିଥିବା ବିଜ୍ଞପ୍ତିକୁ ବିରୋଧ କରିଥିଲେ ବହୁ ରାଜନୈତିକ ଦଳ। ଏସଆଇଆର ପ୍ରକ୍ରିୟାରେ ରାଜ୍ୟର ୭ କୋଟି ୨୪ ଲକ୍ଷ ଭୋଟରଙ୍କ ମଧ୍ୟରୁ ଚିଠା ଭୋଟର ତାଲିକାରେ ୯୯.୫ ପ୍ରତିଶତ ଭୋଟର ସେମାନଙ୍କ ବୈଧ ନଥିପତ୍ର ଦାଖଲ କରିଛନ୍ତି ବୋଲି ନିର୍ବାଚନ କମିଶନ ଯେଉଁ ଯୁକ୍ତି ଦର୍ଶାଇଛନ୍ତି ତାହାରି ଉପରେ ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ।
ନିର୍ବାଚନ କମିଶନଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ରାକେଶ ଦ୍ୱିବେଦୀ ଯୁକ୍ତି ଦେଇଥିଲେ ଯେ ଖସଡ଼ା ଭୋଟର ତାଲିକାରେ ଥିବା ୭.୨୪ କୋଟି ଭୋଟରଙ୍କ ମଧ୍ୟରୁ ୯୯.୬ ପ୍ରତିଶତ ପୂର୍ବରୁ ଡକ୍ୟୁମେଣ୍ଟ ଜମା କରିଛନ୍ତି, ତେଣୁ ଆଧାରକୁ ଅନ୍ତର୍ଭୁକ୍ତ କରିବାର ଆବଶ୍ୟକତା ନାହିଁ। କିନ୍ତୁ କୋର୍ଟ ଏହାକୁ ଖାରଜ କରି କହିଛନ୍ତି ଯେ ଆଧାରର ସତ୍ୟତା ଯାଞ୍ଚ କରାଯାଇପାରିବ, ତେବେ ଏହା ନାଗରିକତା ପ୍ରମାଣ ପାଇଁ ବ୍ୟବହାର ହୋଇପାରିବ ନାହିଁ। କୋର୍ଟ ପୂର୍ବରୁ ଜୁଲାଇରେ ମଧ୍ୟ କହିଥିଲେ ଯେ ଆଧାର ସହିତ ଜାଲିଆତିର ଆଶଙ୍କା ଥାଇପାରେ, କିନ୍ତୁ ଏହା ଅନ୍ୟ ୧୧ଟି ଡକ୍ୟୁମେଣ୍ଟ ପାଇଁ ମଧ୍ୟ ପ୍ରଯୁଜ୍ୟ। ଏହା ସହିତ, ନିର୍ବାଚନ ଅଧିକାରୀମାନେ ଆଧାର ଗ୍ରହଣ ନ କରିବା ପାଇଁ ଜାରି ହୋଇଥିବା ନୋଟିସ୍ ଉପରେ କୋର୍ଟ ନିର୍ବାଚନ କମିଶନଙ୍କଠାରୁ ସ୍ପଷ୍ଟୀକରଣ ମାଗିଛନ୍ତି।
ଅଧିକ ପଢନ୍ତୁ: ବିହାର ସ୍ୱତନ୍ତ୍ର ସଘନ ସଂଶୋଧନ: ନିର୍ବାଚନ କମିଶନଙ୍କ ନିଷ୍ପତ୍ତିକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ