ଆଜିକାଲି ଲୋକମାନେ ଫିଟ୍ ରହିବା ପାଇଁ କେତେ କଣ ପନ୍ଥା ଆପଣାଉଛନ୍ତି। କିଏ ଜିମ୍ ଯାଉଛନ୍ତି ତ, ଆଉ କିଏ ଡାଏଟ୍ କରୁଛନ୍ତି। ଏମିତି ବିଭିନ୍ନ ଲୋକେ ବିଭିନ୍ନ ପ୍ରକାରର ଫିଟନେସ୍ ପ୍ରୋଗାମରେ ସାମିଲ ହେଉଛନ୍ତି। ହେଲେ ଥରେ ଭାବନ୍ତୁ ତ, ଆପଣଙ୍କୁ ପତଳା ହେବା ପାଇଁ ଯଦି ଆପଣଙ୍କ କମ୍ପାନୀ ତରଫରୁ ବୋନସ୍ ମିଳିବ? ଏ କଥା ଆମେ କହୁନୁ, ବରଂ ଏଭଳି ଘଟଣା ଚୀନରେ ଦେଖିବାକୁ ମିଳିଛି। ସାଉଥ ଚାଇନା ମର୍ଣ୍ଣିଂ ପୋଷ୍ଟରେ ଏକ ଖବର ପ୍ରକାଶ ପାଇଛି ଯାହାକି ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି । ଏଠାକାର ଏକ ପ୍ରସିଦ୍ଧ ଆଇଟି କମ୍ପାନୀ କର୍ମଚାରୀଙ୍କୁ ଓଜନ କମାଇବା ପାଇଁ ଲକ୍ଷ ଲକ୍ଷ ଟଙ୍କା ବୋନସ ଆକାରରେ ଦେଉଛି ।
ସୂଚନା ମୁତାବିକ, ଚୀନର ଏହି ପ୍ରସିଦ୍ଧ ଟେକ୍ କମ୍ପାନୀ ହେଉଛି ଆରାଶି ଭିଜନ ଇନକର୍ପୋରେଟେଡ୍, ଯାହାକୁ Insta360 ଭାବରେ ମଧ୍ୟ ଜଣାଶୁଣା, ଏହି କମ୍ପାନୀ ନିଜ ନିଜ କର୍ମଚାରୀଙ୍କ ଓଜନ ହ୍ରାସ କରିବାକୁ ଉତ୍ସାହିତ କରିବା ପାଇଁ ଏକ ଅନନ୍ୟ ଉପାୟ ଗ୍ରହଣ କରିଛି। କମ୍ପାନୀ ଅଗଷ୍ଟ ୧୨ ରେ ଏହାର ବାର୍ଷିକ 'ମିଲିୟନ ୟୁଆନ ଓଜନ ହ୍ରାସ ଚ୍ୟାଲେଞ୍ଜ' ଆରମ୍ଭ କରିଛି, ଯେଉଁଥିରେ କର୍ମଚାରୀମାନଙ୍କୁ ଏକ ସୁସ୍ଥ ଜୀବନଶୈଳୀ ଗ୍ରହଣ କରିବାକୁ ଉତ୍ସାହିତ କରାଯାଉଛି।
ସାଉଥ୍ ଚାଇନା ମର୍ଣ୍ଣିଂ ପୋଷ୍ଟର ଏକ ରିପୋର୍ଟ ଅନୁଯାୟୀ, ଏହି ଚ୍ୟାଲେଞ୍ଜରେ ଅଂଶଗ୍ରହଣ କରିବାର ନିୟମ ବହୁତ ସରଳ। ଯେକୌଣସି କର୍ମଚାରୀ ପଞ୍ଜୀକରଣ କରିପାରିବେ ଏବଂ ପ୍ରତି ୦.୫ କିଲୋଗ୍ରାମ ଓଜନ ହ୍ରାସ ପାଇଁ ୫୦୦ ୟୁଆନ (ପ୍ରାୟ ୬୧୦୦ ଟଙ୍କା) ବୋନସ୍ ପାଇପାରିବେ। ଏହି କାର୍ଯ୍ୟକ୍ରମ ଅଧୀନରେ ମୋଟ ୧,୪୦,୦୦୦ ଡଲାର ଅର୍ଥାତ୍ ପ୍ରାୟ ୧.୧୬ କୋଟି ଟଙ୍କା ବୋନସ୍ ରଖାଯାଇଛି। କର୍ମଚାରୀମାନେ ଯେତେ ଓଜନ ହ୍ରାସ କରିବେ ସେତେ ଟଙ୍କା ପାଇବେ। ଏବେ ଫିଟନେସ୍ କେବଳ ସ୍ୱାସ୍ଥ୍ୟ ପାଇଁ ନୁହେଁ ବରଂ ପକେଟ ପାଇଁ ମଧ୍ୟ ଲାଭଦାୟକ। କମ୍ପାନୀର ଏହି ପଦକ୍ଷେପ କେବଳ କର୍ମଚାରୀମାନଙ୍କୁ ଉତ୍ସାହିତ କରିନାହିଁ ବରଂ ସୋସିଆଲ ମିଡିଆରେ ବହୁତ ଆଲୋଚନା ମଧ୍ୟ ହେଉଛି।