ନୂଆଦିଲ୍ଲୀ: ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ପ୍ରାୟ ୧୩ ହଜାର କୋଟିର ଜାଲିଆତି ମାମଲାରେ ଅଭିଯୁକ୍ତ ମେହୁଲ ଚୋକସିଙ୍କ ପ୍ରତ୍ୟର୍ପଣ ପାଇଁ ଭାରତୀୟ ଏଜେନ୍ସି ନିଜର ସବୁ ବଳ ଖଟାଇଛନ୍ତି । ମେହୁଲ ଚୋକସୀଙ୍କୁ ବେଲଜିୟମରୁ ଗିରଫ କରାଯାଇଥିଲା । ହେଲେ ତାଙ୍କ ଓକିଲଙ୍କ କହିବା କଥା ମେହୁଲ କ୍ୟାନସର ପରି ଗମ୍ଭୀର ରୋଗରେ ପୀଡିତ । ତେଣୁ ତାଙ୍କୁ ସାଧାରଣ କଏଦୀଙ୍କ ପରି ଜେଲରେ ରଖାଯାଇ ପାରିବ ନାହିଁ । ଏହା ଉପରେ ଭାରତ ସରକାରଙ୍କୁ କିଛି ଆଶ୍ୱାସନା ଦେଇଛନ୍ତି । ଭାରତ ପକ୍ଷରୁ କୁହାଯାଇଛି ଯେ, ଚୋକସୀଙ୍କୁ ଆର୍ଥର ରୋଡ୍ ଜେଲରେ ରଖାଯିବ । ଆବଶ୍ୟକ ଭୋଜନ ସହ ୨୪ ଘଣ୍ଟା ମେଡିକାଲ୍ କେୟାର ସୁବିଧା ମଧ୍ୟ ଦିଆଯିବ ।
କେଉଁ ବ୍ୟାରେକରେ ରହିବେ ମେହଲ ଚୋକସୀ ?
ଭାରତ ପକ୍ଷରୁ କୁହାଯାଇଛି ଯେ, ଜେଲରେ ହାଇଜିନ ଓ ସଫେଇର ପୂରା ଧ୍ୟାନ ରଖାଯିବ । ଗୃହ ମନ୍ତ୍ରଣାଳୟ ପକ୍ଷରୁ ଏ ନେଇ ବେଲଜିୟମ ସରକାରଙ୍କୁ ଚିଠି ଲେଖା ହୋଇଛି । ଏଥିରେ କୁହାଯାଇଛି ଯେ, ଭାରତରେ ଚୋକସୀଙ୍କ ପାଇଁ ପ୍ରସ୍ତୁତ ଜେଲ ସେଲରେ କଣ କଣ ବ୍ୟବସ୍ଥା ରହିଛି । ଭାରତ ବେଲଜିୟମକୁ ଜଣାଇଛି ଯେ, ମୁମ୍ବାଇର ଆର୍ଥର ରୋଡ ଜେଲର ବ୍ୟାରେକ ନମ୍ବର ୧୨ରେ ଚୋକସୀଙ୍କୁ ରଖାଯିବ ।
ଜେଲରେ କେଉଁ କେଉଁ ସୁବିଧା ମିଳିବ ?
ଚିଠିରେ କୁହାଯାଇଛି, ଜେଲର ଏହି ସେଲରେ ମୋଟା ଗଦି, ତକିଆ, ବେଡସିଟ ଏବଂ କମ୍ବଳ ଦିଆଯିବ । ଏହା ବ୍ୟତୀତ ଧାତୁର ଫ୍ରେମରେ ନିର୍ମିତ କାଠର ବେଡ ଦିଆଯିବ । ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ପର୍ଯ୍ୟାପ୍ତ ଆଲୋକ, ଭେଣ୍ଟିଲେସନ ଓ ଷ୍ଟୋରେଜ ସୁବିଧା ମଧ୍ୟ ଦିଆଯିବ । ଏହା ବ୍ୟତୀତ ଚୋକସୀଙ୍କୁ ଜେଲରେ ସ୍ୱଚ୍ଛ ପିଇବା ପାଣି ଓ ୨୪ ଘଣ୍ଟା ମେଡିକାଲ ସୁବିଧା ଉପଲବ୍ଧ ରହିବ । ଏହା ବ୍ୟତୀତ ବାହାରେ ବୁଲିବା ଏବଂ ବ୍ୟାୟାମ କରିବା ପାଇଁ ପ୍ରତିଦିନ ଘଣ୍ଟାଏ ସେଲ ବାହାରକୁ ଯିବା ପାଇଁ ଅନୁମତି ଦିଆଯିବ ।
ସୂଚନାଯୋଗ୍ୟ, ବେଲଜିୟମର ଏକ ଅପିଲ ଅଦାଲତ ଅଗଷ୍ଟରେ ମେହୁଲ ଚୋକସୀଙ୍କ ଜାମିନ ଆବେଦନ ଖାରଜ କରିଥିଲେ । ଅଧିକାରୀ କହିଛନ୍ତି, ଅଦାଲତ ସିବିଆଇ ଦ୍ୱାରା ବେଲଜିୟମ ଆବେଦନକରୀଙ୍କ ଦ୍ୱାରା ଦିଆଯାଇଥିବା ବଳିଷ୍ଠ ପ୍ରମାଣ ଆଧାରରେ ଜାମିନ ଖାରଜ କରିଥିଲେ । ଏବେ ତାଙ୍କର ଭାରତ ପ୍ରତ୍ୟର୍ପଣ ପାଇଁ ପ୍ରସ୍ତୁତି ଚାଲିଛି ।