ନୂଆଦିଲ୍ଲୀ: ଆସନ୍ତାକାଲି ଉପରାଷ୍ଟ୍ରପତି ନିର୍ବାଚନ। ମଇଦାନରେ ନେଡିଏର ପ୍ରାର୍ଥୀ ସିପି ରାଧାକ୍ରିଷ୍ଣନ୍ ଏବ ଇଣ୍ଡି ମେଣ୍ଟର ପ୍ରାର୍ଥୀ ବି ସୁଦର୍ଶନ ରେଡ୍ଡୀ। ସକାଳ ୧୦ଟାରୁ ଅପରାହ୍ଣ ୫ଟା ପର୍ଯ୍ୟନ୍ତ ହେବ ଭୋଟ ଗ୍ରହଣ। ସଂଧ୍ୟା ୬ଟାରେ ଭୋଟ ଗଣତି ପରେ ଫଳ ଘୋଷଣା ହେବ। ଏହା ସହିତ ୫୦ ଦିନ ପରେ ଦେଶକୁ ମିଳିବ ନୂଆ ଉପରାଷ୍ଟ୍ରପତି। କାରଣ ଜଗଦୀପ ଧନଖଡ଼ଙ୍କ ଇସ୍ତଫା ପରଠୁ ଏହି ଆସନ ଖାଲି ପଡ଼ିଛି।
ନିର୍ବାଚନରେ ସଂଖ୍ୟା ଗଣିତରେ ଆଗରେ ରହିଛି NDA। ସଂସଦର ଉଚ୍ଚସଦନ ରାଜ୍ୟସଭା ଏବଂ ନିମ୍ନସଦନ ଲୋକସଭାର ସଦସ୍ୟ ହିଁ ଏଥିରେ ଭୋଟ୍ ଦେଇ ପାରିବେ। ନମ୍ବର ଗେମ ହିସାବରେ ଭୋଟ୍ ଦେଇପାରିବେ ୭୮୮ ସାଂସଦ। ୭ ସାଂସଦ ପଦ ଖାଲି ପଡ଼ିଥିବାରୁ ୭୮୧ ସାଂସଦ ଭୋଟ୍ ଦେଇପାରିବେ। ପୁଣି ଓଡ଼ିଶାର ବିଜେଡିର ସାତ ସାଂସଦ ଏବଂ ତେଲଙ୍ଗାନାର ବିଆରଏସ ପାର୍ଟିର ୪ ରାଜ୍ୟସଭା ସାଂସଦ ଭୋଟରୁ ବିରତ ରହିବେ। ତେଣୁ ୭୭୦ ସାଂସଦ ଭୋଟ୍ ଦେଇପାରିବେ। ଏହି ହିସାବରେ ବିଜୟ ପାଇଁ ଦରକାର ୩୮୬ ଭୋଟ୍। ଏନଡିଏ ପାଖରେ ୪୨୭ ସାଂସଦ ଥିବା ବେଳେ I.N.D.I.A ମେଣ୍ଟ ପାଖରେ ଅଛନ୍ତି ୩୫୪ ସାଂସଦ। ତେଣୁ ଏନଡିଏ ପ୍ରାର୍ଥୀଙ୍କ ବିଜୟ ନିଶ୍ଚିତ ଲାଗୁଛି।
ସୂଚନାଯୋଗ୍ୟ, ଜଗଦୀପ ଧନଖଡ଼ ଅପ୍ରତ୍ୟାଶିତ ଭାବେ ଉପରାଷ୍ଟ୍ରପତି ପଦରୁ ଇସ୍ତଫା ଦେଇଥିଲେ। ଏହା ପରଠୁ ଏହି ପଦ ଖାଲି ପଡ଼ିଛି।ସ୍ଵାସ୍ଥ୍ୟଗତ କାରଣ ଦର୍ଶାଇ ଧନଖଡ଼ ଏହି ପଦରୁ ଇସ୍ତଫା ଦେଇଥିଲେ। ତାଙ୍କ ଇସ୍ତଫାକୁ ନେଇ ରାଜନୀତି ବେଶ ସରଗରମ ରହିଥିଲା। କଂଗ୍ରେସ ଓ ଇଣ୍ଡି ମେଣ୍ଟ ଏ ନେଇ ସରକାରଙ୍କଠୁ କୈଫତ ମାଗିଥିଲେ। ବହୁ ମାନସ ମନ୍ଥନ ପରେ ବିଜେପି ନେତୃତ୍ଵାଧୀନ ଏନଡିଏ ସରକାର ମହାରାଷ୍ଟ୍ରର ରାଜ୍ୟପାଳ ଥିବା ସିପି ରାଧାକୃଷ୍ଣନଙ୍କୁ ପ୍ରାର୍ଥୀ କରିଛି। ଇଣ୍ଡି ମେଣ୍ଟ ପୂର୍ବତନ ସୁପ୍ରିମକୋର୍ଟ ଜଜ୍ ବି ସୁଦର୍ଶନ ରେଡ୍ଡୀଙ୍କୁ ମଇଦାନକୁ ଓହ୍ଲାଇଛି।
Also read: ବିହାର SIR ଉପରେ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ: ଆଧାର କାର୍ଡକୁ ଦ୍ୱାଦଶ ଡକ୍ୟୁମେଣ୍ଟ ଭାବରେ ବିବେଚନା କରିବାକୁ ନିର୍ବାଚନ କମିଶନଙ୍କୁ ନିର୍ଦ୍ଦେଶ