ନୂଆଦିଲ୍ଲୀ: ନେତୃତ୍ୱ କାହାକୁ ମିଳିବ ? ଏମିତି ଟ୍ରାଞ୍ଜିସନ ସମୟ ଦେଇ ଗତି କରୁଛି ଭାରତୀୟ କ୍ରିକେଟ୍ କଂଟ୍ରୋଲ ବୋର୍ଡ(ବିସିସିଆଇ) । ରୋଜର ବିନ୍ନି ଅଧ୍ୟକ୍ଷ ପଦ ଛାଡିବା ପରେ ରାଜୀବ ଶୁକ୍ଳା କାର୍ଯ୍ୟକାରୀ ଅଧ୍ୟକ୍ଷ ଦାୟିତ୍ୱରେ ଅଛନ୍ତି । ଯେ ପର୍ଯ୍ୟନ୍ତ ଅଧ୍ୟକ୍ଷ ପଦରେ ନିଯୁକ୍ତି ନ ମିଳିଛି ସେ ପର୍ଯ୍ୟନ୍ତ ରାଜୀବ ଶୁକ୍ଳା ଏହି ପଦରେ କାର୍ଯ୍ୟ କରିବେ । ଏହା ମଧ୍ୟରେ ଏକ ମିଡିଆ ରିପୋର୍ଟରେ ଦାବି କରାଯାଇଛି ଯେ, ବୋର୍ଡର ଦାୟିତ୍ୱ ସମ୍ଭାଳିବା ପାଇଁ ଜଣେ ପୂର୍ବତନ ବରିଷ୍ଠ କ୍ରିକେଟରଙ୍କ ସହ ଯୋଗାଯୋଗ କରାଯାଇଛି । ଉକ୍ତ ଖେଳାଳି ନିଜ କ୍ୟାରିୟରରେ ଅନେକ ରେକର୍ଡ ଭାଙ୍ଗିଛନ୍ତି । ଏ ନେଇ କ୍ରିକେଟରଙ୍କ ସହ ଲଣ୍ଡନରେ ମଧ୍ୟ ମିଟିଂ ହୋଇ ସାରିଛି ।
ଦୈନିକ ଜାଗରଣର ଏକ ରିପୋର୍ଟ ଅନୁ୍ଯାୟୀ, ଆଣ୍ଡରସନ-ତେନ୍ଦୁଲକର ଟ୍ରଫି ସମୟରେ ପୂର୍ବତନ କ୍ରିକେଟରଙ୍କ ସହ ବିସିସିଆଇ ଅଧ୍ୟକ୍ଷ ପଦକୁ ନେଇ ଅନୌପଚାରିକ ଆଲୋଚନା ହୋଇଛି । ଜଣେ ବଡ ରାଜନୈତିକ ବ୍ୟକ୍ତି ଏହି ପୂର୍ବତନ କ୍ରିକେଟରଙ୍କ ସହ ଇଂଲଣ୍ଡରେ ସାକ୍ଷାତ କରିଥିଲେ । କ୍ରିକେଟର ଜଣଙ୍କ ବୋର୍ଡର ଅଧ୍ୟକ୍ଷ ହେବା ନେଇ ସକରାତ୍ମକ ପ୍ରତିକ୍ରିୟା ମିଳିଥିବା କୁହାଯାଉଛି ।
ରିପୋର୍ଟ ଅନୁଯାୟୀ, ବିସିସିଆଇ ଆଗାମୀ ଅଧ୍ୟକ୍ଷ ଚୟନ କରିବା ପରିବର୍ତ୍ତେ ସର୍ବସମ୍ମତିକ୍ରମରେ ଚୟନ ଉପରେ ଜୋର ଦେଇଛି । ଚଳିତ ମାସର ଶେଷ ସପ୍ତାହରେ ବିସିସିଆଇର ସାଧାରଣ ବୈଠକ ହେବାକୁ ଯାଉଛି । ବୈଠକରେ ଅଧ୍ୟକ୍ଷ, ଉପାଧ୍ୟକ୍ଷ, ଯୁଗ୍ମ ସଚିବ, କୋଷାଧ୍ୟକ୍ଷ, ଆଇପିଏଲ ଚେୟାରମ୍ୟାନ ସହିତ ଗୁରୁତ୍ୱପୂର୍ଣ୍ଣ ପଦରେ ନିର୍ବାଚନ ବିଷୟରେ ଆଲୋଚନା ହୋଇପାରେ ।
ଯଦି ପୂର୍ବତନ କ୍ରିକେଟର ବିସିସିଆଇର ଅଧ୍ୟକ୍ଷ ହୁଅନ୍ତି ତେବେ ଭାରତୀୟ କ୍ରିକେଟରେ ଏକ ବଡ ପରିବର୍ତ୍ତନର ସଙ୍କେତ ରହିଛି । ସାଧାରଣତଃ ଭାରତରେ ପୂର୍ବତନ ଖେଳାଳିଙ୍କୁ ପ୍ରଶାସକ ଭାବେ ସେତେଟା ଗୁରୁତ୍ୱ ଦିଆଯାଏ ନାହିଁ । ଏହା ପୂର୍ବରୁ ସୌରଭ ଗାଙ୍ଗୁଲି ବିସିସିଆଇର ଅଧ୍ୟକ୍ଷ ହୋଇ ସାରିଛନ୍ତି । ଯଦି ଆଉ ଜଣେ ବରିଷ୍ଠ କ୍ରିକେଟରଙ୍କୁ ବିସିସିଆଇର ନେତୃତ୍ୱ ଦାୟିତ୍ୱ ମିଳେ ତେବେ ଆଗାମୀ ସମୟରେ ଏକ ସୁସ୍ଥ ପରମ୍ପରା ବିକଶିତ ହୋଇ ପାରିବ ।
Also read: ଅବସର ପରେ ଫେରିଲେ ନ୍ୟୁଜିଲାଣ୍ଡର କିମ୍ବଦନ୍ତୀ କ୍ରିକେଟର ରସ୍ ଟେଲର, ପିନ୍ଧିବେ ନୀଳ ଜର୍ସି