ନୂଆଦିଲ୍ଲୀ: ପୁରୁଷ ହକି ଏସିଆ କପ୍ ୨୦୨୫ରେ ଭାରତୀୟ ଦଳ ଆଉ ଏକ ଦୃଢ଼ ବିଜୟ ହାସଲ କରିଛି। ଗ୍ରୁପ୍ ପର୍ଯ୍ୟାୟର ତିନୋଟି ମ୍ୟାଚ୍ ଜିତିବା ପରେ, ଭାରତୀୟ ଦଳ ସୁପର-୪ରେ ପ୍ରଥମ ବିଜୟ ହାସଲ କରିଛି। ଏହି ରାଉଣ୍ଡର ପ୍ରଥମ ମ୍ୟାଚରେ କୋରିଆ ସହିତ ୨-୨ ଗୋଲରେ ଡ୍ର ରଖିବାକୁ ବାଧ୍ୟ ହୋଇଥିବା ଭାରତୀୟ ହକି ଦଳ ଦ୍ୱିତୀୟ ମ୍ୟାଚରେ ମାଲେସିଆକୁ ୪-୧ ଗୋଲରେ ପରାସ୍ତ କରି ଫାଇନାଲ ପାଇଁ ନିଜର ଆଶାକୁ ଉଜ୍ଜୀବିତ ରଖିଛି। ଏହି ବିଜୟ ସହ ଭାରତ ସୁପର-୪ ପଏଣ୍ଟ ଟେବୁଲରେ ପ୍ରଥମ ସ୍ଥାନ ହାସଲ କରିଛି। ଭାରତ ପାଇଁ ମନପ୍ରୀତ ସିଂହ, ସୁଖଜିତ ସିଂହ, ଶିଳାନନ୍ଦ ଲାକ୍ରା ଏବଂ ବିବେକ ପ୍ରସାଦ ଗୋଟିଏ ଲେଖାଏଁ ଗୋଲ ଦେଇଥିଲେ।
ମ୍ୟାଲେସିଆର ଶଫିକ୍ ହାସନ ମ୍ୟାଚ୍ର ଦ୍ୱିତୀୟ ମିନିଟ୍ରେ ଏକ ଗୋଲ କରିଥିଲେ। ପ୍ରଥମ କ୍ୱାର୍ଟର ଶେଷ ସୁଦ୍ଧା ମାଲେସିଆ ୧-୦ରେ ଆଗୁଆ ଥିଲା। ୧୭ତମ ମିନିଟ୍ରେ ହରମନପ୍ରୀତ ସିଂହ ପେନାଲ୍ଟି କର୍ଣ୍ଣରରେ ଏକ ଗୋଲ ହାତଛଡ଼ା କରିଥିଲେ, କିନ୍ତୁ ମନପ୍ରୀତ ସିଂହ ସୁଯୋଗ ପାଇବା ମାତ୍ରେ ଗୋଲ ଦେଇ ଟିମ୍ ଇଣ୍ଡିଆକୁ ୧-୧ ଡ୍ର’କୁ ଆଣିଥିଲେ। ମାତ୍ର ୨ ମିନିଟ୍ ପରେ, ସୁଖଜିତ ସିଂହ ଭାରତକୁ ୨-୧ରେ ଆଗୁଆ କରିଥିଲେ।
ଟିମ୍ ଇଣ୍ଡିଆ ଦ୍ୱିତୀୟ କ୍ୱାର୍ଟରରେ ସମ୍ପୂର୍ଣ୍ଣ ଭାବରେ ପ୍ରାଧାନ୍ୟ ବିସ୍ତାର କରିଥିଲା, କାରଣ ଶିଳାନନ୍ଦ ଲାକ୍ରା ମଧ୍ୟ ୨୪ତମ ମିନିଟ୍ରେ ଏକ ଗୋଲ କରିଥିଲେ। ଭାରତୀୟ ଦଳ ମାତ୍ର ୭ ମିନିଟ୍ ମଧ୍ୟରେ ତିନୋଟି ଗୋଲ ଦେଇ ୩-୧ରେ ଆଗୁଆ ହୋଇଥିଲା। ମ୍ୟାଚ୍ର ଚତୁର୍ଥ ଏବଂ ଶେଷ ଗୋଲ ୩୮ତମ ମିନିଟ୍ରେ ହୋଇଥିଲା।ଭାରତର ବିବେକ ପ୍ରସାଦ ଏହି ଗୋଲ ଦେଇଥିଲେ। ଭାରତ ଶେଷ ପର୍ଯ୍ୟନ୍ତ ୪-୧ର ଅଗ୍ରଣୀ ବଜାୟ ରଖି ଏକ ବଡ଼ ବିଜୟ ହାସଲ କରିଛି।
ଭାରତୀୟ ଦଳ ହକି ଏସିଆ କପର ଫାଇନାଲରେ ପ୍ରାୟତଃ ନିଜର ସ୍ଥାନ ସୁରକ୍ଷିତ କରିସାରିଛି। ଯଦି ପରବର୍ତ୍ତୀ ମ୍ୟାଚ୍ରେ ମାଲେସିଆ ଦକ୍ଷିଣ କୋରିଆକୁ ପରାସ୍ତ କରେ, ତେବେ ଭାରତ ଚୀନ୍ ବିପକ୍ଷରେ ହାରିଗଲେ ମଧ୍ୟ ଫାଇନାଲରେ ପହଞ୍ଚିବ। ଅନ୍ୟପକ୍ଷରେ, ଯଦି ମାଲେସିଆ କୋରିଆ ବିପକ୍ଷରେ ବିଜୟୀ ହୁଏ, ତେବେ ଭାରତକୁ ଚୀନ୍ ସହିତ ଡ୍ର ରଖିବାକୁ ପମିବ କିମ୍ବା ବିଜୟ ହାସଲ କରିବାକୁ ପଡ଼ିବ। ସୁପର-୪ ପର୍ଯ୍ୟାୟରେ ଭାରତର ଶେଷ ମ୍ୟାଚ୍ ସେପ୍ଟେମ୍ବର ୬ରେ ଚୀନ୍ ବିପକ୍ଷରେ।
Also read: ଜିଏସଟି ରିଫର୍ମରେ ମହଙ୍ଗା ହେଲା ଆଇପିଏଲ୍ ଦେଖା, କେତେ ବଢିଲା ଦାମ ? ଜାଣନ୍ତୁ