ନୂଆଦିଲ୍ଲୀ: ବସ୍ତୁ ଓ ସେବା କର(ଜିଏସଟି)ର ନୂଆ ଦରର ପ୍ରଭାବ କ୍ରିକେଟ୍ ଉପରେ ମଧ୍ୟ ପଡିବାକୁ ଯାଉଛି । କ୍ରିକେଟ୍ ଦର୍ଶକଙ୍କୁ ଏବେ ଷ୍ଟାଡିୟମ ଯାଇ ମ୍ୟାଚ୍ ଦେଖିବା ମହଙ୍ଗା ହବ । କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଗୁରୁତବାର ବସିଥିବା ଜିଏସଟି ପରିଷଦ ବୈଠକରେ ଆଇପିଏଲ ଟିକେଟ୍ ଉପରେ ଜିଏସଟି ବଢାଇବାକୁ ନିଷ୍ପତ୍ତି ନିଆଯାଇଛି । ଏହାର ପ୍ରଭାବ ଆଇପିଏଲ୍ ୨୦୨୬ରେ ଦେଖିବାକୁ ମିଳିବ ।
ଧରାଯାଉ ଆପଣ ଗୋଟିଏ ଆଇପିଏଲ ଟିକେଟ କିଣନ୍ତି ଏବଂ ଏହାର ମୂଲ୍ୟ ୧୦୦୦ ଟଙ୍କା ରହିଛି। ପୂର୍ବରୁ ଏହା ଉପରେ ୨୮ ପ୍ରତିଶତ ଜିଏସଟି ଥିଲା, ତେଣୁ ସେହି ଅନୁସାରେ ଆପଣଙ୍କୁ ଏଥିପାଇଁ ମୋଟ ୧୨୮୦ ଟଙ୍କା ଦେବାକୁ ପଡୁଥିଲା, କିନ୍ତୁ ବର୍ତ୍ତମାନ ନୂତନ ଜିଏସଟି ଦର ଅନୁସାରେ ଆପଣଙ୍କୁ ଏଥିପାଇଁ ୧୪୦୦ ଟଙ୍କା ଦେବାକୁ ପଡିବ। ଅର୍ଥାତ୍ ଏବେ ପ୍ରଶଂସକମାନଙ୍କୁ ୧୨୦ ଟଙ୍କା ଅଧିକ ଦେବାକୁ ପଡିବ। ଏହିପରି, ଯଦି ଟିକେଟର ମୂଲ୍ୟ ୨୦୦୦ ଟଙ୍କା ହୁଏ, ତେବେ ଏହା ଉପରେ ୮୦୦ ଟଙ୍କା ଜିଏସଟି ନିଆଯିବ ଏବଂ ଟିକେଟ୍ ମୋଟ ମୂଲ୍ୟ ୨୮୦୦ ଟଙ୍କା ହେବ।
ଏହାର ପ୍ରଭାବ ଆଇପିଏଲ ୨୦୨୬ରେ ଦେଖିବାକୁ ମିଳିବ । ଯଦି ଆୟୋଜକ ଟିକେଟ ମୂଲ୍ୟରେ କୌଣସି ରିହାତି ନ ଦିଅନ୍ତି ତେବେ ଷ୍ଟାଡିୟମରେ ପ୍ରଶଂସକଙ୍କ ଅଭାବ ଦେଖାଯାଇପାରେ। ଭାରତରେ କ୍ରିକେଟକୁ ପୂଜା କରାଯାଏ ଏବଂ କ୍ରିକେଟ ପ୍ରେମୀମାନେ ଆଇପିଏଲକୁ ଏକ ଉତ୍ସବ ପରି ପାଳନ କରନ୍ତି। ସେମିତିରେ ଆଇପିଏଲ ସମୟରେ ପ୍ରତ୍ୟେକ ମ୍ୟାଚରେ ଟିକେଟର ଚାହିଦା ଅଧିକ ରହିଥାଏ। ତେବେ ନୂତନ ଜିଏସଟି ପରେ ଆଇପିଏଲ୍ ଟିକେଟ ପାଇଁ ସମାନ ଭିଡ଼ ହେବ କି ନାହିଁ।
ଆନ୍ତର୍ଜାତୀୟ କ୍ରିକେଟ ମ୍ୟାଚ୍ ଉପରେ ପ୍ରଭାବ ପଡିବ କି ?
ଏହାର ଉତ୍ତର ହେଉଛି ନା ସ୍ୱୀକୃତିପ୍ରାପ୍ତ ଟୁର୍ଣ୍ଣାମେଣ୍ଟ ପାଇଁ ଟିକେଟ ଉପରେ ଜିଏସଟି ବୃଦ୍ଧି କରାଯାଇନାହିଁ। ଜାତୀୟ କିମ୍ବା ଅନ୍ତର୍ଜାତୀୟ ସ୍ତରୀୟ ଖେଳ ପାଇଁ ୫୦୦ ଟଙ୍କା ଟିକେଟ ଉପରେ ଜିଏସଟି ଲାଗୁ ହେବ ନାହିଁ, ଏହି ମୂଲ୍ୟ ଉପରେ ୧୮ ପ୍ରତିଶତ ଜିଏସଟି ପୂର୍ବ ପରି ଲାଗୁ ହେବ।