ନୂଆଦିଲ୍ଲୀ: ଏସିଆ କପ୍ ହକିରେ ଭାରତୀୟ ଦଳର ବିଜୟ ଧାରା ଜାରି ରହିଛି। ଲଗାତାର ତୃତୀୟ ମ୍ୟାଚ୍ ଜିତି ଭାରତ ହ୍ୟାଟ୍ରିକ୍ ବିଜୟ ମଧ୍ୟ ହାସଲ କରିଛି। ଆଜି ଭାରତ ଓ କାଜାଖସ୍ତାନ ମଧ୍ୟରେ ମୁକାବିଲା ହୋଇଥିଲା। ଭାରତୀୟ ଖେଳାଳିମାନେ ଲଗାତାର ଗୋଲ ସ୍କୋର କରି ମ୍ୟାଚ୍କୁ ଏକତରଫା ଜିତି ନେଇଥିଲା। କାଜାଖସ୍ତାନ ଦଳ ଗୋଟିଏ ବି ଗୋଲ କରିପାରି ନଥିଲା। ଏହି ବିଜସୟ ସହ ଭାରତ ଏସିଆ କପର ସେମି ଫାଇନାଲ୍ରେ ନିଜର ସ୍ଥାନ ନିଶ୍ଚିତ କରିଛି। ସେମିରେ ଦଳକୁ କଡ଼ା ଟକ୍କର ମିଳିପାରେ।
ଭାରତୀୟ ଦଳ ହକି ଏସିଆ କପର ପ୍ରଥମ ମ୍ୟାଚରେ ଚୀନକୁ ପରାସ୍ତ କରି ଦମଦାର ଆାରମ୍ଭ କରିଥିଲା। ଭାରତ ପ୍ରତିଦ୍ଵନ୍ଦ୍ଵିତାମୂଳକ ମୁକାବିଲାରେ ଚୀନକୁ ୪-୩ ଗୋଲରେ ପରାସ୍ତ କରିବାରେ ସଫଳ ହୋଇଥିଲା। ଏହା ପରେ, ଦ୍ୱିତୀୟ ମ୍ୟାଚରେ ଭାରତ ଜାପାନ ସହିତ ଏକ ମ୍ୟାଚ ଖେଳିଥିଲା। ଦଳ ଏହି ମ୍ୟାଚକୁ ୩-୨ ଗୋଲରେ ଜିତିଥିଲା। ଆଜିର ମ୍ୟାଚ୍ରେ ଭାରତୀୟ ଦଳ ଲଗାତାର ଗୋଲ ସ୍କୋର କରି ବଂ କାଜାଖସ୍ତାନ ଦଳକୁ ସମ୍ପୂର୍ଣ୍ଣ ବ୍ୟାକଫୁଟରେ ରଖିଥିଲା। ଭାରତୀୟ ଦଳ ମୋଟ ୧୫ଗୋଲ ସ୍କୋର କରିଥିଲା, କିନ୍ତୁ କାଜାଖସ୍ତାନ ପକ୍ଷରୁ ଗୋଟିଏ ହେଲେ ଗୋଲ୍ ହୋଇ ନ ଥିଲା। ଯଦିଓ କାଜାଖସ୍ତାନ ଗୋଲ ସ୍କୋର କରିବାର କିଛି ସୁଯୋଗ ପାଇଥିଲା, କିନ୍ତୁ ଏହା ସମ୍ପୂର୍ଣ୍ଣ ଭାବରେ ହାତଛଡ଼ା କରିଥିଲା।
ମ୍ୟାଚରେ ତିନି ଜଣ ଭାରତୀୟ ଖେଳାଳି ହ୍ୟାଟ୍ରିକ୍ କରିଥିଲେ। ଅଭିଷେକ ପ୍ରଥମେ ୫ମ ମିନିଟ୍ରେ, ତା'ପରେ ୮ମ ମିନିଟ୍ରେ, ତା'ପରେ ୨୦ତମ ମିନିଟ୍ରେ ଏବଂ ଶେଷରେ ୫୯ତମ ମିନିଟ୍ରେ ଗୋଲ କରିଥିଲେ। ଏହା ପରେ ସୁଖଜିତ ସିଂହ ୧୫ତମ ମିନିଟ୍ରେ, ତା'ପରେ ୩୨ତମ ମିନିଟ୍ରେ ଏବଂ ୩୮ତମ ମିନିଟ୍ରେ ତୃତୀୟ ଗୋଲ କରିଥିଲେ। ଜୁଗରାଜ ସିଂହ ମଧ୍ୟ ତିନୋଟି ଗୋଲ କରିଥିଲେ। ସେ ୨୪ତମ ମିନିଟ୍ରେ ପ୍ରଥମ ଗୋଲ, ତା'ପରେ ୩୧ତମ ମିନିଟ୍ରେ ଦ୍ୱିତୀୟ ଗୋଲ ଏବଂ ୪୭ତମ ମିନିଟ୍ରେ ତୃତୀୟ ଗୋଲ କରି ନିଜର ହ୍ୟାଟ୍ରିକ୍ ପୂରଣ କରିଥିଲେ।
ଅଧିନାୟକ ହରମନପ୍ରୀତ ସିଂହ ୨୬ତମ ମିନିଟ୍ରେ କେବଳ ଗୋଟିଏ ଗୋଲ କରିଥିଲେ। ସେ ଏହି ମ୍ୟାଚ୍ରେ ଅନ୍ୟ ଖେଳାଳିମାନଙ୍କୁ ସୁଯୋଗ ଦେଇଥିଲେ। ଅମିତ ରୋହିଦାସ ୨୯ତମ ମିନିଟ୍ରେ, ରାଜିନ୍ଦର ସିଂହ ୩୨ତମ ମିନିଟ୍ରେ, ସଞ୍ଜୟ ସିଂହ ୫୪ତମ ମିନିଟ୍ରେ ଏବଂ ଦିଲପ୍ରୀତ ସିଂହ ୫୫ତମ ମିନିଟ୍ରେ ଗୋଲ କରିଥିଲେ।