ନୂଆଦିଲ୍ଲୀ: ଭାରତ ବିପକ୍ଷ ଗୁରୁତ୍ୱପୂର୍ଣ୍ଣ ସିରିଜ୍ ପୂର୍ବରୁ ଅଷ୍ଟ୍ରେଲିଆ ଟିମକୁ ଲାଗିଛି ବଡ ଝଟକା । ଦଳର ତାରକା ଦ୍ରୁତ ବୋଲର ତଥା ଟେଷ୍ଟ ଓ ଦିନିକିଆ ଦଳର ଅଧିନାୟକ ପାଟ୍ କମିନ୍ସ ଭାରତ ବିପକ୍ଷ ଦିନିକିଆ ଓ ଟି-୨୦ ସିରିଜରୁ ବାଦ୍ ପଡିଛନ୍ତି । କ୍ରିକେଟ୍ ଅଷ୍ଟ୍ରେଲିଆ ମଙ୍ଗଳବାର ଏହାର ସୂଚନା ଦେଇଛି ।
କ୍ରିକେଟ୍ ଅଷ୍ଟ୍ରେଲିଆ କହିଛି, କମିନ୍ସଙ୍କ ପିିଠିର ନିମ୍ନ ଭାଗରେ ଯନ୍ତ୍ରଣା ସମସ୍ୟା ଦେଇ ଗତି କରୁଛନ୍ତି । ତାଙ୍କୁ ରିହାବିଲିଟେସନରେ ରହିବାକୁ ପରାମର୍ଶ ଦିଆଯାଇଛି । ଇଂଲଣ୍ଡ ବିପକ୍ଷ ଆସେସ ଟେଷ୍ଟ ସିରିଜକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି । କାରଣ ବର୍ଷର ଶେଷ ଆଡକୁ ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ମଧ୍ୟରେ ଆସେସ ସିରିଜ୍ ଖେଳାଯିବ । ତେଣୁ ପାଟ୍ କମିନ୍ସଙ୍କ କାର୍ଯ୍ୟଭାର ଓ ଫିଟନେସକୁ ଗୁରୁତ୍ୱ ଦିଆଯାଉଛି ।
ବୋର୍ଡ ଅନୁଯାୟୀ, ପାଟ୍ କମିନ୍ସ ଭାରତ ଓ ନ୍ୟୁଜିଲାଣ୍ଡ ବିପକ୍ଷ ଆଗାମୀ ସିରିଜ ପାଇଁ ଦଳରେ ଚୟନ କରାଯିବ ନାହିଁ । ଏହି ସମୟରେ ସେ ରିହାବିଲିଟେସନରେ ରହିବେ । ବୋର୍ଡର ମୁଖ୍ୟ ଲକ୍ଷ୍ୟ ପାଟ୍ କମିନ୍ସ ଦଳର ଅଧିନାୟକ ଏବଂ ବୋଲର ଭାବେ ଆସେସ ସିରିଜ୍ ପାଇଁ ଫିଟ୍ ରୁହନ୍ତୁ । ନଭେମ୍ବର ୨୧ରୁ ଆସେସ ଆରମ୍ଭ ହେବାକୁ ଯାଉଛି ।
ଅନ୍ୟପଟେ ଅକ୍ଟୋବରରେ ଭାରତୀୟ ଦଳ ଅଷ୍ଟ୍ରେଲିଆ ଗସ୍ତ କରିବ । ଏହି ସମୟରେ ଦୁଇ ଦଳ ମଧ୍ୟରେ ତିନୋଟି ଦିନିକିଆ ଓ ୫ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଖେଳାଯିବ । ଏହାକୁ ନେଇ ପ୍ରଶଂସକଙ୍କ ମଧ୍ୟରେ ଉତ୍ସାହ ଚରମରେ ପହଞ୍ଚିଛି । ଦୀର୍ଘ ସମୟ ପରେ କୋହଲିଓ ରୋହିତଙ୍କୁ ପଡିଆରେ ଆକ୍ସନ ମୁଡରେ ଦେଖିବାକୁ ମିଳିବ ।