ପୁରୀ: ଗତକାଲି (ଗୁରୁବାର) ବାମନ ଜନ୍ମ ନୀତି ସମ୍ପର୍ଣ୍ଣ ହେବା ପରେ ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ବଳିବାମନ ବେଶ ଅନୁଷ୍ଠିତ ହେବ । ବାମନ ରୂପୀ ବାଳକ ରୂପରେ ଉଭା ହେବେ ମହାପ୍ରଭୁ । ଶ୍ରୀବଳଭଦ୍ର ରାଜବେଶ ଦେବୀ ସୁଭଦ୍ରା ସାଧାରଣ ବେଶ ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ବାମନ ବେଶରେ ଦର୍ଶନ କରିବେ ଭକ୍ତଗଣ । ଏହି ବେଶ ଦ୍ବିପହର ଧୂପ ସରିବା ପରେ ଅନୁଷ୍ଠିତ ହେବକୁ ଥିବା ବେଳେ ବଡ଼ସିଂହାର ପୂଜା ପର୍ଯ୍ୟନ୍ତ ରହିବ । ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ସ୍ଵର୍ଣ୍ଣ ଅଳଙ୍କାର ବିଭୂଷିତ କରାଯିବ। ମହାପ୍ରଭୁ ବିଷ୍ଣୁ ପଞ୍ଚମ ଅବତାରରେ ବାମନ ରୂପ ନେଇ ବଳି ମହାରାଜଙ୍କୁ ପାତାଳରେ ଚାପି ଦେଇଥିଲେ । ତେଣୁ ସେହି ସ୍ମୃତିକୁ ବହନ କରି ଏହି ବଳିବାମନ ବେଶ ଶହ ଶହ ବର୍ଷ ଧରି ଅନୁଷ୍ଠିତ ହୋଇ ଆସୁଛି ।
"ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ସ୍ୱୟଂ ମହାବିଷ୍ଣୁ ଭାବେରେ ବିବେଚନା କରାଯାଇ ପୂଜାର୍ଚ୍ଚନା କରାଯାଇଥାଏ । ବିଷ୍ଣୁ ତାଙ୍କର ପଞ୍ଚମ ଅବତାରରେ ବାମନ ରୂପରେ ଧରାପୃଷ୍ଟରେ ଅବତରଣ କରିଥିଲେ । ପୌରାଣିକ ଉପାଖ୍ୟାନ ଅନୁସାରେ ଭଗବାନ ବିଷ୍ଣୁ ଏକ ଦିବ୍ୟ, ଜ୍ୟୋତିର୍ମୟ ବାମନ ବାଳକ ରୂପରେ ଧରା ପୃଷ୍ଟକୁ ଆସି ବଳି ରାଜାଙ୍କ ଅଂହଙ୍କାର ଭାଙ୍ଗିଥିଲେ । ଏଣୁ ଶ୍ରୀଜଗନ୍ନାଥ ମନ୍ଦିରରେ ଭାଦ୍ରବ ମାସ ଶୁକ୍ଳ ପକ୍ଷ ଦ୍ୱାଦଶୀ ଦିନ ବାମନ ଜନ୍ମ ନୀତି ସମ୍ପନ୍ନ ହେବା ପରେ ତ୍ରୟୋଦଶୀ ତିଥି ଅବସରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ମନୋମୁଗ୍ଧକର ବାମନ ରୂପୀ ବାଳକ ବେଶରେ ସଜ୍ଜିତ କରାଯାଏ । ଦେବୀ ସୁଭଦ୍ରା ଓ ବଡ଼ଠାକୁର ବଳଭଦ୍ର ସ୍ୱର୍ଣ୍ଣ ବେଶରେ ସଜ୍ଜିତ ହୋଇଥିବା ବେଳେ ବଡ଼ଠାକୁର ବଳଭଦ୍ର ଶ୍ରୀହସ୍ତରେ ଧନୁ ଓ ସର ଧାରଣ କରିବେ। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦ୍ୱିପ୍ରହର ଧୂପ ଶେଷ ହେବା ପରେ ମହାପ୍ରଭୁ ଏହି ବଳି ବାମନ ବେଶ ଧାରଣ କରିଥାନ୍ତି ।"
ଏହି ବଳିବାମନ ବେଶରେ ମହାପ୍ରଭୁଙ୍କୁ ସ୍ୱର୍ଣ୍ଣ ଶ୍ରୀଭୁଜ, ଶ୍ରୀପୟର ଓ ସ୍ୱର୍ଣ୍ଣ କିରୀଟରେ ଆଭୂଷିତ କରାଯାଏ । ମହାପ୍ରଭୁ ମଥାରେ ଜୁଡା ଯୁକ୍ତ କେଶର ରୂପ ସୃଷ୍ଟି ପାଇଁ ଦରଜି ଦେଇଥିବା କଳା କନାର ଗୋଟିଏ ମଥା ବରଣ ବ୍ୟବହୃତ କରାଯାଇଥାଏ । ସେହି କଳା କନାର ସମ୍ମୁଖ ପଟେ ଧଳା କନା ସିଲେଇ କିଛି ଧଳା ଗାର ସୃଷ୍ଟି ହୋଇଥାଏ । ଏହା ଭସ୍ମ ରେଖା ବା ତିଳକର ପ୍ରତୀକ ରୂପେ ଗୃହୀତ। ସେହିପରି ଏକ କିରୀଟ ମଧ୍ୟ ମହାପ୍ରଭୁଙ୍କ ମସ୍ତକ ଉପରେ ଶୋଭା ପାଇବ । ଏହି ବେଶରେ ମହାପ୍ରଭୁଙ୍କ ଶ୍ରୀଭୁଜର ବାମ ହସ୍ତରେ ଏକ ଛତ୍ରୀ ଓ ଡାହାଣ ହସ୍ତରେ କୁଶଯୁକ୍ତ ରୂପାର ଗଡୁ ଧାରଣ କରି ଏକ ବାମନରୂପୀ ନୈଷ୍ଠିକ ବ୍ରାହ୍ମଣ ବେଶରେ ମହାପ୍ରଭୁ ଭୂଷିତ ହୋଇଥାଆନ୍ତି।
ତେବେ ଯେଉଁ ଭକ୍ତ ଶ୍ରୀମନ୍ଦିରକୁ ଯାଇ ମହାପ୍ରଭୁଙ୍କ ଏହି ଦୁର୍ଲ୍ଳଭ ବଳିବାମନ ବେଶ ଦର୍ଶନ କରନ୍ତି ସେମାନଙ୍କୁ ଅନନ୍ତ ପୁଣ୍ୟ ମିଳିଥାଏ। ମହାପ୍ରଭୁଙ୍କ ଏହି ଦୁର୍ଲଭ ବଳି ବାମନ ବେଶ ଦର୍ଶନ କରି ଭକ୍ତ ମାନେ ଆଶିଷ ଲାଭ କରିବେ। ଏହି ବେଶ ବଡ଼ସିଂହାର ଭୋଗ ପର୍ଯ୍ୟନ୍ତ ରହିବାକୁ ଥିବାରୁ ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବଳ ସମାଗମ ହେବ।