ଭୁବନେଶ୍ୱର: ଜିଏସଟି କ୍ଷେତ୍ରରେ ମୋଦି ସରକାର ଐତିହାସିକ ପରିବର୍ତ୍ତନ ଆଣିଛନ୍ତି । ବିଶେଷ କରି ମଧ୍ୟବିତ୍ତ ଶ୍ରେଣୀର ଲୋକେ ଅଧିକ ଉପକୃତ ହେବେ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦିଲ୍ଲୀରେ ଫେରିବା ପରେ ଏହି ପ୍ରତିକ୍ରିୟା ରଖିଛନ୍ତି ।
ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଚାରି ଦିନିଆ ଦିଲ୍ଲୀ ଗସ୍ତ ସାରି ଶୁକ୍ରବାର ସକାଳେ ଏୟାର୍ ଇଣ୍ଡିଆ AI-473 ବିମାନରେ ନୂଆଦିଲ୍ଲୀରୁ ଭୁବନେଶ୍ୱର ଅଭିମୁଖ୍ୟ ବାହାରିଥିଲେ । ଖରାପ ପାଗ ଏବଂ ପ୍ରବଳ ବର୍ଷା ଯୋଗୁଁ ବିମାନଟି ଭୁବନେଶ୍ୱର ବିମାନ ବନ୍ଦରରେ ଅବତରଣ କରିପାରିନଥିଲା । ଫଳରେ କୋଲକାତାରେ ଅବତରଣ କରିବାକୁ ଅନୁମତି ମିଳିଥିଲା । ପରେ ମୁଖ୍ୟମନ୍ତ୍ରୀ କୋଲକାତାରୁ ଆସି ଭୁବନେଶ୍ୱରରେ ପହଁଚିଛନ୍ତି ।
ଭୁବନେଶ୍ୱର ବିମାନବନ୍ଦରରେ ପହଁଚିବା ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ମୋଦୀ ସରକାର ଜିଏସଟି କ୍ଷେତ୍ରରେ ଐତିହାସିକ ସଂସ୍କାର ଆଣିଛନ୍ତି । କେନ୍ଦ୍ର ସରକାରଙ୍କ ଜିଏସଟି ସଂସ୍କାରରେ ଓଡ଼ିଶା ଲାଭାନ୍ୱିତ ହେବ । ବିଶେଷ କରି ମଧ୍ୟବିତ୍ତ ଲୋକେ ଅଧିକ ଉପକୃତ ହେବେ । କେବଳ ୨ଟି ସ୍ଲାବ କାର୍ଯ୍ୟକାରୀ ହେବା ଦ୍ୱାରା ସମସ୍ତେ ଲାଭବାନ ହେବେ । ଓଡ଼ିଶାରେ ୧୦ ଲକ୍ଷରୁ ଅଧିକ କେନ୍ଦୁପତ୍ର ତୋଳାଳି ଉପକୃତ ହେବା ସହ ଟିକସ ହ୍ରାସ ଦ୍ୱାରା କେନ୍ଦୁପତ୍ର ତୋଳାଳିଙ୍କ ରୋଜଗାର ବୃଦ୍ଧି ହେବ। ରାଜ୍ୟ ସରକାର ମଧ୍ୟ ବୋନସ୍ ପ୍ରଦାନ କରୁଛନ୍ତି । ଏହା ଦ୍ୱାରା ସେମାନଙ୍କ ଜୀବନ ଧାରଣ ଉନ୍ନତ ହେବ । ସେହିପରି କୋଇଲା କ୍ଷେତ୍ରରେ ଓଡ଼ିଶାକୁ ଅଧିକ ଲାଭ ମିଳିବ । ଓଡ଼ିଶାର ରାଜସ୍ୱ ତିନିରୁ ଚାରି ଗୁଣା ବୃଦ୍ଧି ପାଇବ ।
ଏଠାରେ ଉଲ୍ଲେଖ ଯୋଗ୍ୟ, କେନ୍ଦୁପତ୍ର ଉପରେ ଜିଏସଟି ୫ ପ୍ରତିଶତକୁ ହ୍ରାସ କରାଯାଇଛି । ପୂର୍ବରୁ କେନ୍ଦୁପତ୍ର ଉପରେ ୧୮ ପ୍ରତିଶତ ଜିଏସଟି ଲାଗୁ ହୋଇଥିଲା । ଏହା ଦ୍ୱାରା ଓଡ଼ିଶାର କେନ୍ଦୁପତ୍ର ତୋଳାଳି ଉପକୃତ ହେବା ସହିତ କେନ୍ଦୁପତ୍ର ବିକ୍ରି ବଢ଼ିବ । ଉପାର୍ଜନ ବଢ଼ିବା ସହିତ ତୋଳାଳିମାନେ ଉଚିତ ମୂଲ୍ୟ ପାଇପାରିବେ । ଯେଉଁମାନେ କେନ୍ଦୁପତ୍ର ବ୍ୟବସାୟ କରୁଛନ୍ତି, ସେମାନେ ମଧ୍ୟ କେନ୍ଦୁପତ୍ର ତୋଳାଳିଙ୍କୁ ଠିକ୍ ସମୟରେ ପ୍ରାପ୍ୟ ଦେଇପାରିବେ ବୋଲି ମୁଖ୍ୟମନ୍ତ୍ରୀ ଗତକାଲି କହିଥିଲେ ।