ଭୁବନେଶ୍ୱର: ଗୁରୁ ଦିବସ ଅବସରରେ ରାଜ୍ୟର ବିଭିନ୍ନ ଜିଲ୍ଲା ଶିକ୍ଷକ ଏବଂ ଶିକ୍ଷାଧିକାରୀମାନଙ୍କୁ ମୁଖ୍ୟମନ୍ତ୍ରୀ ଶିକ୍ଷା ସମ୍ମାନରେ ସମ୍ମାନୀତ କରାଯାଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶିକ୍ଷକମାନଙ୍କୁ ସମ୍ମାନୀତ କରିଛନ୍ତି । ଗୁଣାତ୍ମକ ଶିକ୍ଷା ଏବଂ ଡ୍ରପ୍ ଆଉଟ୍ ହାର ହ୍ରାସକୁ ନେଇ ମୁଖ୍ୟମନ୍ତ୍ରୀ ଚିନ୍ତା ପ୍ରକଟ କରିଛନ୍ତି । ଏହି ଦୁଇଟି ଏବେ ବଡ଼ ଆହ୍ୱାନ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।
ମୁଖ୍ୟମନ୍ତ୍ରୀ ଅଭିଭାଷଣରେ କହିଛନ୍ତି ଯେ ଭାରତରେ ଗୁରୁ-ଶିଷ୍ୟର ପରମ୍ପରା ବହୁ ପ୍ରାଚୀନ । ଦେଶର ସ୍ଵାଧୀନତା ସମୟରେ ସାକ୍ଷରତା ହାର ଥିଲା ୧୨% ଥିବାବେଳେ କାଳକ୍ରମେ ସାକ୍ଷରତା ହାରରେ ଆଶୀତୀତ ବୃଦ୍ଧି ଘଟିଛି । ଆଗାମୀ ଦିନରେ ସାକ୍ଷରତା ହାର ଶତ ପ୍ରତିଶତ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି । ବର୍ତ୍ତମାନ ଶିକ୍ଷା କ୍ଷେତ୍ରରେ ଦୁଇଟି ବଡ଼ ଆହ୍ୱାନ ରହିଛି । ଗୋଟିଏ ହେଲା ଡ୍ରପ୍ ଆଉଟ୍ ହାର ହ୍ରାସ କରିବା ଓ ଅନ୍ୟଟି ହେଲା ଗୁଣାତ୍ମକ ଶିକ୍ଷା । ପିଲାମାନଙ୍କୁ ବିଦ୍ୟାଳୟରେ ବାନ୍ଧି ରଖିବା ପାଇଁ ମିଡ୍ ଡେ' ମିଲ୍ ବ୍ୟବସ୍ଥା ହୋଇଛି । ପିଲାଟିକୁ ସ୍କୁଲରେ ପୋଷଣ ଯୁକ୍ତ ଆହାର ମିଳୁଛି । ଏହି ମିଡ୍ ଡେ ମିଲ୍ ବ୍ୟବସ୍ଥାକୁ ଅଷ୍ଟମରୁ ଦଶମ ଶ୍ରେଣୀକୁ ବୃଦ୍ଧି କରାଯାଇଛି । ସେହିପରି ଡ୍ରପ୍ ଆଉଟ୍ ହାର ଅନୁସୂଚିତ ଜାତି କ୍ଷେତ୍ରରେ ୨୪% ରହିଛି । ଏହାକୁ ପ୍ରାଧାନ୍ୟ ଦେଇ ଏବଂ ଡ୍ରପ୍ ଆଉଟ୍ ହାର ହ୍ରାସ କରିବା ପାଇଁ ସରକାର ମାଧୋ ସିଂ ହାତ ଖର୍ଚ୍ଚ ଯୋଜନା କରିଛନ୍ତି ।
ଆଜି ପର୍ଯ୍ୟନ୍ତ ବିଦ୍ୟାଳୟମାନଙ୍କରେ ସମ୍ପୂର୍ଣ୍ଣ ଗୁଣାତ୍ମକ ଶିକ୍ଷା ପ୍ରଦାନ କରାଯାଇନାହିଁ । ଗୁଣାତ୍ମକ ଶିକ୍ଷା ପାଇଁ ଶିକ୍ଷକ ଓ ଭିତ୍ତିଭୂମି ଦରକାର ଅଛି । ଆଜି ଶିକ୍ଷା କ୍ଷେତ୍ରରେ ଜାତୀୟ ଶିକ୍ଷା-୨୦୨୦ ଲାଗୁ ହୋଇଛି । ଆଜି ପ୍ରଧାନମନ୍ତ୍ରୀଙ୍କ ନେତୃତ୍ଵରେ ଶିକ୍ଷାର ଯଥେଷ୍ଟ ଉନ୍ନତି ହୋଇଛି । ନୂତନ ଶିକ୍ଷା ନୀତିରେ ମାତୃଭାଷାରେ ଶିକ୍ଷାପ୍ରଦାନ ଉପରେ ଜୋର ଦିଆଯାଇଛି । ରାଜ୍ୟରେ ଶିକ୍ଷା କ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନ ଆଣିବା ପାଇଁ ଆମ ସରକାର କାର୍ଯ୍ୟରତ ।