ବାଲେଶ୍ୱର: ବିପଦ ସଙ୍କେତ ଅତିକ୍ରମ କରି ବଢୁଛି ଜଳସ୍ତର । ଲଗାଣ ବର୍ଷାରେ ଫୁଲୁଛି ଜଳକା । ମଥାନୀ ଠାରେ ବିପଦ ସଙ୍କେତ ୬.୫୦ ରହିଥିବା ବେଳେ ସକାଳ ୬ ଟା ସୁଦ୍ଧା ଜଳସ୍ତର ବୃଦ୍ଧି ପାଇ ୬.୭୧ ମିଟରରେ ପ୍ରବାହିତ ହେଉଛି । ଏହା ଫଳରେ ଜଳକା ନଦୀରେ ଚତୁର୍ଥ ଥର ପାଇଁ ବନ୍ୟାର ଆଶଙ୍କା ସୃଷ୍ଟି ହୋଇଛି । ଲଘୁଚାପ ପ୍ରଭାବରେ ଗତ ଚାରି ଦିନ ଧରି ବସ୍ତା ସମେତ ନଦୀର ଉପରମୁଣ୍ଡ ମୟୁରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷା ହୋଇଥିବା କାରଣରୁ ବଢୁଛି ଜଳସ୍ତର।
ବାଲେଶ୍ବରରେ ବୁଢ଼ାବଳଙ୍ଗ ନଦୀର ଜଳସ୍ତର ସଂକେତ ୮.୧୩ ମିଟରରେ ପ୍ରବାହିତ ହେଉଛି । ସତର୍କ ସଙ୍କେତ ୭.୨୧ମିଟର ରହିଛି । ଗତକାଲି ସନ୍ଧ୍ୟା ୭ଟା ରୁ ରାତ୍ରୀ ୧୧ ପର୍ଯ୍ୟନ୍ତ ୭.୩୪ ମିଟର ଜଳ ପ୍ରବାହିତ ହେଉଥିଲା । ବର୍ତ୍ତମାନ ଜଳସ୍ତର ସ୍ଥିର ରହିଛି । ବାଲେଶ୍ଵର ସହର ଠାରୁ ବାଇଞ୍ଚା ରାସ୍ତା ବିଚ୍ଛିନ୍ନ ରହିଥିବା ବେଳେ ସଦର ବ୍ଲକର ୪ଟି ପଞ୍ଚାୟତ ଜଳବନ୍ଦୀ ଅବସ୍ଥାରେ ରହିଛି । ଯାତାୟତରେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକେ ।
ସେପଟେ ରାଜ୍ୟରେ ୭ତାରିଖ ଯାଏଁ ଲଘୁଚାପ ବର୍ଷା ଲାଗି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ବିଶେଷ କରି ଉତ୍ତର ଓ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ୪ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । କଟକ, ଖୋର୍ଦ୍ଧା, ପୁରୀ ଓ ଜଗତସିଂହପୁର ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଏହା ସହ ପ୍ରବଳ ବର୍ଷା ପାଇଁ ୧୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।