ଭୁବନେଶ୍ୱର: ଆଜି ହେଉଛି ଗୁରୁ ଦିବସ । ଗୁରୁଙ୍କ ପାଇଁ ଉତ୍ସର୍ଗ ଦିନଟିଏ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସେହିପରି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଗୁରୁ ଦିବସ ଉପଲକ୍ଷେ ଶୁଭକାମନା ଜଣାଇଛନ୍ତି ।
ମୁଖ୍ୟମନ୍ତ୍ରୀ ସୋସିଆଲ୍ ମିଡିଆରେ ଏକ୍ସରେ ଶୁଭେଚ୍ଛା ବାର୍ତ୍ତାରେ କହିଛନ୍ତି, ଶିକ୍ଷା ହିଁ ପ୍ରଗତି । ଯେଉଁ ରାଷ୍ଟ୍ର ଯେତେ ଶିକ୍ଷିତ ସେହି ରାଷ୍ଟ୍ର ସେତେ ବିକଶିତ । ରାଜ୍ୟ ତଥା ରାଷ୍ଟ୍ରର ବିକାଶ ଓ ପ୍ରଗତି ନିମନ୍ତେ ଶିକ୍ଷାର ଗୁରୁତ୍ଵପୂର୍ଣ ଅବଦାନ ରହିଛି । ଏହି ମହତ୍ତ୍ୱପୂର୍ଣ ଦାୟିତ୍ଵ ସମ୍ପାଦନ କରିବାରେ ଶିକ୍ଷକମାନଙ୍କର ଗୁରୁଦାୟିତ୍ୱ ରହିଛି ।
ବିଦ୍ୟାର୍ଥୀମାନଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ସହିତ ସେମାନଙ୍କ ପାଇଁ ଶିକ୍ଷାର ଉପଯୁକ୍ତ ପରିବେଶ ସୃଷ୍ଟି କରିପାରିଲେ, ତାହା ହିଁ ହେବ ଜଣେ ଶିକ୍ଷକଙ୍କର ପ୍ରକୃତ ସାର୍ଥକତା । ପିଲାମାନଙ୍କ ଅନ୍ତର୍ନିହିତ ପ୍ରତିଭାର ବିକାଶର ଦାୟିତ୍ଵ ଶିକ୍ଷକମାନଙ୍କର । ସେଥିପାଇଁ ସେମାନଙ୍କୁ ‘ଗୁରୁ’ ଭାବରେ ସମ୍ମାନିତ କରାଯାଏ । ଏହି ଦାୟିତ୍ୱକୁ ଠିକ୍ ଭାବରେ ସମ୍ପାଦନ କରି ପିଲାମାନଙ୍କ ଉଜ୍ଜ୍ଵଳ ଭବିଷ୍ୟତ ଗଠନ ପାଇଁ ଶିକ୍ଷକମାନେ ଉଦ୍ୟମ ଅବ୍ୟାହତ ରଖିବେ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି ।
ସେହିପରି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଧାନ, ଦେଶର ପୂର୍ବତନ ରାଷ୍ଟ୍ରପତି ଏବଂ ପ୍ରସିଦ୍ଧ ଶିକ୍ଷାବିତ୍ 'ଭାରତ ରତ୍ନ' ଡକ୍ଟର ସର୍ବପଲ୍ଲୀ ରାଧାକୃଷ୍ଣନ ଜୀଙ୍କ ଜନ୍ମବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହିତ ସମସ୍ତ ଗୁଗୁଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ଗୁରୁମାନେ କେବଳ ଶିକ୍ଷାଦାନ କରିବାରେ ସୀମିତ ନୁହଁନ୍ତି, ବରଂ ସେମାନେ ଆମକୁ ଚିନ୍ତା କରିବାର ଦୃଷ୍ଟିକୋଣ, ଜୀବନଯାପନ କରିବାର କଳା ଏବଂ ରାଷ୍ଟ୍ର ପ୍ରତି ଦାୟିତ୍ୱବୋଧ ଶିଖାନ୍ତି। 'ଗୁରୁ ଦିବସ' ଅବସରରେ, ଶିକ୍ଷକମାନଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରିବା ଏବଂ ସେମାନଙ୍କ ଆଦର୍ଶକୁ ଜୀବନରେ ଗ୍ରହଣ କରିବାକୁ ପ୍ରତିଜ୍ଞା କରିବାକୁ ଆହ୍ୱାନ କରିଛନ୍ତି ।