ନୂଆଦିଲ୍ଲୀ: ଭାରତ ଓ ଆମେରିକା ମଧ୍ୟରେ ସମ୍ବନ୍ଧ ସଂପ୍ରତି ଅଦ୍ଭୁତପୂର୍ଣ୍ଣ ତିକ୍ତତା ସମୟ ଦେଇ ଗତି କରୁଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଭାରତୀୟ ଆମଦାନୀ ଉପରେ ଟାରିଫ ଲଗାଇବା ପରେ ଦୁଇ ଦେଶ ମଧ୍ୟରେ ଜାରି ବାଣିଜ୍ୟିକ ଆଲୋଚନା ଠପ୍ ହୋଇ ଯାଇଛି । ଏହା ମଧ୍ୟରେ ବାଇଡେନ ପ୍ରଶାସନ ସମୟରେ ପୂର୍ବତନ ଉଚ୍ଚପଦସ୍ଥ ଅଧିକାରୀ ତଥା ପୂର୍ବତନ ଜାତୀୟ ସୁରକ୍ଷା ପରାମର୍ଶଦାତା(ଏନଏସଏ) ଜେକ ସୁଲିଭନ ଏବଂ ପୂର୍ବତନ ଉପ ବୈଦେଶିକ ସଚିବ କର୍ଟ ଏମ କ୍ୟାମ୍ପବେଲ ଚେତାବନୀ ଦେଇଛନ୍ତି ଯେ, ଯଦି ବର୍ତ୍ତମାନର ସ୍ଥିତି ଜାରି ରହେ ତେବେ ୱାଶିଂଟନ ଏକ ଗୁରୁତ୍ୱପୂର୍ଣ୍ଣ ରଣନୈତିକ ଭାଗିଦାରୀ ଦେଶ ହରାଇପାରେ । ଏମିତି ହେଲେ ଚୀନକୁ ନବୀକରଣ କ୍ଷେତ୍ରରେ ବହୁତ ଫାଇଦା ମିଳିବ । ସେ ଚେତାବନୀ ଦେଇଛନ୍ତି ଯେ, ଭାରତର ତୁଳନା ପାକିସ୍ତାନ ସହ କରାଯିବା ଉଚିତ୍ ନୁହେଁ କାରଣ ଭାରତ ଆମକୁ ବହୁତ ଅଧିକ ଜରୁରୀ ।
ଫରେନ ଅଫାୟର୍ସ ମ୍ୟାଗଜିନରେ ଲେଖିଥିବା ନିଜର ଯୁଗ୍ମ ସଂପାଦକୀୟରେ ସୁଲିଭନ ଏବଂ କ୍ୟାମ୍ପବେଲ କହିଛନ୍ତି ଭାରତ-ଆମେରିକା ଭାଗିଦାରୀକୁ ଦୀର୍ଘ ସମୟରୁ ଦ୍ୱିଦଳୀୟ ସମର୍ଥନ ମିଳି ଆସିଛି । ଏହି ସଂପର୍କ ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ଚୀନର ମନମୁଖୀ କାର୍ଯ୍ୟକଳାପକୁ ହତୋତ୍ସାହିତ କରିବାରେ ମହତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ । ସେ ଆମେରିକୀୟ ସହଯୋଗୀଙ୍କୁ କହିଛନ୍ତି ଯେ, ସେମାନେ ଭାରତକୁ ବୁଝାନ୍ତୁ ଯେ, ରାଷ୍ଟ୍ରପତି ଟ୍ରମ୍ପଙ୍କ ନାଟକୀୟ ବୟାନବାଜିରେ ସର୍ବଦା କୌଣସି ଚୁକ୍ତିନାମା ରହିଥାଏ ।
ଦୁଇ ପୂର୍ବତନ ଅଧିକାରୀ ଲେଖିଛନ୍ତି ଟ୍ରମ୍ପ ପ୍ରଶାସନର ନୀତି ୫୦ ପ୍ରତିଶତ ଟାରିଫ, ରୁଷଠୁ ତେଲ କିଣିବା ଏବଂ ପାକିସ୍ତାନ ସହ ଉତ୍ତେଜନା ଦୁଇ ଦେଶର ସଂପର୍କକୁ ରସାତଳଗାମୀ କରାଇଛି । ନିକଟରେ ସାଂଘାଇ ସହଯୋଗ ସଂଗଠନ(ଏସସିଓ) ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ଓ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହିତ ହୋଇଥିବା ବୈଠକକୁ ନେଇ କହିଛନ୍ତି ଯଦି ଏମିତି ସ୍ଥିତି ଜାରି ରହେ ତେବେ ଆମେରିକା ଭାରତକୁ ପ୍ରତିଦ୍ୱନ୍ଦ୍ୱି ନଜରରେ ଆହୁରି ଦେଖିବ ।
ଓୁଲିଭନ ଓ କ୍ୟାମ୍ପବେଲ ଆମେରିକାକୁ ପରାମର୍ଶ ଦେଇଛନ୍ତି ଯେ, ଟ୍ରମ୍ପଙ୍କୁ ନିଜର ବିଦେଶ ନୀତିରେ ଭାରତ-ପାକିସ୍ତାନ ସହ ତୁଳନା କରନ୍ତୁ ନାହିଁ । ପାକିସ୍ତାନ ସହ ଆତଙ୍କବାଦର ମୁକାବିଲା ଓ ପରମାଣୁ ଅସ୍ତ୍ରଶସ୍ତ୍ର ପ୍ରସାର ରୋକିବା ପରି ମହତ୍ୱପୂର୍ଣ୍ଣ ଚିନ୍ତା ଆମେରିକାର ରହିଛି । କିନ୍ତୁ ଭାରତ ସହ ବହୁଗାମୀ ଏବଂ ଦୀର୍ଘକାଳୀନ ହିତକୁ ମହତ୍ୱ ଦେବା ଉଚିତ୍ ।
Also read: ହଠାତ୍ ଲକ୍ଷ ଲକ୍ଷ ଡଲାର ମୂଲ୍ୟର ପ୍ରକଳ୍ପରୁ ଓହରିଗଲା 'ଡ୍ରାଗନ୍'