ନୂଆଦିଲ୍ଲୀ: ଭାରତ ଓ ଆମେରିକା ସଂପର୍କରେ ଫାଟ ସୃଷ୍ଟି ହୋଇ ସାରିଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ୫୦ ପ୍ରତିଶତ ଟାରିଫ ଲଗାଇଛନ୍ତି, ଯାହାର ପ୍ରଭାବ ଦେଖିବାକୁ ମିଳିଲାଣି । ବାଣିଜ୍ୟ ଉପରେ ଟାରିଫର ସିଧା ପ୍ରଭାବ ପଡିଛି । ଏବେ କେନ୍ଦ୍ର ସରକାର ରପ୍ତାନକାରୀଙ୍କୁ ଆଶ୍ୱସ୍ତି ଦେବା ପାଇଁ ଏକ ସ୍ୱତନ୍ତ୍ର ପ୍ୟାକେଜ ଆଣି ପାରନ୍ତି । ଜିଏସଟି ଦରରେ ହ୍ରାସ ପରେ ଏବେ ସରକାର ରପ୍ତାନକାରୀଙ୍କୁ ଗୁଡ୍ ନ୍ୟୁଜ ଦେଇ ପାରନ୍ତି ।
ଟାରିଫ କାରଣରୁ ଭାରତର ଅନେକ ସେକ୍ଟର ପ୍ରଭାବିତ ହୋଇଛି । କପଡା, ଗହଣା ଓ ଆଭୂଷଣ ସହିତ ଅନେକ ସାମଗ୍ରୀ ଆମେରିକା ରପ୍ତାନୀ କରାଯାଉଥିଲା । ମାତ୍ର ଟାରିଫ ପରେ ରପ୍ତାନୀ ହ୍ରାସ ପାଇଛି । ଇଣ୍ଡିଆ ଟୁଡେର ରିପୋର୍ଟ ଅନୁଯାୟୀ, ସରକାର ଛୋଟ ଏବଂ ମଧ୍ୟମ ରପ୍ତାନୀକାରୀଙ୍କ ସାହାଯ୍ୟ ପାଇଁ ସ୍ପେଶାଲ ପ୍ୟାକେଜ ଆଣି ପାରନ୍ତି । ଏଥିରେ ଲିକ୍ୱିଡିଟି ସମସ୍ୟା ଦୂର କରିବା ପାଇଁ ଉଦ୍ୟମ କରାଯିବ ।
ଋିପୋର୍ଟ ଅନୁଯାୟୀ, ସରକାର ଚାହାନ୍ତି ଯେ ପର୍ଯ୍ୟନ୍ତ ରପ୍ତାନୀକାରୀଙ୍କୁ ଅନ୍ୟ ବଜାରର ବିକଳ୍ପ ନ ମିଳିଛି ସେ ପର୍ଯ୍ୟନ୍ତ ସେମାନେ ବିନା କୌଣସି ଚିନ୍ତା କରି ପୂର୍ବପରି ନିଜର ଉତ୍ପାଦନ ଜାରି ରଖନ୍ତୁ । ଏହା ସହିତ ସରକାର ସ୍ପେଶାଲ ପ୍ୟାକେଜ ଜରିଆରେ କର୍ମଚାରୀଙ୍କ ଚାକିରି ସୁରକ୍ଷିତ କରିବାକୁ ଚାହାନ୍ତି । ଚମଡା, ଜୋତା, ରସାୟନ, ଇଞ୍ଜିନିୟରିଂ ଉତ୍ପାଦ ଓ କୃଷି ସଂପର୍କିତ ସେକ୍ଟରରେ ଲକ୍ଷାଧିକ ଲୋକ କାମ କରୁଛନ୍ତି । ଏ ସମସ୍ତଙ୍କ ଆର୍ଥିକ ସୁରକ୍ଷାକୁ ଦୃଷ୍ଟିରେ ରଖି ସରକାର ଏହି ନିଷ୍ପତ୍ତି ନେବାକୁ ଯାଉଛନ୍ତି ।
ଋିପୋର୍ଟ ଅନୁଯାୟୀ, ଏହି ପ୍ୟାକେଜ କୋଭିଡ-୧୯ ସମୟରେ ଏମଏସଏମଇ ସେକ୍ଟରକୁ ଦିଆଯାଇଥିବା ୨୦ ଲକ୍ଷ କୋଟି ଟଙ୍କାର ରିଲିଫ ପ୍ୟାକେଜ ପରି ହୋଇପାରେ । କୋଭିଡ-୧୯ ମହାମାରୀ ସମୟରେ ସରକାର ଉଦ୍ୟୋଗକୁ ସାହାରା ଦେଇଥିଲେ । ଏବେ ପୁଣି ଥରେ ସେହି ଧରଣର ଯୋଜନା କରୁଛନ୍ତି କେନ୍ଦ୍ର ସରକାର । ସରକାର ଏକ୍ସପୋର୍ଟ ପ୍ରମୋଶନ ମିଶନ ପରି କାମ କରୁଛନ୍ତି । ଏହାର ଘୋଷଣା ବଜେଟ୍ ସମୟରେ କରାଯାଇଥିଲା ।