ନୂଆଦିଲ୍ଲୀ: ଭାରତ ସରକାର ତତ୍କାଳ ପଦକ୍ଷେପ ନେଇ ଅଷ୍ଟ୍ରେଲିଆର ଅର୍ଥଶାସ୍ତ୍ରୀ ଗୁନ୍ଥର ଫେହଲିଙ୍ଗର ୟାହ୍ନଙ୍କ ସୋସିଆଲ ମିଡିଆ ଆକାଉଣ୍ଟକୁ ବ୍ଲକ କରିଛନ୍ତି । ଫେହଲିଙ୍ଗର ନିକଟରେ ଏକ ବିବାଦୀୟ ପୋଷ୍ଟ କରିଥିଲେ । ସେ ଭାରତକୁ ଖଣ୍ଡ ଖଣ୍ଡ କରିବାକୁ ଅପିଲ୍ କରିଥିଲେ । ଏହା ସହ ଖାଲିସ୍ତାନର ମାନଚ୍ଚିତ୍ର ମଧ୍ୟ ସେୟାର କରିଥିଲେ ।
ସେ ଲେଖିଥିଲେ, ମୁଁ ଭାରତକୁ ଖଣ୍ଡ ଖଣ୍ଡ କରି ଏକ୍ସ ଇଣ୍ଡିଆ କରିବାକୁ ଆହ୍ୱାନ କରୁଛି । ନରେନ୍ଦ୍ର ମୋଦୀ ରୁଷର ଲୋକ । ଆମକୁ ଖାଲିସ୍ତାନଙ୍କ ସ୍ୱାଧୀନତା ପାଇଁ ମିତ୍ରଙ୍କ ଆବଶ୍ୟକତା ରହିଛି । ଗୃହ ମନ୍ତ୍ରଣାଳୟ ଓ ଇଲେକ୍ଟ୍ରୋନିକ୍ସ ଆଣ୍ଡ ସୂଚନା ପ୍ରଦୌଗିକି ମନ୍ତ୍ରଣାଳୟ ଏହି ପୋଷ୍ଟକୁ ଗମ୍ଭୀରତା ସହ ଗ୍ରହଣ କରି ଉକ୍ତ ଆକାଉଣ୍ଟକୁ ଭାରତରେ ବନ୍ଦ କରିବାକୁ ଏକ୍ସକୁ ନିର୍ଦ୍ଦେଶ ଦେଇଥିଲେ । ଏହା ପରେ ଭାରତରେ ଏହି ଆକାଉଣ୍ଟକୁ ସସପେଣ୍ଡ କରି ଦିଆଯାଇଛି ।
ଗୁନ୍ଥର ଫେହଲିଙ୍ଗର ୟାହ୍ନ ଅଷ୍ଟ୍ରିୟନ କମିଟି ଫର ନାଟୋ ମେମ୍ବରସିପ ଅଫ ୟୁକ୍ରେନ, କୋସୋଭୋ, ବୋସନିଆ ଓ ଅଷ୍ଟ୍ରିଆର ଅଧ୍ୟକ୍ଷ । ସେ ଦକ୍ଷିଣ ବାଲକନ୍ସର ରିଜିଓନାଲ ଇକୋନୋମିକ୍ସ ଇଣ୍ଟିଗ୍ରେସନ ଆକ୍ସନ ଗ୍ରୁପର ବୋର୍ଡ ସଦସ୍ୟ ମଧ୍ୟ ଅଛନ୍ତି ।
ଯେବେ ବୈଦେଶିକ ମନ୍ତ୍ରଣାଳୟକୁ ପଚରାଗଲା ଯେ, କଣ ଏହି ପ୍ରସଙ୍ଗକୁ ଭିଏନା ସ୍ଥିତ ଅଷ୍ଟ୍ରିଆ ସରକାରଙ୍କ ସମ୍ମୁଖରେ ଉଠାଯିବ । ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀ କହିଛନ୍ତି, ତାଙ୍କୁ ଏତେ ଗୁରୁତ୍ୱ କାହିଁକି ଦେବା ? ସେ ଜଣେ ପାଗଳ ବ୍ୟକ୍ତି । କୌଣସି ସରକାରୀ ପଦରେ ନାହାନ୍ତି ।
ଫେହଲିଙ୍ଗରଙ୍କ ଏହି ପୋଷ୍ଟ ପରେ ଭାରତୀୟ ୟୁଜର୍ସ କଡା ପ୍ରତିକ୍ରିୟା ଦେଇଛନ୍ତି । ଅନେକ ଏହାକୁ ଭାରତର ସାର୍ବଭୌମତ୍ୱ ଏବଂ ଏକତା ଉପରେ ହମଲା ବୋଲି କହିଛନ୍ତି । ଉଲ୍ଲେଖନୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୨୪ ଜୁଲାଇରେ ଅଷ୍ଟ୍ରିଆର ଐତିହାସିକ ଗସ୍ତ କରିଥିଲେ । କୌଣସି ଭାରତୀୟ ପ୍ରଧାନମନ୍ତ୍ରୀ ୪୧ ବର୍ଷ ପରେ ପ୍ରଥମ ଅଷ୍ଟ୍ରିଆ ଗସ୍ତ କରିଥିଲେ ।