ନୂଆଦିଲ୍ଲୀ: ଆଜି ହେଉଛି ଗୁରୁ ଦିବସ । ଏହି ଅବସରରେ ନୂଆଦିଲ୍ଲୀସ୍ଥିତ ବିଜ୍ଞାନ ଭବନରେ ଜାତୀୟ ଶିକ୍ଷକ ସମ୍ମାନ ପ୍ରଦାନ କରାଯାଇଛି । ଦେଶର ବିଭିନ୍ନ ଶିକ୍ଷାନୁଷ୍ଠାନର ମୋଟ ୪୫ ଶିକ୍ଷକଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ମାନୀତ କରିଛନ୍ତି । ସମ୍ମାନୀତ ୪୫ ଜଣଙ୍କ ମଧ୍ୟରେ ୨୪ ପୁରୁଷ ଏବଂ ୨୧ ଜଣ ମହିଳା ଶିକ୍ଷକ ଅଛନ୍ତି । ଏଥିରେ ଓଡ଼ିଶାର ୨ ଜଣ ଶିକ୍ଷକଙ୍କୁ ଜାତୀୟ ଶିକ୍ଷକ ସମ୍ମାନ-୨୦୨୫ ପ୍ରଦାନ କରାଯାଇଛି । ମାଲକାନଗିରି କୋଣ୍ଡେଲ ନିୟୁ ହାଇସ୍କୁଲର ଶିକ୍ଷକ ବସନ୍ତ ରଣା ଏବଂ କୋରାପୁଟ ପିଏମଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟର ଶିକ୍ଷକ ତରୁଣ ଦାଶ । ଏହି ଅବସରରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।
ଏହି ଅବସରରେ ରାଷ୍ଟ୍ରପତି ଶିକ୍ଷକମାନଙ୍କୁ ସମ୍ବୋଧିତ କରି କହିଛନ୍ତି ଯେ ସମ୍ମାନୀତ ହୋଇଥିବା ଶିକ୍ଷକଙ୍କ ମଧ୍ୟରୁ ସହରୀ ଶିକ୍ଷକଙ୍କ ତୁଳନାରେ ଗ୍ରାମୀଣ ଶିକ୍ଷକଙ୍କ ସଂଖ୍ୟା ଅଧିକ ରହିଛି । ଡାକ୍ତର ସର୍ବପଲ୍ଲୀ ରାଧାକ୍ରୀଷ୍ଣନ ଚାହୁଁଥିଲେ ଯେ ଦେଶବାସୀ ତାଙ୍କୁ ଶିକ୍ଷକଭାବରେ ମନରେ ରଖନ୍ତୁ । ଶିକ୍ଷକଙ୍କୁ ସମ୍ମାନ ଦିଆଯିବା ଭଳି ତାଙ୍କର ଉଚ୍ଚକୋଟୀର ଚିନ୍ତାଧାରାକୁ ରାଷ୍ଟ୍ରପତି ପ୍ରଣାମ କରିଛନ୍ତି । ଖାଦ୍ୟ, ବସ୍ତ୍ର ଏବଂ ବାସଗୃହ ଭଳି ଶିକ୍ଷା ବି ବହୁତ ଜରୁରୀ ଅଟେ । ଏହି ଅବସରରେ ରାଷ୍ଟ୍ରପତି ନିଜର ଶିକ୍ଷକତା ଜୀବନକୁ ମନେ ପକାଇଥିଲେ । ଶିକ୍ଷକଙ୍କ ଗହଣରେ ଆସିଲେ ତାଙ୍କ ଶିକ୍ଷକତା ଜୀବନ ମନେ ପଡ଼ିଯାଏ ।
ରାଷ୍ଟ୍ରପତି କହିଛନ୍ତି, ଶିକ୍ଷା ବ୍ୟକ୍ତିକୁ ସକ୍ଷମ ବନାଇଥାଏ । ଦୁର୍ବଳରୁ ଅତି ଦୁର୍ବଳ ପିଲାକୁ ଶିକ୍ଷା ଆକାଶରେ ପହଁଚାଇ ଥାଏ । ପ୍ରାଚୀନ କାଳରେ ଭାରତକୁ ଶିକ୍ଷାର ଭୂସ୍ଵର୍ଗ କୁହାଯାଉଥିଲା । ଯଥା ସମ୍ଭବ ଭଲରୁ ଭଲ ଆଚରଣର ଉଦାହରଣ ବିଦ୍ୟାର୍ଥୀଙ୍କ ପାଇଁ ସୃଷ୍ଟି କରିବା ଜଣେ ଶିକ୍ଷକଙ୍କ କର୍ତ୍ତବ୍ୟ ଅଟେ । ବିଦ୍ୟାର୍ଥୀଙ୍କ ଚରିତ୍ର ନିର୍ମାଣ କରିବା ଶିକ୍ଷକଙ୍କ ମୁଖ୍ୟ କର୍ତ୍ତବ୍ୟ । ଜଣେ ଭଲ ଶିକ୍ଷକଙ୍କ ଚରିତ୍ର ହେଉଛି ଭାବନା ଏବଂ ବୁଦ୍ଧିର ସମନ୍ୱୟ, ଯାହାର ପ୍ରଭାବ ବିଦ୍ୟାର୍ଥୀଙ୍କ ଉପରେ ପଡ଼ିଥାଏ ବୋଲି ରାଷ୍ଟ୍ରପତି କହିଛନ୍ତି ।
ଏହି ଅବସରରେ ରାଷ୍ଟ୍ରପତି ଝିଅଙ୍କ ଶିକ୍ଷା ଉପରେ ଗୁରୁତ୍ୱାରୋପ କରିବା ସହିତ ସାବିତ୍ରୀ ବାଇ ଫୁଲେଙ୍କୁ ମଧ୍ୟ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।