ବାଲେଶ୍ୱର : ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ଜଳକା ନଦୀର ଜଳସ୍ତର ବଢୁଛି । ମଥାନୀ ଠାରେ ସତର୍କ ସଙ୍କେତ ୬.୦୦ ମିଟର ରହିଥିବା ବେଳେ ଗୁରୁବାର ସକାଳ ୬ଟା ସୁଦ୍ଧା ଜଳସ୍ତର ବୃଦ୍ଧି ପାଇ ୬.୩୨ ମିଟର ରେ ପ୍ରବାହିତ ହେଉଛି ।
ଗତ ତିନି ଦିନ ହେବ ବସ୍ତା ସମେତ ନଦୀର ଉପରମୁଣ୍ଡରେ ରାସଗୋବିନ୍ଦପୁର, ମୋରଡ଼ା, ଶୁଳିଆପଦା, ଚିତ୍ରଡା ପ୍ରଭୃତି ଅଞ୍ଚଳରେ ପ୍ରବଳ ବର୍ଷା କାରଣରୁ ଜଳସ୍ତର ବଢୁଛି । ନଦୀର ଜଳସ୍ତର ବୃଦ୍ଧି ପାଉଥିବାରୁ ବନ୍ୟା ପରିସ୍ଥିତି ସୃଷ୍ଟି ହେବର ଆଶଙ୍କା କରାଯାଉଛି । ଯଦି ବନ୍ୟା ହୁଏ ତାହାଲେ ବସ୍ତା ବ୍ଲକର ୧୦ ପଞ୍ଚାୟତ ମଥାନୀ, ବାହାର୍ଦା, କୁଡିଆ, ଦୁଧ ହଂସା, ବାସି ଚକୁରାଇ, ଦରଡା, ମୁକୁଳିସି, ସଦନନ୍ଦପୁର, ବ୍ରାହ୍ମୁଣଦା, ବରୁଣଗଡିଆ ଏବଂ ସଦର ବ୍ଲକର ୨ ଟି ପଞ୍ଚାୟତ ଶ୍ରୀରାମପୁର ଓ ରସଲପୁର ପଞ୍ଚାୟତ ପ୍ରଭାବିତ ହେବା ଆଶଙ୍କା କରାଯାଉଛି ।
ସେପଟେ ରାଜ୍ୟରେ ୭ତାରିଖ ଯାଏଁ ଲଘୁଚାପ ବର୍ଷା ଲାଗି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ବିଶେଷ କରି ଉତ୍ତର ଓ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ୪ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । କଟକ, ଖୋର୍ଦ୍ଧା, ପୁରୀ ଓ ଜଗତସିଂହପୁର ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଏହା ସହ ପ୍ରବଳ ବର୍ଷା ପାଇଁ ୧୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।