ନୂଆଦିଲ୍ଲୀ: ଜଣେ ବିଚାରପତିଙ୍କୁ ଜୀବନରୁ ମାରି ଦେବାକୁ ମିଳିଛି ଖୋଲାଖୋଲି ଧମକ । ମଧ୍ୟପ୍ରଦେଶର ଜଣେ ମହିଳା ବିଚାରପତିଙ୍କ ନିକଟକୁ ଧମକପୂର୍ଣ୍ଣ ଚିଠି ଆସିଛି । ଚିଠିରେ ତାରିଖ, ସମୟ ଏବଂ ସ୍ଥାନ ଉଲ୍ଲେଖ ରହିଛି । ଯଦି ବଞ୍ଚିବାକୁ ଚାହଁ ତେବେ ୫୦୦ କୋଟି ଟଙ୍କା ନେଇ ଜଙ୍ଗଲକୁ ଆସିବାକୁ କୁହାଯାଇଛି ।
ରୀୱା ଜିଲ୍ଲାର ସୋହାଗୀ ଥାନା ଅନ୍ତର୍ଗତ ତ୍ୟୋଥର କୋର୍ଟରେ ବିଚାରପତିଭାବେ କାର୍ୟ୍ୟ କରୁଥିବା ମୋହିନୀ ଭଦୌରିଆ ଡାକ ମାଧ୍ୟମରେ ଏକ ଚିଠି ପାଇଥିଲେ । ଚିଠି ଖୋଲି ପଢ଼ିବା ପରେ ତାଙ୍କ ପାଦ ତଳୁ ମାଟି ଖସି ଯାଇଥିଲା । ତାଙ୍କୁ ହତ୍ୟା ଧମକ ମିଳିଛି । ୫୦୦ କୋଟି ଟଙ୍କା ନେଇ ଉତ୍ତର ପ୍ରଦେଶ-ମଧ୍ୟ ପ୍ରଦେଶ ସୀମାରେ ଥିବା ବଡ଼ଗଡ଼ ଜଙ୍ଗଲକୁ ସେପ୍ଟେମ୍ବର ୧ ତାରିଖରେ ସନ୍ଧ୍ୟା ୭ଟା ୪୫ରେ ପହଁଚିବାରୁ କୁହାଯାଇଥିଲା । ଏ ନେଇ ବିଚାପପତି ମୋହିନୀ ଭଦୌରିଆ ସୋହାଗୀ ଥାନାର ଦ୍ୱାରସ୍ଥ ହୋଇଛନ୍ତି ।
ଏହି ମାମଲାରେ ସୋହାଗି ପୋଲିସ ଷ୍ଟେସନରେ ଏକ ଅଭିଯୋଗ ଦାଖଲ କରାଯାଇଛି, ଯେଉଁଠାରେ ପୋଲିସ ଅଭିଯୁକ୍ତଙ୍କ ବିରୁଦ୍ଧରେ ଧାରା ୩୦୮ (୪) ବିଏନଏସ ଅନୁଯାୟୀ ଏକ ମାମଲା ରୁଜୁ କରିଛି। ପୋଲିସ ଯାଞ୍ଚରୁ ଜଣାପଡ଼ିଛି ଯେ ଉତ୍ତର ପ୍ରଦେଶ ପ୍ରୟାଗରାଜ ଜିଲ୍ଲାର ବାରା ଥାନା ଅନ୍ତର୍ଗତ ଲୋହଗାରାର ବାସିନ୍ଦା ସନ୍ଦୀପ ସିଂହ ଲେଖିଥିବା ଜଣାପଡ଼ିଛି । ସେ ନିଜକୁ ହନୁମାନ ଗ୍ୟାଙ୍ଗର ଜଣେ ଡକାୟତ ବୋଲି ଚିଠିରେ କହିଥିଲା । ଅଭିଯୁକ୍ତକୁ ଚିହ୍ନଟ କରାଯାଇଥିବାବେଳେ ଖୁବ ଶୀଘ୍ର ଗିରଫ କରାଯିବା ନେଇ ପୋଲିସ ସୂଚନା ପ୍ରଦାନ କରିଛି ।