ଭୁବନେଶ୍ଵର: ଚଳିତ ବର୍ଷ ଦୁର୍ଗାପୂଜାରେ ଅନେକ କଟକଣା ଜାରି କରାଯାଇଛି । ଏବେ ପୂଜା କମିଟିଗୁଡ଼ିକ ଉପରେ ଆଉ ଏକ କଟକଣା ପୁଣି ଲଗାଯାଇଛି । ଏଥର ରାଜଧାନୀ ମେଲୋଡ଼ିରେ ଆଉ ଦେଖିବାକୁ ମିଳିବନି ଅଶ୍ଳୀଳ ନୃତ୍ୟ । ଏଥିପାଇଁ ଗୁରୁବାର ବସିଥିବା ଭୁବନେଶ୍ୱର ମହାନଗର ନିଗମ ବୈଠକରେ ନିଷ୍ପତ୍ତି ନିଆଯାଇଛି ।
ଦୁର୍ଗାପୂଜା ପାଇଁ ଆଜି ବିଏମସି କମିଶନର ଚଞ୍ଚଳ ରାଣାଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋକଚନା ହୋଇଛି । ଦୁର୍ଗା ପୂଜା ମେଲୋଡିରେ ଅଶ୍ଳୀଳ ନୃତ୍ୟ ପରିବେଶଣକୁ ଉପରେ କଟକଣା ଜାରି କରାଯାଇଛି । ସେହିପରି ପାର୍କିଂ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦିଆଯାଇଛି । ଯଦି ପାର୍କିଂ ସୁବିଧା ନ ଥିବ ତାହା ହେଲେ ପୂଜା କମିଟି ଗୁଡ଼ିକୁ ମୀନା ବଜାର କିମ୍ବା ରାବଣ ପୋଡ଼ି ପାଇଁ ଅନୁମତି ପ୍ରଦାନ କରାଯିବ ନାହିଁ । ସେହିପରି ଆଉ ଏକ ନିଷ୍ପତ୍ତି ହେଲା ପୂଜା ପେଣ୍ଡାଲରେ ନିଶା ନିବାରଣ ସଚେତନତା ଜାଗ୍ରତ କରାଯିବ । ପୋଲିସ ବିଭାଗ ନିଶା ନିବାରଣ ପାଇଁ ସଚେତନତା ଵାର୍ତ୍ତା ଦେବ ।
ସେହିପରି ପୂଜା ପୂର୍ବରୁ ବିଦ୍ୟୁତ ଖୁଣ୍ଟ ଓ ତାର ମରାମତିକୁ ତ୍ୱରିତ ପର୍ଯ୍ୟାୟରେ ଶେଷ କରିବା ସହିତ ରାସ୍ତା ମରାମତି ପାଇଁ ପୂର୍ତ୍ତ ବିଭାଗକୁ ବିଏମସି କମିଶନର ତାଗିଦ କରିଛନ୍ତି । ରାସ୍ତା ମରାମତି ପାଇଁ ପ୍ରତି ୱାର୍ଡକୁ ପାଞ୍ଚ ଲକ୍ଷ୍ୟ ଟଙ୍କା ପ୍ରଦାନ କରାଯାଇଛି । ଏହା ସହିତ ପେଣ୍ଡାଲ ନିକଟରୁ ବୁଲା କୁକୁରଙ୍କୁ ମଧ୍ୟ ହଟାଇବାକୁ ବ୍ୟବସ୍ଥା କରାଯିବ । ବୈଠକରେ ମେୟର ସୁଲୋଚନା ଦାସ, ବିଭିନ୍ନ ୱାର୍ଡର କର୍ପୋରେଟର, ପୋଲିସ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।
ଏଠାରେ ଉଲ୍ଲେଖ ଯୋଗ୍ୟ, ଆସନ୍ତା ସେପ୍ଟେମ୍ବର ୨୦ ସୁଦ୍ଧା ଟୁଇନ୍ ସିଟିରେ ସମସ୍ତ ରାସ୍ତା ମରାମତି କାମ ସାରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ପୂର୍ତ୍ତବିଭାଗ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ।