ଭୁବନେଶ୍ୱର: ପୋଲିସ ହେପାଜତରୁ ଜଣେ ଅଭିଯୁକ୍ତ ଫେରାର ହୋଇଯାଇଛି । ଶୌଚାଳୟର ସ୍କାଏଲାଇଟ୍ ଭାଙ୍ଗି ଜଣେ ଅଭିଯୁକ୍ତ ଫେରାର ହୋଇଯାଇଛି । ରାଜଧାନୀ ଭୁବନେଶ୍ୱର ଉପକଣ୍ଠରେ ଥିବା ବାଲିପାଟଣା ଥାନାରେ ଏଭଳି ଘଟଣା ଘଟିଛି । ତେବେ ପ୍ରାୟ ୩ ଘଣ୍ଟା ପରେ ପୋଲିସ ଅଭିଯୁକ୍ତକୁ ଗିରଫ କରିଛି । ଅଭିଯୁକ୍ତ ଜଣକ ହେଲା ବାଲିପାଟଣା ଥାନା ଗଡ଼ବନ୍ତପୁର ଗ୍ରାମର ଦେବବ୍ରତ ଜେନା ଓରଫ ଦେବା (୨୯) ।
ମିଳିଥିବା ସୂଚନା ଅନୁସାରେ, ଦେବବ୍ରତ ଜେନାଙ୍କ ବିରୋଧରେ ତାଙ୍କ ପତ୍ନୀ ବାଲିପାଟଣା ଥାନାରେ ଅଭିଯୋଗ କରିଥିଲେ । ପୋଲିସ ଦେବବ୍ରତକୁ ଗିରଫ କରି ଆଜି କୋର୍ଟ ଚାଲାଣ କରିବାକୁ ପ୍ରକ୍ରିୟା ଆରମ୍ଭ କରିଥିଲା । ମଧ୍ୟାହ୍ନ ୧୨ଟାରେ ସମୟରେ କୋର୍ଟରେ ହାଜର କରିବା ପୂର୍ବରୁ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ବାଲିପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା । ତାଙ୍କର ପରୀକ୍ଷା ପାଇଁ ନମୁନା ସଂଗ୍ରହ କରିବାକୁ ଡାକ୍ତର କହିବାରୁ ସେ ଶୌଚାଳୟକୁ ଯାଇଥିଲେ । ଏହି ସମୟରେ ଶୌଚାଳୟ ସ୍କାଏଲାଇଟ ଭାଙ୍ଗି ଦେବବ୍ରତ ଚମ୍ପଟ୍ ମାରିଥିଲା ।
ଶୌଚାଳୟରୁ ବାହାରିବାରେ ବିଳମ୍ବ ହେବାରୁ ପୋଲିସ କବାଟ ତାଡ଼ି ଭିତରକୁ ପଶିଥିଲେ । କିନ୍ତୁ ଦେବବ୍ରତ ଆଉ ନ ଥିଲା । ପରେ ବହୁତ ଖୋଜାଖୋଜି କରିବା ପରେ କୁଶଭୁଦ୍ରା ନଦୀ ପଠାରୁ ଦେବବ୍ରତକୁ ଧରିବାରେ ପୋଲିସ ଟିମ୍ ସଫଳ ହୋଇଥିଲା । ତା ନାଁରେ ପୂର୍ବରୁ ମଧ୍ୟ ଏକାଧିକ ମାମଲା ଥିବା ଜଣାପଡ଼ିଛି ।