ମହାନଦୀର ଜଳସ୍ତର ବଢିବ, ହେଲେ ବନ୍ୟା ଆସିବନି । ଏନେଇ ଜଳ ସମ୍ପଦ ବିଭାଗର ସବୋର୍ଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢୀ ସୂଚନା ଦେଇଛନ୍ତି । ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବଢିଛି, ଏହି ଜଳସ୍ତର ବଢିଲେ ବି ବର୍ତ୍ତମାନ ମହାନଦୀରେ ବନ୍ୟା ଆସିବନି ବୋଲି ସେ କହିଛନ୍ତି । ଏହାରି ଭିତରେ ହୀରାକୁଦ ଜଳଭଣ୍ଡାର ରୁ ଆଉ ୪ ଟି ଗେଟ ଖୋଲାଯାଇଛି । ପ୍ରଥମରୁ ୧୦ ଟି ଗେଟ ଖୋଲା ଯାଇଥିବା ବେଳେ ଏବେ ମୋଟ ୧୪ ଟି ଗେଟ ଦେଇ ହୀରାକୁଦ ଜଳଭଣ୍ଡାର ରୁ ଜଳ ନିଷ୍କାସନ କରାଯାଉଛି । ବର୍ତ୍ତମାନ ଏବେ ହୀରାକୁଦ ଜଳଭଣ୍ଡାର ର ୬୨୬.୩୩ ଫୁଟ ଜଳସ୍ତର ରହିଥିବା ବେଳେ ପ୍ରତି ସେକେଣ୍ତରେ ୨ ଲକ୍ଷ ୧୦ ହଜାର ୪୧୭ କ୍ୟୁଶେଷ ଜଳ ଜଳଭଣ୍ଡାରକୁ ପ୍ରବେଶ କରୁଛି । ଅନ୍ୟପକ୍ଷରେ ୧ ଲକ୍ଷ ୯୭ ହଜାର ୮୫୬ କ୍ୟୁଶେଷ ଜଳ ପ୍ରତି ସେକେଣ୍ଡ ରେ ୧୪ ଗେଟ ଦେଇ ହୀରାକୁଦ ଜଳଭଣ୍ଡାର ରୁ ନିଷ୍କାସନ କରାଯାଉଛି।
ଅନ୍ୟପଟେ ଗତ ୩ ମାସ ଭିତରେ ବୈତରଣୀରେ ତୃତୀୟ ଥର ପାଇଁ ବନ୍ୟା ଆସିଥିବା ନେଇ ସବୋର୍ଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢୀ ସୂଚନା ଦେଇଛନ୍ତି । ୧୪ ବ୍ଲକ୍ରେ ୧୦୦ ମିମିରୁ ଅଧିକ, ୪୨ ବ୍ଲକ୍ରେ ୫୦ ମିମିରୁ ଅଧିକ ବର୍ଷା ହୋଇଛି। ଉପର ମହାନଦୀ, ବୈତରଣୀ, ବୁଢାଵଳଙ୍ଗରେ ବହୁତ ବର୍ଷା ହୋଇଛି । କେବଳ ବୈତରଣୀରେ ଛୋଟ ବନ୍ୟା ଅଛି ବୋଲି ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି। ବିପଦ ସଂକେତର ୦.୫ମି ଉପରେ ଆଖୁଆପଦାରେ ବୈତରଣୀ ପ୍ରବାହିତ ହେଉଛି । ଏଥିପାଇଁ ଜିଲ୍ଲା ପ୍ରଶାସନ ପୂରା ସତର୍କ ରହିଛି, ଜଳକା ସତର୍କ ସଙ୍କେତ ଉପରେ ରହିଥିବା ସେ ସୂଚନା ଦେଇଛନ୍ତି ।