ଭୁବନେଶ୍ଵର: ଅଙ୍ଗନୱାଡ଼ି କେନ୍ଦ୍ରଗୁଡ଼ିକୁ ବିଦ୍ୟାଳୟ ସହିତ ମିଶ୍ରଣ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ବର୍ତ୍ତମାନ ସମସ୍ତ ଅଙ୍ଗନବାଡ଼ିକୁ ବିଦ୍ୟାଳୟରେ ମିଶାଇବା ସମ୍ଭବ ନୁହେଁ ବୋଲି କହିଛନ୍ତି ମନ୍ତ୍ରୀ ଶ୍ରୀଯୁକ୍ତ ଗଣ୍ଡ ।
ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି ଯେ ଶିଶୁବାଟିକା ୩କୁ ବିଦ୍ୟାଳୟରେ ସାମିଲ କରାଯାଇଅଛି। ଏବେ ବି ଶିଶୁବାଟିକା ୧ ଓ ୨ ଅଙ୍ଗନୱାଡ଼ି କେନ୍ଦ୍ରରେ ଅଛି । ବର୍ତ୍ତମାନ ପରିପ୍ରେକ୍ଷୀରେ ସବୁ ଅଙ୍ଗନୱାଡି ବନ୍ଦ କରି ସ୍କୁଲରେ ସାମିଲ କକିବା ସମ୍ଭବ ନୁହେଁ । ପ୍ରାରମ୍ଭିକ ଭାବେ ସ୍କୁଲରେ ଶିଶୁ ବାଟିକା ୩ ଆରମ୍ଭ ହେବ। ୫ ବର୍ଷ ବୟସ ପରେ ପିଲା ଶିଶୁ ବାଟିକା ୩ରେ ନାମ ଲେଖାଇବେ । ୪୫ ହଜାର ସ୍କୁଲରେ ଶିଶୁ ବାଟିକା ୩ ଖୋଲାଯାଇଛି । ସବୁ ସ୍କୁଲରେ ଶିଶୁ ସେବିକା ଖୋଲିବା ପାଇଁ ନିଷ୍ପତ୍ତି ହୋଇଛି । ପରବର୍ତ୍ତୀ ସମୟରେ ନିର୍ଦ୍ଦେଶ ଆସିଲେ ଶିଶୁ ବାଟିକା ୧ ଓ ୨କୁ ବିଦ୍ୟାଳୟରେ ସାମିଲ କରାଯିବ । ସବୁ ଅଙ୍ଗନୱାଡି ସାମିଲ ହେଲେ ତାହାର ଭିତ୍ତିଭୂମିର ଆବଶ୍ୟକତା ରହିଥିବା କହିଛନ୍ତି ମନ୍ତ୍ରୀ ।
ସେହିପରି ଓଟିଇଟି ପ୍ରସଙ୍ଗରେ ମଧ୍ୟ ମନ୍ତ୍ରୀ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ସୁପ୍ରିମକୋର୍ଟଙ୍କ ରାୟକୁ ବିଭାଗ ବିଚାର କରୁଛି । ରାଜ୍ୟରେ ଅନେକ ଶିକ୍ଷକ ଅଛନ୍ତି ଯେଉଁମାନେ ୨୦୧୧ ପୂର୍ବରୁ ନିଯୁକ୍ତି ପାଇଥିଲେ। ସେତେବେଳେ ଓଟିଇଟି ନଥିଲା । ତେଣୁ କ’ଣ କରାଯାଇ ପାରିବ ତର୍ଜମା ଚାଲିଛି । ରିଭ୍ୟୁ ପିଟିସନ କରାଯିବ କି ନାହିଁ ତାହାର ମଧ୍ୟ ବିଚାରଚାଲିଛି । ଅନ୍ୟ ରାଜ୍ୟ କ’ଣ କରୁଛନ୍ତି ତାହାକୁ ସରକାର ତର୍ଜମା କରୁଛନ୍ତି । ରାଜ୍ୟରେ ପ୍ରାୟ ୭୫ ହଜାର ଶିକ୍ଷକ ଓଟିଇଟି ପରୀକ୍ଷା ଦେଇ ନାହାନ୍ତି । ସରକାର ଶିକ୍ଷକଙ୍କ ସ୍ୱାର୍ଥକୁ ଦେଖୁଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି ।