ନୂଆଦିଲ୍ଲୀ: ନୂଆଦିଲ୍ଲୀରେ ଜିଏସଟି କାଉନସିଲ୍ ବୈଠକ ଅନୁଷ୍ଠିତ ହୋଇଯାଇଛି । ଚଳିତ ଜିଏସଟି ବୈଠକରେ କେନ୍ଦୁପତ୍ର ତୋଳାଳୀଙ୍କ ପାଇଁ ଖୁସିର ଖବର ଆଣିଦେଇଛି । କେନ୍ଦୁପତ୍ର ଉପରେ ଜିଏସଟି ୧୮ ପ୍ରତିଶତରୁ ୫ ପ୍ରତିଶତକୁ ହ୍ରାସ ହୋଇଛି । ଏ ନେଇ ନୂଆଦିଲ୍ଲୀରେ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
ମୁଖ୍ୟମନ୍ତ୍ରୀ ଗୁରୁବାର କହିଛନ୍ତି, ଓଡ଼ିଶା କେନ୍ଦୁପତ୍ର ଉପରେ ମୁଖ୍ୟ ରାଜ୍ୟ ଅଟେ । କେନ୍ଦୁପତ୍ର ଉପରେ ଜିଏସଟି ୫ ପ୍ରତିଶତକୁ ହ୍ରାସ କରାଯାଇଛି । ପୂର୍ବରୁ କେନ୍ଦୁପତ୍ର ଉପରେ ୧୮ ପ୍ରତିଶତ ଜିଏସଟି ଲାଗୁ ହୋଇଥିଲା । ଏହା ଦ୍ୱାରା ଓଡ଼ିଶାର କେନ୍ଦୁପତ୍ର ତୋଳାଳି ଉପକୃତ ହେବା ସହିତ କେନ୍ଦୁପତ୍ର ବିକ୍ରି ବଢ଼ିବ । ଉପାର୍ଜନ ବଢ଼ିବା ସହିତ ତୋଳାଳିମାନେ ଉଚିତ ମୂଲ୍ୟ ପାଇପାରିବେ । ଯେଉଁମାନେ କେନ୍ଦୁପତ୍ର ବ୍ୟବସାୟ କରୁଛନ୍ତି, ସେମାନେ ମଧ୍ୟ କେନ୍ଦୁପତ୍ର ତୋଳାଳିଙ୍କୁ ଠିକ୍ ସମୟରେ ପ୍ରାପ୍ୟ ଦେଇପାରିବେ । ସେହିପରି କୃଷି ଉପକରଣରେ ଜିଏସଟି ହ୍ରାସ ଚାଷୀଙ୍କ ଖର୍ଚ୍ଚକୁ ମଧ୍ୟ କମାଇବ । କୋଇଲା କ୍ଷେତ୍ରରେ ଓଡ଼ିଶାକୁ ଅଧିକ ଲାଭ ମିଳିବ । ଜିଏସଟି ସଂସ୍କାର ଦ୍ୱାରା ମଧ୍ୟବିତ୍ତ ଏବଂ ନିମ୍ନ ମଧ୍ୟବିତ୍ତ ଅଧିକ ଉପକୃତ ହେବା ସହିତ ଅଧିକ ଲୋକେ ସ୍ୱାସ୍ଥ୍ୟବୀମା ମଧ୍ୟ କରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ଚଳିତ ଜିଏସଟି ପରିଷଦ ବୈଠକରେ ଏକ ଐତିହାସିକ ସଂସ୍କାର ଆଣିଛନ୍ତି କେନ୍ଦ୍ର ସରକାର । ଏହି ଜିଏସଟି ସଂସ୍କାର ଚାଷୀଠାରୁ ଆରମ୍ଭ କରି ମଧ୍ୟବିତ୍ତ ଶ୍ରେଣୀ ବର୍ଗଙ୍କୁ ବଡ଼ ଆଶ୍ୱସ୍ତି ଆଣି ଦେଇଛି । ଦୈନନ୍ଦିନ ଅତ୍ୟାବଶ୍ୟକ ସାମଗ୍ରୀ, ସ୍ୱାସ୍ଥ୍ୟ ସେବା, କୃଷି ଉପକରଣ, ଯାନବାହାନ ଏବଂ ବୈଦ୍ୟୁତିକ ଉପକରଣ ଉପରେ ଜିଏସଟି ହ୍ରାସ କରାଯାଇଛି ।
ଅନ୍ୟପକ୍ଷରେ ଜିଏସଟି ପରିଷଦରେ ତମ୍ବାଖୁ ଉତ୍ପାଦ ଉପରେ ୪୦ ପ୍ରତିଶତ ଟ୍ୟାକ୍ସ ଲଗାଇବା ଉପରେ ସହମତି ପ୍ରକାଶ ପାଇଛି । ସୁପର ଲଗଜରୀ ଉପକରଣ, ପାନ ମସଲା, ସିଗାରେଟ୍, ଗୁଟଖା, ତମ୍ବାଖୁ, ଜର୍ଦ୍ଦା, ଏଡଡ ସୁଗାର, କାର୍ବୋନେଟିଡ ଡିଙ୍କ୍ସ, ଏୟାରକ୍ରାଫ୍ଟ ପର୍ସନାଲ ୟୁଜ, ଲଗଜରୀ କାର, ଫାଷ୍ଟ ଫୁଡ୍ ଉପରେ ୪୦ ପ୍ରତିଶତ ଜିଏସଟି ଲାଗୁ ହେବ ।