ନୂଆଦିଲ୍ଲୀ: ଜିଏସଟିକୁ ନେଇ କେନ୍ଦ୍ର ସରକାର ବଡ ଘୋଷଣା । ଏବେ ଜିଏସଟି କେବଳ ଦୁଇଟି ସ୍ଲାବ ୫ ପ୍ରତିଶତ ଏବଂ ୧୮ ପ୍ରତିଶତ ରହିବ । ଏହାର ଅର୍ଥ ୧୨ ପ୍ରତିଶତ ଏବଂ ୨୮ ପ୍ରତିଶତ ସ୍ଲାବରେ ଥିବା ସମସ୍ତ ବସ୍ତୁ କିମ୍ବା ସାମଗ୍ରୀ ଏହି ଦୁଇ ସ୍ଲାବ ପରିସରଭୁକ୍ତ ହେବ । ଏହା ସହିତ କିଛି ହାନୀକାରକ ବସ୍ତୁ ଉପରେ ମଧ୍ୟ ଚଢା ଦର ଲଗାଯିବ । ଜିଏସଟି ପରିଷଦରେ ତମ୍ବାଖୁ ଉତ୍ପାଦ ଉପରେ ୪୦ ପ୍ରତିଶତ ଟ୍ୟାକ୍ସ ଲଗାଇବା ଉପରେ ସହମତି ପ୍ରକାଶ ପାଇଛି । ଆସନ୍ତୁ ଜାଣିବା କେଉଁ କେଉଁ ଉତ୍ପାଦ ଉପରେ ୪୦ ପ୍ରତିଶତ ଟ୍ୟାକ୍ସ ଲାଗିବ ।
ଏହି ସବୁ ଜିନିଷ ଉପରେ ଲାଗିବ ୪୦ ପ୍ରତିଶତ ଟ୍ୟାକ୍ସ
ସୁପର ଲଗଜରୀ ଉପକରଣ, ପାନ ମସଲା, ସିଗାରେଟ୍, ଗୁଟଖା, ତମ୍ବାଖୁ, ଜର୍ଦ୍ଦା, ଏଡଡ ସୁଗାର, କାର୍ବୋନେଟିଡ ଡିଙ୍କ୍ସ, ଏୟାରକ୍ରାଫ୍ଟ ପର୍ସନାଲ ୟୁଜ, ଲଗଜରୀ କାର, ଫାଷ୍ଟ ଫୁଡ୍ ।
ଏହି ସବୁ ଜିନିଷ ଉପରେ ୪୦ ପ୍ରତିଶତ ଟ୍ୟାକ୍ସ ବ୍ୟତୀତ ଅନ୍ୟ କୌଣସି ଉପକରଣ ଉପରେ ସେସ୍ ଲଗାଯିବ ନାହିଁ । ଜିଏସଟି ପରିଷଦର କହିବା କଥା ଯଦି କୌଣସି ବସ୍ତୁ ଉପରେ ଜିଏସଟି ୪୦ ପ୍ରତିଶତ ପହଞ୍ଚିଯାଏ ତେବେ ଏହା ଉପରେ ଅଲଗା ଅନ୍ୟ କୌଣସି ସେସ୍ କିମ୍ବା ଉପକର ଲଗାଯିବ ନାହିଁ । ତେବେ ଏହା ସ୍ପଷ୍ଟ ହୋଇ ନାହିଁ ଯେ, ଉପରୋକ୍ତ ଜିନିଷ ଉପରେ ୪୦ ପ୍ରତିଶତ ଟ୍ୟାକ୍ସ କେବେ ଲାଗିବ ।
ସୂଚନାଯୋଗ୍ୟ, ଜିଏସଟି ପରିଷଦର ୫୬ତମ ବୈଠକ ବୁଧବାର ନୂଆଦିଲ୍ଲୀରେ ଆରମ୍ଭ ହୋଇଛି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି, ଏବେ କେବଳ ଦୁଇଟି ସ୍ଲାବ ରହିବ । ୫ ପ୍ରତିଶତ ଏବଂ ୧୮ ପ୍ରତିଶତ । ୧୨ ପ୍ରତିଶତ ଏବଂ ୨୮ ପ୍ରତିଶତକୁ ହଟାଇ ଦିଆଯିବ । ଏଥିରେ ଅଧିକାଂଶ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ୫ ପ୍ରତିଶତ ଏବଂ ୧୮ ପ୍ରତିଶତ ଜିଏସଟି ସ୍ଲାବରେ ସାମିଲ କରାଯିବ । ଅତ୍ୟାବଶ୍ୟକ ସାମଗ୍ରୀ ଶସ୍ତା ହେବା ସହ ସାଧାରଣ ଜନତାଙ୍କୁ ବଡ ଆଶ୍ୱସ୍ତି ମିଳିବ ।