ନୂଆଦିଲ୍ଲୀ: ଆପଣଙ୍କ ପର୍ସରେ ଥିବା କାଗଜ ନୋଟ୍ ଆଗାମୀ ଦିନରେ ଇତିହାସ ହୋଇପାରେ। କାରଣ ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଏବେ ପ୍ଲାଷ୍ଟିକ୍ ବା ପଲିମର ନୋଟ୍ ଆଣିବା ନେଇ ଗମ୍ଭୀର ଭାବେ ବିଚାର କରୁଛି। ଆରବିଆଇ ଗଭର୍ଣ୍ଣର ସଞ୍ଜୟ ମଲହୋତ୍ରା ମୁଦ୍ରାନୀତି ବୈଠକ ପରେ ଏହି ସଙ୍କେତ ଦେଇଛନ୍ତି। ଯଦିଓ ଏହା ଏବେ ପ୍ରାଥମିକ ପର୍ଯ୍ୟାୟରେ ରହିଛି, ତଥାପି ଏହି ଘୋଷଣା ଦେଶର ମୁଦ୍ରା ବ୍ୟବସ୍ଥାରେ ଏକ ବଡ଼ ପରିବର୍ତ୍ତନର ଇଙ୍ଗିତ ଦେଉଛି।
ବର୍ତ୍ତମାନ ଭାରତରେ ବ୍ୟବହୃତ ନୋଟ୍ଗୁଡ଼ିକ କପା ଆଧାରିତ ବିଶେଷ କାଗଜରେ ପ୍ରସ୍ତୁତ ହେଉଛି। କିନ୍ତୁ ପଲିମର ନୋଟ୍ ଏକ ସ୍ୱତନ୍ତ୍ର ପ୍ଲାଷ୍ଟିକ୍ ସବଷ୍ଟ୍ରେଟ୍ରେ ତିଆରି ହୁଏ। ଏହି ନୋଟ୍ଗୁଡ଼ିକ ଅଧିକ ମଜବୁତ, ଜଳ ପ୍ରତିରୋଧକ ଓ ଦୀର୍ଘସ୍ଥାୟୀ ହୋଇଥାଏ। ଅଷ୍ଟ୍ରେଲିଆ, କାନାଡା, ବ୍ରିଟେନ୍, ସିଙ୍ଗାପୁର ଓ ନ୍ୟୁଜିଲ୍ୟାଣ୍ଡ ଭଳି ଅନେକ ଦେଶ ପୂର୍ବରୁ ଏହି ପ୍ରକାରର ନୋଟ୍ ବ୍ୟବହାର କରୁଛନ୍ତି।
RBI ଏହି ନିଷ୍ପତ୍ତି ପଛରେ ଦୁଇଟି ବଡ଼ କାରଣ ରହିଛି। ପ୍ରଥମତଃ, ଭାରତରେ ନୋଟ୍ର ବ୍ୟବହାର ବହୁତ ଅଧିକ ଥିବାରୁ ସେଗୁଡ଼ିକ ଶୀଘ୍ର ଖରାପ ହୋଇଯାଏ। ପ୍ରତିବର୍ଷ ଲକ୍ଷ ଲକ୍ଷ କ୍ଷତିଗ୍ରସ୍ତ ନୋଟ୍ ଫେରାଇ ନଷ୍ଟ କରିବାକୁ ପଡ଼େ। ଦ୍ୱିତୀୟତଃ, ନୂଆ ନୋଟ୍ ଛାପିବା ଓ ପୁରୁଣା ନୋଟ୍ ବଦଳାଇବାରେ ବିପୁଳ ଖର୍ଚ୍ଚ ହୁଏ। ପଲିମର ନୋଟ୍ କାଗଜ ନୋଟ୍ ତୁଳନାରେ ଦୁଇରୁ ପାଞ୍ଚ ଗୁଣ ଅଧିକ ସମୟ ପର୍ଯ୍ୟନ୍ତ ଚାଲିପାରିବ ବୋଲି ବିଭିନ୍ନ ଅଧ୍ୟୟନରେ ଜଣାପଡ଼ିଛି।
କେବଳ ସ୍ଥାୟିତ୍ୱ ନୁହେଁ, ସୁରକ୍ଷା ଦୃଷ୍ଟିରୁ ମଧ୍ୟ ପଲିମର ନୋଟ୍ ଅଧିକ ଉନ୍ନତ। ଏଥିରେ ଟ୍ରାନ୍ସପାରେଣ୍ଟ ୱିଣ୍ଡୋ, ହୋଲୋଗ୍ରାମ୍, ରଙ୍ଗ ପରିବର୍ତ୍ତନକାରୀ ଚିହ୍ନ ଭଳି ଆଧୁନିକ ସୁରକ୍ଷା ବ୍ୟବସ୍ଥା ରହିପାରିବ। ଫଳରେ ନକଲି ନୋଟ୍ ତିଆରି କରିବା ଅଧିକ କଷ୍ଟସାଧ୍ୟ ହେବ। ନକଲି ୫୦୦ ଟଙ୍କିଆ ନୋଟ୍ ନେଇ ଚିନ୍ତା ବଢ଼ୁଥିବା ବେଳେ ଏହି ପଦକ୍ଷେପ ବଡ଼ ସମାଧାନ ହୋଇପାରେ।
ରୋଚକ କଥା ହେଲା, ପଲିମର ନୋଟ୍ର ଧାରଣା ନୂଆ ନୁହେଁ। ୨୦୦୭ ମସିହାରେ RBI ପ୍ରଥମେ ଏହାର ପ୍ରସ୍ତାବ ଦେଇଥିଲା। ଏପରିକି ଭୁବନେଶ୍ୱର ସମେତ ଜୟପୁର, ଶିମଲା, ମୈସୁର ଓ କୋଚିରେ ୧୦ ଟଙ୍କିଆ ପଲିମର ନୋଟ୍ ପରୀକ୍ଷାମୂଳକ ଭାବେ ଚଳାଇବା ପାଇଁ ଯୋଜନା ହୋଇଥିଲା। କିନ୍ତୁ ବିଭିନ୍ନ ପ୍ରଶାସନିକ ଓ ପ୍ରାୟୋଗିକ କାରଣରୁ ଏହା ଆଗକୁ ବଢ଼ିପାରି ନଥିଲା।
ଏବେ ପୁଣି ଏହି ଯୋଜନାକୁ ନେଇ ଆଲୋଚନା ଜୋର ଧରିଛି। ସୂଚନା ଅନୁସାରେ, ପ୍ରଥମେ ୧୦ ଓ ୨୦ ଟଙ୍କିଆ ନୋଟ୍କୁ ପଲିମର ରୂପରେ ଆଣିବାକୁ ବିଚାର କରାଯାଇପାରେ। କିଛି ଚୟନିତ ସହରରେ ପରୀକ୍ଷାମୂଳକ ପ୍ରଚଳନ ପରେ ସଫଳତା ମିଳିଲେ ଏହାକୁ ସାରା ଦେଶରେ ଲାଗୁ କରାଯିବ।
ତେବେ ଏବେ ପାଇଁ ଅପେକ୍ଷା। କାରଣ ଶେଷ ନିଷ୍ପତ୍ତି ହୋଇନଥିଲେ ମଧ୍ୟ, RBIର ଏହି ପଦକ୍ଷେପ ଭାରତୀୟ ମୁଦ୍ରା ବ୍ୟବସ୍ଥାକୁ ଏକ ନୂଆ ଯୁଗକୁ ନେଇଯାଇପାରେ। ଆଉ ଆଗାମୀ ଦିନରେ ଆପଣଙ୍କ ହାତରେ ଚମକୁଥିବା, ଜଳରେ ନଷ୍ଟ ନ ହେଉଥିବା ପ୍ଲାଷ୍ଟିକ୍ ନୋଟ୍ ଦେଖିବା ଆଶ୍ଚର୍ଯ୍ୟର କଥା ହେବ ନାହିଁ।