ନୂଆଦିଲ୍ଲୀ: ଭାରତରେ କର୍କଟ ଚିକିତ୍ସା ସବୁବେଳେ ରୋଗୀ ଏବଂ ତାଙ୍କ ପରିବାର ଉପରେ ଏକ ଆର୍ଥିକ ବୋଝ ହୋଇଆସିଛି । ଅତ୍ୟଧିକ କେମୋଥେରାପି ଔଷଧ, ପରୀକ୍ଷା ଏବଂ ଦୀର୍ଘକାଳୀନ ଚିକିତ୍ସା ଯୋଗୁଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହୁଏ। ଏହା ଉପରେ , GST ର ଅତିରିକ୍ତ ବୋଝ ଏହି ଖର୍ଚ୍ଚକୁ ଆହୁରି ବୃଦ୍ଧି କରୁଥିଲା । କିନ୍ତୁ ଏବେ ସରକାର ଏକ ବଡ଼ ପଦକ୍ଷେପ ନେଇ କର୍କଟ ଚିକିତ୍ସା ସହିତ ଜଡିତ ଔଷଧ ଏବଂ ସେବା ଉପରେ GST ହ୍ରାସ କରିଛନ୍ତି । ଏହା ରୋଗୀ ଏବଂ ସେମାନଙ୍କ ପରିବାରକୁ ଆର୍ଥିକ ଆଶ୍ୱସ୍ତି ପ୍ରଦାନ କରିବ ।
କେମୋଥେରାପି ଔଷଧ ଉପରେ ସଞ୍ଚୟ
କେମୋଥେରାପି ହେଉଛି କର୍କଟ ଚିକିତ୍ସାରେ ସବୁଠାରୁ ମହଙ୍ଗା ଏବଂ ଦୀର୍ଘସ୍ଥାୟୀ ପ୍ରକ୍ରିୟା । କେମୋଥେରାପି ଔଷଧର ମୂଲ୍ୟ ପ୍ରାୟ ୧ ଲକ୍ଷ ଟଙ୍କା । ପୂର୍ବରୁ, ଏହା ଉପରେ GST ଲାଗୁ ହେବା ପରେ, ମୋଟ ମୂଲ୍ୟ ୧,୧୨,୦୦୦ ଟଙ୍କା ଥିଲା। କିନ୍ତୁ ଏବେ GST ଶୂନ୍ୟକୁ ହ୍ରାସ ପାଇବା ପରେ, ରୋଗୀମାନେ ସିଧାସଳଖ ୧୨,୦୦୦ ଟଙ୍କା ସଞ୍ଚୟ କରିବେ।
କର୍କଟ ଔଷଧ ଉପରେ ରିହାତି
ଏଝଞ ହ୍ରାସ ଅନ୍ୟାନ୍ୟ କର୍କଟ ଔଷଧକୁ ମଧ୍ୟ ପ୍ରଭାବିତ କରିବ। ଏହି ଔଷଧଗୁଡ଼ିକର ମୂଲ୍ୟ କେତେକ ସମୟରେ ୫ ଲକ୍ଷ ଟଙ୍କା ପର୍ୟ୍ୟନ୍ତ ପହଞ୍ଚିଯାଏ। ପୂର୍ବରୁ, ଏହା ଉପରେ GST ଯୋଗୁଁ ଏହି ମୂଲ୍ୟ ୫,୬୦,୦୦୦ ଟଙ୍କାକୁ ବୃଦ୍ଧି ପାଉଥିଲା। କିନ୍ତୁ ଏବେ ଶୂନ୍ୟ GST ଯୋଗୁଁ ରୋଗୀମାନେ ସିଧାସଳଖ ୬୦,୦୦୦ ଟଙ୍କା ସଞ୍ଚୟ କରିବେ। ଏତେ ବଡ଼ ଖର୍ଚ୍ଚ ଉପରେ ଏହି ରିହାତି ପରିବାରର ପକେଟ ପାଇଁ ଏକ ବଡ଼ ଆଶ୍ୱସ୍ତି ହେବ।
ଚିକିତ୍ସା ଏବଂ ଅନ୍ୟାନ୍ୟ ସେବାରେ ସଞ୍ଚୟ
ସମ୍ପୂର୍ଣ୍ଣ କର୍କଟ ଚିକିତ୍ସାର ମୋଟ ଖର୍ଚ୍ଚ ଯେଉଁଥିରେ ଔଷଧ, କେମୋଥେରାପି ଏବଂ ଅନ୍ୟାନ୍ୟ ଚିକିତ୍ସା ସେବା ଅନ୍ତର୍ଭୁକ୍ତ, ପ୍ରାୟ ୩,୩୦,୦୦୦ ଟଙ୍କା ଏବଂ କେତେକ ସମୟରେ ତା'ଠାରୁ ଅଧିକ ହୋଇଥାଏ। ପୂର୍ବରୁ, ଏଥିରେ GST ଲାଗୁ ହେବା ପରେ , ଏହି ଖର୍ଚ୍ଚ ୩,୫୦,୦୦୦ ଟଙ୍କାରେ ପହଞ୍ଚିଥିଲା। କିନ୍ତୁ ଏବେ ରୋଗୀମାନେ ସିଧାସଳଖ ୧୬,୦୦୦ ଟଙ୍କା ପର୍ଯ୍ୟନ୍ତ ସଞ୍ଚୟ ପାଇବେ।
ରୋଗୀଙ୍କୁ ଆର୍ଥିକ ସହାୟତା
ଜିଏସଟି ହ୍ରାସର ଏହି ନିଷ୍ପତ୍ତି ରୋଗୀ ଏବଂ ସେମାନଙ୍କ ପରିବାର ପାଇଁ ଏକ ଆଶାର କିରଣ। ଭାରତ ଭଳି ଦେଶରେ ଯେଉଁଠାରେ କୋଟି କୋଟି ଲୋକ ମଧ୍ୟବିତ୍ତ ଏବଂ ଗରିବ ଶ୍ରେଣୀର, ସେମାନଙ୍କ ପାଇଁ ଚିକିତ୍ସାରେ ଏହି ସଞ୍ଚୟ ବହୁତ ଗୁରୁତ୍ୱପୂର୍ଣ୍ଣ। କର୍କଟ ରୋଗ ଭଳି ଗମ୍ଭୀର ରୋଗର ଚିକିତ୍ସା ଏବେ କିଛି ପରିମାଣରେ ଶସ୍ତା ହେବ।
କର୍କଟ ଚିକିତ୍ସା ନିଶ୍ଚିତ ଭାବରେ ମହଙ୍ଗା, କିନ୍ତୁ ସରକାରଙ୍କ ଏହି GST ହ୍ରାସ ରୋଗୀମାନଙ୍କୁ ବହୁତ ଆଶ୍ୱସ୍ତି ଦେଇଛି। କେମୋଥେରାପି ଠାରୁ ଔଷଧ ପର୍ଯ୍ୟନ୍ତ ମୋଟ ଚିକିତ୍ସା ଖର୍ଚ୍ଚରେ ହଜାର ହଜାର ଟଙ୍କା ସଞ୍ଚୟ ହେବ। ଏହି ପଦକ୍ଷେପ କେବଳ ଆର୍ଥିକ ବୋଝ ହ୍ରାସ କରିବ ନାହିଁ, ବରଂ ଅଧିକରୁ ଅଧିକ ରୋଗୀଙ୍କୁ ସମୟୋଚିତ ଚିକିତ୍ସା ପାଇବାକୁ ଉତ୍ସାହିତ କରିବ।