ବରଗଡ଼: ସମସ୍ତଙ୍କ ଆଖିରେ ଲୁହ ଆଉ ଅନ୍ତରରେ କୋହ। ଚାରି ଆଡେ ଗୁଞ୍ଜରିତ ହେଉଥିଲା ଗୋଟିଏ ନାରା ‘ସହିଦ ଖଗେନ୍ଦ୍ର ଅମର ରହେ’। ଗୋଟିଏ ପଟେ ଜିଲା ତଥା ଅଞ୍ଚଳର ଜନତାଙ୍କ ନାରା ଆଉ ଅନ୍ୟ ପଟେ ପରିବାରର କାନ୍ଦବୋବାଳିରେ ଫାଟିପଡୁଥିଲା ବରଗଡ଼ ଜିଲ୍ଲା ଅତାବିରା ଅଞ୍ଚଳ ଗୋଡଭାଗା ଗାଁ। କାରଣ ଗାଁର ଯବାନ ପୁଅ ଆଜି ଚିରନିଦ୍ରାରେ ଶୋଇଛି।
ଗୋଡ଼ଭଗାର ୩୬ ବର୍ଷୀୟ ବିଏସଏଫ ଯବାନ ଖଗେନ୍ଦ୍ର ମହାପାତ୍ର ମଣିପୁର ଏବଂ ମେଘାଳୟ ଅଞ୍ଚଳରେ ବିଏସଏଫ ଯବାନ ଭାବେ ଦୀର୍ଘ ବାର ବର୍ଷ ଧରି ମାତୃଭୂମିର ସେବାରେ ନିଜକୁ ସମର୍ପିତ କରିଥିଲେ । ହେଲେ ବୁଧବାର ହଠାତ୍ ବିଦ୍ୟୁତ ଆଘାତର ସମ୍ମୁଖୀନ ହୋଇଥିଲେ। ତୁରନ୍ତ ତାଙ୍କୁ ହସ୍ପିଟାଲ ନିଆଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହାପରେ ଭାରତୀୟ ଯବାନ ମାନେ ତାଙ୍କ ମରଶରୀରକୁ ଗାଁକୁ ନେଇଥିଲେ।
ଖଗେଶ୍ବରଙ୍କ ମର ଶରୀର ମଧ୍ୟ ରାତି ୩ଟାରେ ଆସି ପହଞ୍ଚିଥିଲା ରାୟପୁର ବିମାନ ବନ୍ଦରରେ। ସେଠାରେ ତାଙ୍କୁ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ରାୟପୁରର ବିଏସଏଫ୍ କାର୍ଯ୍ୟାଳୟର ସୀମା ସୁରକ୍ଷା ବଳଙ୍କ ଦ୍ଵାରା ଜନ୍ମ ମାଟିକୁ ଅଣାଯାଇଥିଲା । ପୌତୁକ ଗାଁରେ ତାଙ୍କ ମର ଶରୀର ପହଞ୍ଚିବା ପରେ ସେଠାରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିଲା।
ଓଡ଼ିଆ ବୀର ଯବାନଙ୍କ ମରଶରୀରକୁ ଶୋଭାଯାତ୍ରାରେ ନିଆଯାଉଥିବା ବେଳେ ହଜାର ହଜାର ଜନତା ଅତାବିରା ରାସ୍ତାର ଉଭୟ ପାର୍ଶ୍ବରେ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଜିଲ୍ଲା ତଥା ଅଞ୍ଚଳର ହଜାର ହଜାର ଲୋକ ତାଙ୍କର ଶେଷ ଦର୍ଶନ କରିଥିଲେ । ଏହାପରେ ମାର୍ଚ୍ଚ ପାଷ୍ଟ ସହ ଗ୍ରାମ ପରିକ୍ରମା କରାଯାଇ ଗାଁ ଶ୍ମଶାନକୁ ନିଆଯାଇଥିଲା । ସେଠାରେ ଶେଷ ସଲାମୀ ଦିଆଯିବା ପରେ ସାନ ଭାଇ ଅନିଲ ଦେଇଥିଲେ ମୁଖାଗ୍ନୀ।