ଦୁବାଇ: ଭାରତୀୟ ଦଳ ଟି-୨୦ ଏସିଆ କପ୍ ୨୦୨୫ରେ ୟୁଏଇ ଦଳକୁ ୯ ୱିକେଟରେ ପରାସ୍ତ କରି ଦମଦାର ବିଜୟରୁ ନିଜର ଅଭିଯାନ ଆରମ୍ଭ କରିଛି। କୁଲଦୀପ ଯାଦବ, ଶିବମ୍ ଦୁବେ, ଅଭିଷେକ ଶର୍ମା ଭାରତୀୟ ଦଳ ପାଇଁ ଚମତ୍କାର ପ୍ରଦର୍ଶନ ଦଳକୁ ବିଜୟୀ କରାଇଛନ୍ତି। ଏହି ଖେଳାଳିମାନଙ୍କ ଯୋଗୁଁ ହିଁ ଦଳ ବିଜୟ ହାସଲ କରିବାରେ ସଫଳ ହୋଇଛି। ପ୍ରଥମେ ବ୍ୟାଟିଂ କରି ୟୁଏଇ ଦଳ ମାତ୍ର ୫୭ ରନରେ ଅଲଆଉଟ୍ ହୋଇଯାଇଥିଲା। ଏହା ପରେ ଭାରତ ସହଜରେ ମାତ୍ର ୪.୩ ଓଭରରେ ଲକ୍ଷ୍ୟ ହାସଲ କରିଥିଲା।
ଭାରତୀୟ ଦଳ ପାଇଁ ଅଭିଷେକ ଶର୍ମା ଏବଂ ଶୁଭମନ ଗିଲ ଦୃଢ଼ ବ୍ୟାଟିଂ କରିଥିଲେ। ଉଭୟ ଖେଳାଳି ଆରମ୍ଭରୁ ଧୂଆଁଧାର ବ୍ୟାଟିଂ କରିଥିଲେ। ଅଭିଷେକ ୧୬ ବଲରେ ୩୦ ରନ୍ କରିଥିଲେ, ଯେଉଁଥିରେ ଦୁଇଟି ଚୌକା ଏବଂ ତିନୋଟି ଛକା ସାମିଲ। ତାଙ୍କ ବ୍ୟତୀତ ଗିଲ୍ ୯ ବଲ୍ ରେ ୨୦ ରନ୍ କରିଥିଲେ। ଏଥିରେ ଦୁଇଟି ଚୌକା ଏବଂ ଗୋଟିଏ ଛକା ସାମିଲ। ସୂର୍ଯ୍ୟ ୭ ରନ୍ କରି ଅପରାଜିତ ଥିଲେ। ଭାରତୀୟ ଦଳ ମାତ୍ର ୪.୩ ଓଭରରେ ଲକ୍ଷ୍ୟ ହାସଲ କରିଥିଲା । ବିଜୟରୁ ଦୁଇଟି ପଏଣ୍ଟ ପାଇଛି ଭାରତ।
UAE ବ୍ୟାଟରଙ୍କ ଫ୍ଲପ୍ ଶୋ
ୟୁଏଇ ପାଇଁ, ଆଲିଶାନ୍ ଶରାଫୁ ଏବଂ ମହମ୍ମଦ ୱାସିମ୍ କିଛି ସମୟ ପାଇଁ କ୍ରିଜ୍ ରେ ରହିବାକୁ ଚେଷ୍ଟା କରିଥିଲେ। ଏହି ଦୁଇ ଖେଳାଳି ପ୍ରଥମ ୱିକେଟ୍ ପାଇଁ ୨୬ ରନର ଭାଗୀଦାରିକରିଥିଲେ। କିନ୍ତୁ ଆଲିଶାନ୍ ଆଉଟ୍ ହେବା ମାତ୍ରେ UAE ର ଇନିଂସ ତାସଘର ପରି ଭୁଶୁଡ଼ି ପଡ଼ିଥିଲା। ଆଲିଶାନ ୨୨ ରନ୍ କରିବା ପରେ ଆଉଟ୍ ହୋଇଥିଲେ। UAE ଅଧିନାୟକ ମହମ୍ମଦ ୱାସିମ୍ ୧୯ ରନ୍ କରିଥିଲେ। ୱାସିମ୍ ଏବଂ ଆଲିଶାନ୍ ବ୍ୟତୀତ UAE ଦଳର କୌଣସି ଖେଳାଳି ଦୁଇ ଅଙ୍କରେ ପହଞ୍ଚି ପାରିନଥିଲେ। ଏହି କାରଣରୁ ଦଳ ସମ୍ପୂର୍ଣ୍ଣ ୨୦ ଓଭର ଖେଳି ପାରି ନ ଥିଲା ଏବଂ ମାତ୍ର ୫୭ ରନରେ ଅଲଆଉଟ ହୋଇଗଲା। ଏହା ଟି20 ଆନ୍ତର୍ଜାତୀୟ କ୍ରିକେଟରେ UAE ଦଳର ସର୍ବନିମ୍ନ ସ୍କୋର ମଧ୍ୟ।
କୁଲଦୀପ ଯାଦବଙ୍କ ଚମତ୍କାର
କୁଲଦୀପ ଯାଦବ UAEର ବ୍ୟାଟିଂ ମେରୁଦଣ୍ଡ ଭାଙ୍ଗିଥିଲେ। ସେ ନିଜର ୨.୧ ଓଭରରେ ମୋଟ ଚାରୋଟି ୱିକେଟ ନେଇ ମାତ୍ର ୭ ରନ ଦେଇଥିଲେ। UAE ବୋଲର ଭାରତ ବ୍ୟାଟର ସାମ୍ନାରେ ତିଷ୍ଠି ପାରିନଥିଲେ । ଦୀର୍ଘ ସମୟ ପରେ ବୋଲିଂ କରିଥିବା ଶିବମ ଦୁବେ ମଧ୍ୟ ତିନୋଟି ୱିକେଟ ନେଇଥିଲେ। ଏହି ଦୁଇ ବୋଲର UAE ବୋଲରଙ୍କୁ ସମ୍ପୂର୍ଣ୍ଣ ଭାବରେ ବାନ୍ଧି ଦେଇଥିଲେ। ଯଶପ୍ରୀତ ବୁମରା, ଅକ୍ଷର ପଟେଲ ଏବଂ ବରୁଣ ଚକ୍ରବର୍ତ୍ତୀ ପ୍ରତ୍ୟେକ ଗୋଟିଏ ୱିକେଟ ନେଇଥିଲେ।