ଡରବନ: ଭାରତ ପ୍ରଥମ ଟି-୨୦ ମ୍ୟାଚରେ ଘରୋଇ ଦକ୍ଷିଣ ଆଫ୍ରିକାକୁ ୬୧ ରନରେ ହରାଇଛି । ଓପନର ସଞ୍ଜୁ ସାମସନଙ୍କ ଦମଦାର ଶତକ ଓ ବୋଲରଙ୍କ ମାପଚୁତ ବୋଲିଂ ବଳରେ ଡରବାନରେ ଖେଳା ଯାଇଥିବା ଟି-୨୦ ମ୍ୟାଚକୁ ସହଜରେ ଜିତି ନେଇଛି ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ । ଭାରତର ଟି-୨୦ରେ ଲଗାତାର ୧୧ତମ ବିଜୟ ହାସଲ କରିଛି । ପ୍ରଥମେ ବ୍ୟାଟିଂ କରିଥିବା ଭାରତ ୮ ୱିକେଟ୍ ହରାଇ ୨୦୨ ରନ କରିଥିଲା । ଏଥିସହ ଭାରତ ଚାରି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜରେ ୧-୦ରେ ଅଗ୍ରଣୀ ହାସଲ କରିଛି । ସଞ୍ଜୁ ସାମସନ ୧୦୭ ରନର ଶତକୀୟ ଇନିଂସ ଖେଳିଥିଲେ । ଜବାବରେ ଘରୋଇ ଦକ୍ଷିଣ ଆଫ୍ରିକା ୧୭.୫ ଓଭରରେ ୧୪୧ ରନରେ ଅଲଆଉଟ୍ ହୋଇଛି । ହେନରିକ କ୍ଲାସେନ ସର୍ବାଧିକ ୨୫ ରନ ଓ ଗେରାଲ୍ଡ କୋଏତଜି ୨୩ ରନ କରିଛନ୍ତି । ବୋଲିଂରେ ଭାରତ ପକ୍ଷରୁ ବରୁଣ ଚକ୍ରବର୍ତ୍ତୀ ଓ ରବି ବଷ୍ଣୋଇ ପ୍ରତ୍ୟେକ ୩ଟି ଲେଖାଏଁ ୱିକେଟ୍ ନେଇଛନ୍ତି ।
ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତୀୟ ଦଳ ପକ୍ଷରୁ ଓପନର ଅଭିଷେକ ଶର୍ମା ବିଫଳ ରହିଥିଲେ । ଅନ୍ୟପଟେ ସଞ୍ଜୁ ସାମସନ ଦମଦାର ବ୍ୟାଟିଂ କରିଥିଲେ । ସଞ୍ଜୁ ଓ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଦ୍ୱିତୀୟ ୱିକେଟ୍ ପାଇଁ ୬୬ ରନ ଯୋଡିଥିଲେ । ଅର୍ଦ୍ଧଶତକ ହାସଲ କରି କ୍ରିଜରେ ଜମିଥିବା ସଞ୍ଜୁ ତୃତୀୟ ୱିକେଟରେ ତିଳକ ବର୍ମାଙ୍କ ସହିତ ୭୭ ରନ ଯୋଡିଥିଲେ । ତିଳକ ବର୍ମା ୩୩ ରନର ଦ୍ରୁତ ଇନିଂସ ଖେଳିଥିଲେ । ଅନ୍ୟପଟେ ସଞ୍ଜୁ ସାମସନ ଦମଦାର ବ୍ୟାଟିଂ କରି ଟି-୨୦ ଅନ୍ତର୍ଜାତୀୟରେ ଲଗାତାର ଦ୍ୱିତୀୟ ଶତକ ହାସଲ କରିଥିଲେ । ସାମସନ ୫୦ ବଲରୁ ୭ ଚୌକା ଓ ୧୦ ଛକା ସହ ୧୦୭ ରନ କରିଥିଲେ । ତାଙ୍କ ଆଉଟ୍ ହେବା ସହ ଭାରତ ନିମ୍ନକ୍ରମରେ ୱିକେଟ୍ ହରାଇଥିଲା । ଫଳରେ ଭାରତ ୮ ୱିକେଟ୍ ହରାଇ ୨୦୨ ରନ କରିଥିଲା ।
ନିଜର ଘରୋଇ ମଇଦାନରେ ୨୦୩ ରନ ବିଜୟ ଲକ୍ଷ୍ୟ ପିଛା କରିଥିବା ଦକ୍ଷିଣ ଆଫ୍ରିକାର ଆରମ୍ଭ ନୈରାଶ୍ୟଜନକ ରହିଥିଲା । ଅଧିନାୟକ ଆଡନ ମାରକ୍ରମ ୮ ରନ କରି ଆଉଟ୍ ହୋଇଥିଲେ । ଆୟୋଜକ ଦଳ ୪୪ ରନ ଭିତରେ ଶୀର୍ଷ ୩ ବ୍ୟାଟରଙ୍କ ୱିକେଟ୍ ହରାଇଥିଲା । ହେନରିକ କ୍ଲାସେନ ଓ ଡେଭିଡ୍ ମିଲର ୪୨ ରନ ଯୋଡିଥିଲେ । ନଚେତ୍ ଅନ୍ୟ ବ୍ୟାଟର ନିରାଶ କରିଥିଲେ । କ୍ଲାସେନ ୨୫ ରନ କରି ଆଉଟ୍ ହୋଇଥିଲେ । ନିମ୍ନକ୍ରମରେ ଗେରାଲ୍ଡ କୋଏତଜି ୧୧ ବଲରୁ ୨୩ ରନ କରିଥିଲେ । ଶେଷରେ ଆୟୋଜକ ଦକ୍ଷିଣ ଆଫ୍ରିକା ୧୭.୫ ଓଭରରେ ୧୪୧ ରନରେ ଅଲଆଉଟ୍ ହୋଇଥିଲା । ଭାରତ ପକ୍ଷରୁ ବରୁଣ ଚକ୍ରବର୍ତ୍ତୀ ଓ ରବି ବଷ୍ଣୋଇ ପ୍ରତ୍ୟେକ ୩ଟି ଲେଖାଏଁ ୱିକେଟ୍ ନେଇଛନ୍ତି ।