ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ନିର୍ବାଚନ ଜିତିଥିବା ଡୋନାଲ୍ଡ ଟ୍ରମ୍ପକୁ ବଡ ଆଶ୍ୱସ୍ତି ମିଳିଛି । ପୁଣି ଥରେ ହ୍ୱାଇଟ୍ ହାଉସକୁ ପ୍ରବେଶ କରିବାକୁ ଯାଉଥିବା ଟ୍ରମ୍ପଙ୍କୁ ମଙ୍ଗଳବାର ନ୍ୟୁୟର୍କର ଏକ ଅଦାଲତ ପୂର୍ବରୁ ଚାଲି ଆସିଥିବା ଅପରାଧିକ ମାମଲାର ଶୁଣାଣି ଉପରେ ରୋକ୍ ଲଗାଇଛନ୍ତି । ଏଥିରେ ପର୍ଣ୍ଣ ଷ୍ଟାର ଷ୍ଟର୍ମି ଡେନିୟଲ୍ସଙ୍କୁ ଟଙ୍କା ଦେଇ ଚୁପ୍ କରାଇବା ମାମଲା ମଧ୍ୟ ସାମିଲ ରହିଛି ।
ସାର୍ବଜନୀନ ହୋଇଥିବା ଏକ ଦସ୍ତାବିଜରୁ ଜଣାପଡ଼ିଛି ଯେ ନ୍ୟୁୟର୍କ ଷ୍ଟେଟ୍ର ବିଚାରପତି ଜୁଆନ ମର୍ଚେନ ଭାବି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ପୂର୍ବରୁ ଚାଲିଥିବା ଅପରାଧିକ ମାମଲା ଉପରେ ଆଗାମୀ କାର୍ଯ୍ୟାନୁଷ୍ଠାନ ନେବା ଉପରେ ରୋକ ଲଗାଇଛନ୍ତି । ସୁପ୍ରିମକୋର୍ଟ ଜୁଲାଇ ମାସରେ ଦେଇଥିବା ନିଷ୍ପତ୍ତି ଆଧାରରେ ଟ୍ରମ୍ପଙ୍କ ଦଣ୍ଡ ରଦ୍ଦ ହୋଇପାରିବ କି ନାହିଁ ଜଜ୍ ଜୁଆନଙ୍କୁ ମଙ୍ଗଳବାର ସୁଦ୍ଧା ନିଷ୍ପତ୍ତି ନେବାର ଥିଲା । ଟ୍ରମ୍ପଙ୍କ ବିରୋଧରେ ନଭେମ୍ବର ୨୬ରେ ଦଣ୍ଡବିଧାନର ଯୋଜନା ଥିଲା ।
ସୂଚନାଯୋଗ୍ୟ, ଡୋନାଲ୍ଡ ଟ୍ରମ୍ପ ଆମେରିକାର ରାଷ୍ଟ୍ରପତି ନିର୍ବାଚନ ଜିତି ସାରିଛନ୍ତି, କିନ୍ତୁ ତାଙ୍କ ବିରୋଧରେ ଥିବା ଅପରାଧିକ ମାମଲା ଉପରେ କଣ କାର୍ଯ୍ୟାନୁଷ୍ଠାନ ନିଆଯାଇଥାନ୍ତା ତାହା ସ୍ପଷ୍ଟ ହୋଇ ନ ଥିଲା । ଟ୍ରମ୍ପଙ୍କ ବିରୋଧରେ ପର୍ଣ୍ଣ ଷ୍ଟାର ଷ୍ଟର୍ମି ଡେନିୟଲ୍ସଙ୍କୁ ଟଙ୍କା ଦେଇ ଦସ୍ତାବିଜରେ ହେରଫେର କରିବା ଓ ନିର୍ବାଚନରେ ହସ୍ତକ୍ଷେପ ସମେତ ୩୪ ଅପରାଧିକ ମାମଲା ସାମିଲ ରହିଛି ।