ନୂଆଦିଲ୍ଲୀ: ଦିନକୁ ଦିନ ତୀବ୍ର ରୂପ ନେଉଛି ଭାରତ ଓ ପାକିସ୍ଥାନ ଯୁଦ୍ଧ । ଗତ ଏପ୍ରିଲ ୨୨ ତାରିଖରେ ଘଟିଥିବା ଜମ୍ମୁ କଶ୍ମୀରର ପହଲଗାମ ଆତଙ୍କବାଦୀ ଆକ୍ରମଣର ଜବାବ ଦେଇଛି ଭାରତ । ଅପରେସନ ସିନ୍ଦୂର ମାଧ୍ୟମରେ ଆତଙ୍କବାଦୀ ଆଡ୍ଡାଗୁଡ଼ିକୁ ଧ୍ୱଂସ କରିବା ପ୍ରତିପାଦିତ ହୋଇଛି ଭାରତୀୟ ସେନାର ବିରତ୍ୱ ଓ ସାହସ । ଏହାରି ଭିତରେ ପାକିସ୍ତାନ ସୀମାନ୍ତବର୍ତ୍ତୀ ଅଂଚଳରେ ଥିବା ଲୋକଙ୍କୁ ସୁରକ୍ଷିତ ଭାବେ ଆଣିବା ପାଇଁ ଭାରତୀୟ ରେଳବାଇ ପକ୍ଷରୁ ତିନିଟି ସ୍ବତନ୍ତ୍ର ଟ୍ରେନ୍ ଚଳାଚଳ କରାଯିବ। ଏହି ଟ୍ରେନଗୁଡ଼ିକ ଜମ୍ମୁ ଏବଂ ଉଦ୍ଧମପୁରରୁ ଦିଲ୍ଲୀ ପର୍ଯ୍ୟନ୍ତ ଚଳାଚଳ କରିବ ବୋଲି ଜଣାଯାଇଛି।
ସୂଚନା ଅନୁସାରେ ଟ୍ରେନ୍ ନଂ ୦୪୬୧୨ ଟି ପୂର୍ବାହ୍ନ ୧୦ଟା ୪୫ ମିନିଟ୍ ସମୟରେ ଜମ୍ମୁରୁ ନୂଆଦିଲ୍ଲୀକୁ ଯାତ୍ରା ଆରମ୍ଭ କରିବ। ଯେଉଁଥିରେ ୧୨ଟି ଅଣସଂରକ୍ଷିତ ଏବଂ ୧୨ଟି ସଂରକ୍ଷିତ କୋଚ୍ ରହିବ।
ଅନ୍ୟ ଏକ ୨୦ଟି କୋଚ୍ ବିଶିଷ୍ଟ ବନ୍ଦେ ଭାରତ ଟ୍ରେନ୍ ଜମ୍ମୁ ଏବଂ ପଠାଣକୋଟ ଦେଇ ନୂଆଦିଲ୍ଲୀକୁ ଯାତ୍ରା ଆରମ୍ଭ କରିବ। ଏହା ୧୨ଟା୪୫ରେ ଯାତ୍ରା ଆରମ୍ଭ କରିବ ବୋଲି ଜଣାଯାଇଛି। ସେପଟେ ଆଜି ସନ୍ଧ୍ୟା ୭ଟା ସମୟରେ ଜମ୍ମୁ ପାଇଁ ଆଉ ଏକ ୨୨ଟି ସଂରକ୍ଷିତ ବଗିବିଶିଷ୍ଟ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ ଯୋଜନା କରାଯାଉଥିବା ସୂଚନା ରହିଛି ।
ଅଧିକ ପଢନ୍ତୁ: ଟ୍ରମ୍ପଙ୍କ ନିକଟରେ ଦାବି କରି ପୂର୍ବତନ ଆମେରିକୀୟ ଅଧିକାରୀ କହିଲେ- ଭାରତ ଆତଙ୍କବାଦର ଶିକାର ହେଉଛି