ନୂଆଦିଲ୍ଲୀ: ଆଇପିଏଲ୍ ୨୦୨୫ ନିଜର ଅନ୍ତିମ ପର୍ଯ୍ୟାୟରେ ଥିଲା। ଫାଇନାଲ୍ ସମେତ କେବଳ ୧୬ ମ୍ୟାଚ୍ ବାକି ଥିଲା। ଏଥିରେ ୧୨ ଲିଗ୍ ମ୍ୟାଚ୍ ସାମିଲ। ସ୍ଥିତିକୁ ଦୃଷ୍ଟିରେ ରଖି ଅନିର୍ଦ୍ଦିକାଳ ପର୍ଯ୍ୟନ୍ତ ଆଇପିଏଲ୍କୁ ସ୍ଥଗିତ ରଖାଯାଇଛି। ଆଇପିଏଲ୍ ବାତିଲ କରାଯାଇନି, ସ୍ଥଗିତ ରଖାଯାଇଛି। ଏବେ ଫାଇନାଲ୍ ସମେତ ଅବଶିଷ୍ଟ ମ୍ୟାଚ୍ ଖେଳାଯିବ। ବିସିସିଆଇ ଉପସଭାପତି ରାଜୀବ ଶୁକ୍ଳା ସ୍ପଷ୍ଟ କରିଛନ୍ତି ଯେ, ଟୁର୍ଣ୍ଣାମେଣ୍ଟ ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ନୁହେଁ ବରଂ ସପ୍ତାହେ ପାଇଁ ସ୍ଥଗିତ ରଖାଯାଇଛି। ପ୍ରଥମ ଥର ଆଇପିଏଲ୍ ସ୍ଥଗିତ ହୋଇ ନାହିଁ। ଏହା ପୂର୍ବରୁ ୨୦୨୧ କରୋନା ମହାମାରୀ ସମୟରେ ବି ଏମିତି ସ୍ଥିତି ଉପୁଜିଥିଲା।
ଶୁକ୍ରବାର ସକାଳେ ବିସିସିଆଇ ଘୋଷଣା କରିଥିଲା ଯେ ଆଇପିଏଲକୁ ବର୍ତ୍ତମାନ ପାଇଁ ସ୍ଥଗିତ ରଖାଯାଇଛି। ଏହାର କିଛି ସମୟ ପରେ, ଅପରାହ୍ନରେ ଜଣାପଡିଲା ଯେ ଆସନ୍ତା ସପ୍ତାହରେ ବିସିସିଆଇ ଦ୍ୱାରା ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହେବ। ସେହି ସମୟ ମଧ୍ୟରେ ପରିସ୍ଥିତିର ସମୀକ୍ଷା କରାଯିବ। ଏହା ପରେ ପରବର୍ତ୍ତୀ ରଣନୀତି ସ୍ଥିର କରାଯିବ। ଏହାର ଅର୍ଥ ହେଉଛି ଯଦି ଭାରତ ଏବଂ ପାକିସ୍ତାନ ମଧ୍ୟରେ ଚାଲିଥିବା ଉତ୍ତେଜନା ଗୋଟିଏ ସପ୍ତାହ ମଧ୍ୟରେ କମିଯାଏ ତେବେ IPL ୨୦୨୫ର ଅବଶିଷ୍ଟ ମ୍ୟାଚ୍ ଖେଳାଯିବ। ବିସିସିଆଇ ସଚିବ ରାଜୀବ ଶୁକ୍ଳା କହିଛନ୍ତି, ଆଇପିଏଲକୁ ଗୋଟିଏ ସପ୍ତାହ ପାଇଁ ବାତିଲ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ନୂତନ ତାରିଖ ସମ୍ପର୍କରେ ସମସ୍ତଙ୍କ ସହିତ ଆଲୋଚନା କରାଯାଇ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ। ଏମିତି ସ୍ଥିତିରେ ସାଙ୍ଗରେ ରହିଥିବାରୁ ରାଜୀବ ଶୁକ୍ଳା ଟାଟା ଏବଂ ଜିଓକୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି।
ସେପ୍ଟେମ୍ବରରେ IPL ହେବାର ସମ୍ଭାବନା
ସେପ୍ଟେମ୍ବରରେ ଏସିଆ କପ୍ ଅନୁଷ୍ଠିତ ହେବାକୁ ଥିବା ବେଳେ ଏହି ସମୟରେ IPL ଆୟୋଜନ କରାଯାଇପାରେ। ଏସିଆ କପ୍ ସେପ୍ଟେମ୍ବରରେ ଅନୁଷ୍ଠିତ ହେବାକୁ ଯାଉଛି। କିନ୍ତୁ, ଏପର୍ଯ୍ୟନ୍ତ ଏହାର କାର୍ଯ୍ୟସୂଚୀ ପ୍ରକାଶି ପାଇନି କି କୌଣସି କାର୍ଯ୍ୟକ୍ରମ ନିର୍ଦ୍ଧାରିତ ହୋଇନି। ଭାରତ ଏବଂ ପାକିସ୍ତାନର ଦଳ ଏଥିରେ ଅଂଶଗ୍ରହଣ କରିଥାନ୍ତି। କିନ୍ତୁ ବର୍ତ୍ତମାନର ପରିସ୍ଥିତିକୁ ଦୃଷ୍ଟିରେ ରଖି ଏସିଆ କପ୍ ଏବେ ଅନୁଷ୍ଠିତ ହେବାର ସମ୍ଭାବନା ବହୁତ କମ ରହିଛି। କାରଣ ଏହାର ଆୟୋଜନ ବିପଦରେ ପଡ଼ିଥିବା ମନେ ହେଉଛି। ଏହାର କାରଣ ଭାରତ ଆଗାମୀ ଦିନରେ ଏସିଆ କପ୍ କିମ୍ବା ଆଇସିସି ଇଭେଣ୍ଟରେ ପାକିସ୍ତାନ ସହ କ୍ରିକେଟ୍ ଖେଳି ନ ପାରେ।