ରାଜସ୍ଥାନ: ଭାରତ-ପାକିସ୍ତାନ ଉତ୍ତେଜନା ବୃଦ୍ଧିକୁ ଦୃଷ୍ଟିରେ ରଖି ଜୈସଲମେରରେ ପ୍ରଶାସନ ପକ୍ଷରୁ ବଡ଼ ନିଷ୍ପତ୍ତି। ଜୈସଲମେର ଜିଲ୍ଲାରେ ସମସ୍ତ ବାଣ ଦୋକାନ ବନ୍ଦ ରହିବ ସହ ବାଣ ଫୁଟାଇବା, ବିକ୍ରି କରିବା ଏବଂ କିଣିବା ଉପରେ ଜିଲ୍ଲା ପ୍ରଶାସନ କଟକଣା ଲାଗୁ କରିଛି । ଆଦେଶର ଉଲ୍ଲଂଘନ ହେଲେ, ଭାରତୀୟ ଫୌଜଦାରୀ କାର୍ଯ୍ୟବିଧି ସଂହିତା, ୨୦୨୩ର ଧାରା ୨୨୩ ଅନୁଯାୟୀ ନିୟମ ଅନୁଯାୟୀ ଦଣ୍ଡନୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହି ଆଦେଶ ତୁରନ୍ତ କାର୍ଯ୍ୟକାରୀ ହେବ ଏବଂ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ବଳବତ୍ତର ରହିବ।
ଅଧିକ ପଢନ୍ତୁ: ଭୟରେ କଥା ବଦଳାଉଛି ପାକିସ୍ତାନ ,ପ୍ରଥମେ ଋଣ ମାଗିଲା ପରେ ମନା କଲା
ସେହିପରି ଜିଲ୍ଲାର ସମସ୍ତ ବଜାର ସନ୍ଧ୍ୟା ୫ଟା ସୁଦ୍ଧା ବନ୍ଦ କରାଯିବ। ସନ୍ଧ୍ୟା ୬ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ବ୍ଲାକ୍ଆଉଟ୍ ପାଳନ କରାଯିବ, ଏହି ସମୟରେ ସମସ୍ତ ପ୍ରକାର ଆଲୋକ ବନ୍ଦ ରହିବ। ଏହା ସହିତ, ଦୁଇ ଚକିଆ, ତିନି ଚକିଆ ଏବଂ ଚାରି ଚକିଆ ଯାନବାହନର ଚଳାଚଳ ସମ୍ପୂର୍ଣ୍ଣ ନିଷିଦ୍ଧ ରହିବ। ପ୍ରତିରକ୍ଷା କ୍ଷେତ୍ରର ୫ କିଲୋମିଟର ବ୍ୟାସାର୍ଦ୍ଧ ଅଞ୍ଚଳରେ ପ୍ରବେଶ ମନା ଥିବାବେଳେ, ଅନଧିକୃତ ବ୍ୟକ୍ତି ଏହି ଅଞ୍ଚଳରେ ଧରାପଡ଼ିଲେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହେବେ। ଏହା ବ୍ୟତୀତ, ରାମଗଡ଼-ତାନୋଟ ରାସ୍ତାରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କୁ ଅପରାହ୍ନ ୩ଟା ସୁଦ୍ଧା ଯାତ୍ରା ସମାପ୍ତ କରିବାକୁ ପରାମର୍ଶ ଦିଆଯାଇଛି, କାରଣ ଏହା ପରେ ଏହି ରାସ୍ତାରେ ଚଳାଚଳ ବନ୍ଦ ରହିବ। ସୁରକ୍ଷା କାରଣକୁ ଧ୍ୟାନରେ ରଖି ଏହି ନିଷ୍ପତ୍ତି ନିଆଯାଇଛି, ଏବଂ ଏହାକୁ ଗମ୍ଭୀରତାର ସହ ପାଳନ କରିବାକୁ ଅପିଲ୍ କରାଯାଇଛି। ଏଥିସହ UAV, ଡ୍ରୋନ୍ କ୍ୟାମେରା,ହଟ୍ ଏୟାର ବେଲୁନ୍ ଇତ୍ୟାଦିର ଉଡ଼ାଣ ଉପରେ ପ୍ରତିବନ୍ଧକ ରହିବ। ଯଦି କେହି ଏହା ନମାନ୍ତି ତେବେ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ସୁରକ୍ଷାକୁ ଦୃଷ୍ଟିରେ ରଖି ବ୍ଲାକଆଉଟ୍ କାର୍ଯ୍ୟକାରୀ କରାଯାଇଛି ଏବଂ ଏଥିରେ ଅସାବଧାନ ରହିବାକ୍ଷତିକାରକ ହୋଇପାରେ। ଏଭଳି ସ୍ଥିତିରେ ପ୍ରଶାସନ ସମସ୍ତଙ୍କଠାରୁ ସହଯୋଗ ଆଶା କରିଛି।
ଅଧିକ ପଢନ୍ତୁ: ୱାଶିଂଟନରେ ଆଜି ପାକିସ୍ତାନ ଉପରେ ହେବ ବଡ ନିଷ୍ପତ୍ତି, ଲୋନ ଉପରେ IMFର ବସିବ ମିଟିଂ