ନୂଆଦିଲ୍ଲୀ: ଅପରେସନ ସିନ୍ଦୂରରେ ହତାଶ ପାକିସ୍ତାନ ଗୁରୁବାର ସନ୍ଧ୍ୟାରେ ଜମ୍ମୁଠୁ ନେଇ ପଠାନକୋଟ୍ ଦେଇ ଜୈସଲମେର ପର୍ଯ୍ୟନ୍ତ ତିନି ରାଜ୍ୟର ଅନେକ ସହର ଉପରେ ଡ୍ରୋନ ଓ ମିସାଇଲରେ ହମଲା କରିଛି । ଆଉ ଭାରତୀୟ ସେନା ଶତ୍ରୁ ଦେଶର ପ୍ରତିଟି ଦୁଃସାହସକୁ ମୁହଁତୋଡ ଜବାବ ଦେଇ ସବୁ ଉଦ୍ୟମ ପଣ୍ଡ କରିଛି । ଏବେ ଭାରତ ପାକିସ୍ତାନ ଉପରେ ବଡ ଧରଣର ହମଲା କରିଛି । ଭାରତୀୟ ନୌସେନା ପାକିସ୍ତାନର କରାଚି ପୋର୍ଟକୁ ଧ୍ୱଂସ କରିଛନ୍ତି । ନୌସେନା ସମୁଦ୍ରରୁ କରାଚି ବନ୍ଦର ଉପରେ ଘନ ଘନ ମିସାଇଲ ମାଡ କରିଛନ୍ତି । କେବଳ ଏତିକି ନୁହେଁ ଜଳ, ସ୍ଥଳ ଓ ଆକାଶଠୁ ନେଇ କୂଟନୈତିକ ସ୍ତରରେ ଭାରତ ପାକିସ୍ତାନକୁ ଘେରାବନ୍ଦୀ କରିଛି ।
ମିିଡିଆ ରିପୋର୍ଟ ଅନୁଯାୟୀ, ଭାରତ ଗୋଟିଏ ପଟେ ଏଲଓସିରେ ପାକିସ୍ତାନକୁ ଦୃଢ ଜବାବ ଦେଉଥିବା ବେଳେ ଅନ୍ୟପଟେ ଲାହୋରେ ପଶି ହମଲା କରିଛି । ତେବେ ଏହାର ସରକାରୀ ସୂଚନା ମିଳିନାହିଁ । କିନ୍ତୁ ଭାରତୀୟ ନୌସେନା ଆକ୍ରମଣର ମୋର୍ଚ୍ଚା ସମ୍ଭାଳିିଛି । ପାକିସ୍ତାନର କରାଚି ବନ୍ଦର ଓ ଏହାର ରଣନୈତିକ କେନ୍ଦ୍ର ଉପରେ ହମଲା କରିଛି । ଭାରତୀୟ ନୌସେନାର ଏହି କାର୍ଯ୍ୟାନୁଷ୍ଠାନରେ କରାଚିରେ ଚାଞ୍ଚଲ୍ୟ ଖେଳି ଯାଇଛି । ପାକିସ୍ତାନର ସମୁଦ୍ର ସୁରକ୍ଷାକୁ ବଡ ଝଟକା ଲାଗିଛି ।
୧୯୭୧ର ଭାରତ-ପାକିସ୍ତାନ ଯୁଦ୍ଧ ପରେ ପ୍ରଥମ ଥର ଭାରତୀୟ ନୌସେନା କରାଚି ବନ୍ଦରରେ ହମଲା କରିଛନ୍ତି । ନେଭିର ଏହି ହମଲା ଓ ଘେରାବନ୍ଦୀରେ ଭାରତ ପାକିସ୍ତାନକୁ ସ୍ପଷ୍ଟ ସନ୍ଦେଶ ଦେଇଛି ଯେ, ପ୍ରତିିଟି ମୋର୍ଚ୍ଚାରେ ଏବେ ମୁହଁତୋଡ ଜବାବ ଦିଆଯିବ । ଏହା ପୂର୍ବରୁ ଗୁରୁବାର ରାତିରେ ଜମ୍ମୁ, ପଠାନକୋଟ ଓ ଉଧମପୁର ସ୍ଥିତ ସୈନ୍ୟ ସାମରିକ ଘାଟି ସମେତ ବିଭିନ୍ନ ପ୍ରମୁଖ ଭାରତୀୟ ପ୍ରତିଷ୍ଠାନ ଉପରେ ପାକିସ୍ତାନ ଡ୍ରୋନ ଓ ମିସାଇଲରେ ହମଲା କରିଥିଲା । ଭାରତୀୟ ସୁରକ୍ଷାବଳ ପାକିସ୍ତାନର ସବୁ ଉଦ୍ୟମକୁ ବିଫଳ କରି ଦେଇଛି । ଏୟାର ଡିଫେନ୍ସ ସିଷ୍ଟମ ଏସ-୪୦୦ ପାକିସ୍ତାନର ମିସାଇଲକୁ ମାରି ତଳେ ଖସାଇବ ସହ ଗୋଟିଏ ଏଫ-୧୬ ଓ ଦୁଇଟି ଏଫ-୧୭ ଫାଇଟର ଜେଟକୁ ଧ୍ୱଂସ କରି ଦେଇଛି ।