ଧର୍ମଶାଳା: ଭାରତ ବନାମ ଦକ୍ଷିଣ ଆଫ୍ରିକା ଟି-୨୦ ସିରିଜ୍ ୧-୧ରେ ବରାବର ରହିଛି। କଟକରେ ଖେଳାଯାଇଥିବା ପ୍ରଥମ ମ୍ୟାଚ୍ରେ ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ଵାଧିନ ଭାରତୀୟ ଦଳ ୧୦୧ ରନରେ ବିଜୟୀ ହୋଇଥିଲେ। ଦ୍ୱିତୀୟ ମ୍ୟାଚ୍ରେ ଦଳ ନିରାଶଜନକ ପ୍ରଦର୍ଶନ କରି ୫୧ ରନରେ ହାରିଥିଲା। ଆଉ ଭ୍ରମଣକାରୀ ଦଳ ସିରିଜରେ ଦମଦାର ପ୍ରତ୍ୟାବର୍ତ୍ତନ କରିଛି। ଏବେ ତୃତୀୟ ଟି-୨୦ ରୋମାଞ୍ଚକର ହେବାକୁ ଯାଉଚି। ଏହି ମ୍ୟାଚ୍ ଧର୍ମଶାଳାର ହିମାଚଳ ପ୍ରଦେଶ କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମ୍ରେ ଖେଳାଯିବ।
ଗତ ଦୁଇଟି ଟି-୨୦ରେ ଭାରତର ସବୁଠାରୁ ବଡ଼ ଦୁର୍ବଳତା ହେଉଛି ଟପ୍ ଅର୍ଡର। ଶୁଭମନ ଗିଲ୍ ଉଭୟ ଥର ପ୍ରଥମ ଓଭରରେ ଆଉଟ୍ ହୋଇଥିଲେ ଏବଂ ଅଭିଷେକ ଶର୍ମା ମଧ୍ୟ ବଡ଼ ଇନିଂସ ସ୍କୋର କରିବାରେ ବିଫଳ ହୋଇଥିଲେ। ଅଧିନାୟକ ସୂର୍ଯ୍ୟକୁମାର ଯାଦବ ମଧ୍ୟ ସଂଘର୍ଷ କରୁଛନ୍ତି। ତାଙ୍କ ବ୍ୟାଟରୁ ରନ ହିଁ ସୁଖି ଯାଇଛି। ଅର୍ଶଦୀପ ସିଂହଙ୍କ ବୋଲିଂ ମଧ୍ୟ କିଛିଟା ଚିନ୍ତାର କାରଣ ପାଲଟିଛି। ସେ ଚଣ୍ଡିଗଡ଼ରେ ନଅଟି ୱାଇଡ୍ ବୋଲିଂ କରିଥିଲେ। ଆାଉ ଗୋଟିଏ ଓଭରରେ ସାତଟି ୱାଇଡ୍ ବୋଲିଂ ମଧ୍ୟ କରିଥିଲେ। ଦ୍ୱିତୀୟ ଟି-୨୦ରେ ଭାରତ ୨୨ଟି ଅତିରିକ୍ତ ରନ୍ ଦେଇଥିଲା। ଏଥିରେ ଭାରତକୁ ଉନ୍ନତି ଆଣିବାକୁ ପଡ଼ିବ।
ଧର୍ମଶାଳା ଷ୍ଟାଡିୟମ୍ ପିଚ୍ ରିପୋର୍ଟ
ଧର୍ମଶାଳାର ହିମାଚଳ ପ୍ରଦେଶ କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମ୍ର ପିଚରେ ବାଉନ୍ସ ଦେଖିବାକୁ ମିଳିବ। ଏଠାରେ ପ୍ରାରମ୍ଭରେ ପିଚ୍ ଦ୍ରୁତ ବୋଲରଙ୍କୁ ସୁହାଇବ।ତେଣୁ ବ୍ୟାଟର ଆରମ୍ଭରୁ ଟିକେ ସତର୍କର ସହ ଖେଳିବାକୁ ପଡ଼ିବ। କିନ୍ତୁ ଖେଳ ଆଗକୁ ବଢ଼ିବା ସହିତ ବ୍ୟାଟରଙ୍କୁ ପିଚ୍ ସୁହାଇବ। ସ୍ପିନରଙ୍କୁ ଏଠାରେ ଅଧିକ ସହାୟତା ପାଇବାର ସମ୍ଭାବନା ନାହିଁ। ତେଣୁ ଯଶପ୍ରୀତ ବୁମରାହ ଏବଂ ଅର୍ଶଦୀପ ସିଂହଙ୍କୁ ପୁଣି ଥରେ ଏକାଠି ଦେଖିବାକୁ ମିଳିପାରେ।
ଧର୍ମଶାଳା ଗ୍ରାଉଣ୍ଡରେ ଏପର୍ଯ୍ୟନ୍ତ ୧୦ଟି ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳାଯାଇଛି। ପ୍ରଥମେ ବ୍ୟାଟିଂ କରୁଥିବା ଏବଂ ଲକ୍ଷଘ ପିଛା କରୁଥିବା ଦଳ ପ୍ରତ୍ୟେକେ ଚାରିଟି ମ୍ୟାଚ୍ ଜିତିଛନ୍ତି. ଦୁଇଟି ମ୍ୟାଚ୍ ଡ୍ରରେ ଶେଷ ହୋଇଛି। ଧର୍ମଶାଳାରେ କାକର ପଡ଼ିବାର ଆଶା କରାଯାଉଛି, ତେଣୁ ଟସ୍ ଜିତିବା ଗୁରୁତ୍ୱପୂର୍ଣ୍ଣ।
ଧର୍ମଶାଳାରେ ପାଗ କିପରି ରହିବ?
ରବିବାର ଧର୍ମଶାଳାରେ ବର୍ଷାର ପୂର୍ବାନୁମାନ କରାଯାଇଛି। ପାଣିପାଗ ରିପୋର୍ଟ ଅନୁଯାୟୀ, ବର୍ଷାର ସମ୍ଭାବନା ୧୦ ପ୍ରତିଶତ ରହିଛି, କିନ୍ତୁ ସକାଳଠାରୁ ମେଘ ଲାଗି ରହିପାରେ। ଏଠାରେ ପାଗ ବହୁତ ଥଣ୍ଡା ରହିବ, ସର୍ବାଧିକ ତାପମାତ୍ରା ୧୨ ଡିଗ୍ରୀ ସେଲସିୟସ୍ ଏବଂ ସର୍ବନିମ୍ନ ତାପମାତ୍ରା ୭ ଡିଗ୍ରୀ ସେଲସିୟସ୍ ରହିବ।
Also read: କୋଲକାତାରେ ଫ୍ଲପ୍ ତ ହାଇଦ୍ରାବାଦରେ ସୁପରହିଟ୍ ହେଲେ ମେସି, ସିଏମଙ୍କ ସହ ଖେଳିଲେ; ରାହୁଲଙ୍କୁ ଦେଲେ ଜର୍ସି