ନୂଆଦିଲ୍ଲୀ: ମିଳିତ ଜାତିସଂଘରର ମୁଖ୍ୟାଳୟର ଶୌଚାଳୟରେ ଏବେ ପେପର ଟାୱେଲ ମିଳିବ ନାହିଁ । ବିଶ୍ୱର ସବୁଠୁ ବଡ ଶାନ୍ତି ରକ୍ଷା ସଂସ୍ଥା ବାର୍ଷିକ ପ୍ରାୟ ଏକ ଲକ୍ଷ ଡଲାର ବଞ୍ଚାଇବା ପାଇଁ ଏହି ଛୋଟ କିନ୍ତୁ ଚକିତ କଲା ପରି ପଦକ୍ଷେପ ଉଠାଇଛି । ଏବେ ୪୨ ମହଲା ବିଶିଷ୍ଟ ସଚିବାଳୟ ଭବନରେ ହାତ ସୁଖାଇବା ପାଇଁ ଏକ ମାତ୍ର ବିକଳ୍ପ ହାଇ ସ୍ପିଡ ଇଲେକ୍ଟ୍ରିକ ହ୍ୟାଣ୍ଡ ହାୟର ହିଁ ରହିବ ।
ମିଳିତ ଜାତିସଂଘର ମୁଖପାତ୍ର ଫରହାନ ହକ ବୁଧବାର ସାମ୍ବାଦିକଙ୍କୁ ଜଣାଇଛନ୍ତି ଯେ, ଆମେ ଆମର ମୂଳ କାର୍ଯ୍ୟ ଜାରି ରଖିବାକୁ ପଡିବ । ସଦସ୍ୟ ଦେଶଗୁଡିକରୁ ଅନେକ ବର୍ଷ ଧରି ଆବଶ୍ୟକୀୟ ଫଣ୍ଡିଂ ମିଳୁନି । ଏଥିପାଇଁ ଆମକୁ ସବୁ ପ୍ରକାରର ସଞ୍ଚୟ କରିବାକୁ ପଡୁଛି । ତେଣୁ ମୁଖ୍ୟାଳୟର ଶୌଚାଳୟରୁ ସଂପୂର୍ଣ୍ଣ ଭାବେ ପେପର ଟାୱେଲ ହଟାଇ ଦେବୁ । ଏଥିରେ ବାର୍ଷିକ ପ୍ରାୟ ଏକ ଲକ୍ଷ ଆମେରିକୀୟ ଡଲାର ସଞ୍ଚୟ ହେବ ।
ପରିଚାଳନ ଖର୍ଚ୍ଚ କମ କରିବା ଏବଂ ସୁବିଧାକୁ ପରିବେଶ ଅନୁକୂଳ କରିବା ଉଦ୍ଦେଶ୍ୟରେ ଏହି ନିଷ୍ପତ୍ତି ନିଆଯାଇଛି । ଇମେଲ୍ କରାଯାଇ କର୍ମଚାରୀଙ୍କୁ ପରାମର୍ଶ ଦିଆଯାଇଛି ଯେ, ପ୍ରତିଟି ଶୌଚାଳୟରେ ଥିବା ଗୋଟିଏ କିମ୍ବା ଦୁଇଟି ହାଇ ସ୍ପିଡ ଇଲେକ୍ଟ୍ରିକ ହ୍ୟାଣ୍ଡ ଡ୍ରାୟରର ବ୍ୟବହାର କରନ୍ତୁ ।
ମିଳିତ ଜାତିସଂଘରେ ବିତ୍ତୀୟ ସଙ୍କଟ ଏହା କୌଣସି ନୂଆ କଥା ନୁହେଁ । କୋଭିଡ ମହାମାରୀ ଓ ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଥମ କାର୍ଯ୍ୟାକାଳରେ ମଧ୍ୟ ମାନବୀୟ ଏବଂ ବିକାଶମୂଳକ କାର୍ଯ୍ୟ ପାଇଁ ଫଣ୍ଡିଂର ଘୋର ଅଭାବ ଥିଲା । ଗତ ବର୍ଷ ମେରେ ବଢୁଥିବା ବୈଶ୍ୱିକ ସଙ୍କଟ ସତ୍ତ୍ୱେ ମୁଖ୍ୟାଳୟକୁ ଶୀଘ୍ର ବନ୍ଦ କରି ଦିଆଯାଉଥିଲା । ଏସି କମ କରାଯାଇଥିଲା ଏବଂ ନୂଆ ନିଯୁକ୍ତି ଉପରେ ରୋକ୍ ଲଗାଯାଇଥିଲା । ଚଳିତ ବର୍ଷ ସ୍ଥିତି ଆହୁରି ଗମ୍ଭୀର ହୋଇଛି ।
Also read: ନେହେରୁଙ୍କ ସମୟରେ ପ୍ରଥମ ଭୋଟ ଚୋରି ହୋଇଥିଲା, ସେ ୨ଟି ଭୋଟ ପାଇ ପ୍ରଧାନମନ୍ତ୍ରୀ ହୋଇଥିଲେ: ଅମିତ୍ ଶାହ