ଭୁବନେଶ୍ୱର: ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲ୍ଲୀପ ରାୟ ରାଜ୍ୟସଭା ପାଇଁ ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଭରିପାରନ୍ତି । ଏ ନେଇ ସେ କୌଣସି ଆନୁଷ୍ଠାନିକ ସୂଚନା ଦେଇନଥିବାବେଳେ ବିଭିନ୍ନ ଗଣମାଧ୍ୟମକୁ ଫୋନ୍ ଯୋଗେ କହିଛନ୍ତି । ସେ ଆସନ୍ତା ଗୁରୁବାର ଦିନ ନାମାଙ୍କନ ଭରିବେ ବୋଲି ସ୍ପଷ୍ଟ କରିଛନ୍ତି ।
ଯଦି ଦିଲ୍ଲୀପ ରାୟ ଚତୁର୍ଥ ଆସନ ପାଇଁ ନାମାଙ୍କନ ଭରନ୍ତି ତେବେ ବିଜେଡ଼ି-କଂଗ୍ରେସ ସମର୍ଥିତ ପ୍ରାର୍ଥୀ ଡାକ୍ତର ଦତ୍ତେଶ୍ୱର ହୋତାଙ୍କ ସହିତ ତାଙ୍କର ସିଧାସଳଖ ମୁକାବିଲା ହେବ । ଦତ୍ତେଶ୍ୱର ହୋତା ଜିତିବା ସୁନିଶ୍ଚିତ । କିନ୍ତୁ ବିଜେପିର ଦୁଇ ପ୍ରାର୍ଥୀ ମନମୋହନ ସାମଲ ଏବଂ ସୁଜିତ କୁମାରଙ୍କ ସପକ୍ଷରେ ଭୋଟ୍ ପଡ଼ିବା ପରେ ମଧ୍ୟ ବଳକା ୨୦ । ଏହା ଉପରେ ବିଜେପିର ରଣନୈତିକ ଯୋଜନା କଣ ରହିବ ତାହା ଉପରେ ମଧ୍ୟ ସମସ୍ତଙ୍କର ନଜର ରହିଛି ।
ବିଜେପି ସଂସଦୀୟ ବ୍ୟାପାର କମିଟି ଆଗାମୀ ରାଜ୍ୟସଭା ନିର୍ବାଚନ ପାଇଁ ୬ଟି ରାଜ୍ୟରୁ ୯ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । ବିହାର, ଆସାମ, ଛତିଶଗଡ଼, ହରିୟାଣା, ଓଡ଼ିଶା ଏବଂ ପଶ୍ଚିମବଙ୍ଗ ପାଇଁ ବିଜେପି ପ୍ରାର୍ଥୀ ଦେଇଛନ୍ତି । ବିହାରରୁ ବିଜେପି ରାଷ୍ଟ୍ରୀୟ ସଭାପତି ନିତିନ ନବିନଙ୍କୁ ଟିକେଟ୍ ମିଳିଛି । ସେହିପରି ଶିବେଶ କୁମାର ମଧ୍ୟ ବିହାରରୁ ପ୍ରାର୍ଥୀ ହୋଇଛନ୍ତି । ସେହିପରି ଆସାମରୁ ତେରାସ ଗୋୱାଲ୍ଲା ଓ ଜୋଗେନ୍ ମୋହନ, ଛତିଶଗଡ଼ରୁ ଶ୍ରୀମତୀ ଲକ୍ଷ୍ମୀ ବର୍ମା, ହରିୟାଣାରୁ ସଞ୍ଜୟ ଭାଟିଆ, ଓଡ଼ିଶାରୁ ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ସାଂସଦ ସୁଜିତ କୁମାର ଏବଂ ପଶ୍ଚିମବଙ୍ଗରୁ ରାହୁଲ ସିହ୍ନାଙ୍କୁ ଟିକେଟ୍ ମିଳିଛି ।