ନୂଆଦିଲ୍ଲୀ: ଇରାନ ଓ ଆମେରିକା ମଧ୍ୟରେ ଯୁଦ୍ଧର ବଡ ପ୍ରଭାବ ଦୁନିଆର ତେଲ ଯୋଗାଣ ଉପରେ ପଡିପାରେ । ଖବର ଏହା ମଧ୍ୟ ରହିଛି ଯେ, ମାର୍ଚ୍ଚରେ ଷ୍ଟ୍ରେଟ ଅଫ ହୋର୍ମୁଜରେ ତେଲ ଟ୍ୟାଙ୍କର ଯାତାୟତ ୮୦ ପ୍ରତିଶତ ହ୍ରାସ ପାଇଛି । ଏହା ସହିତ ଜଳମାର୍ଗରେ ଶତାଧିକ ଟ୍ୟାଙ୍କର୍ସର ଲମ୍ବା ଜାମ ଲାଗି ରହିଛି । ଇରାନ ରିଭୋଲ୍ୟୁସନାରୀ ଗାର୍ଡ୍ସ ହୋର୍ମୁଜ ଷ୍ଟ୍ରେଟ ବନ୍ଦ କରିବାକୁ ଘୋଷଣା କରିବା ପରେ ଏମିତି ସ୍ଥିତି ଉପୁଜିଛି । ଏହା ସହିତ ଏହି ଜଳମାର୍ଗ ଦେଇ ଯାଉଥିବା ଟ୍ୟାଙ୍କର୍ସରେ ନିଆଁ ଲଗାଇବାକୁ ଧମକ ଦେଇଛି ।
ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ମାର୍ଚ୍ଚ ୧ରେ କେବଳ ତିନୋଟି ଟ୍ୟାଙ୍କର ହୋର୍ମୁଜ ଦେଇ ଗତି କରିଛନ୍ତି । ଏଥିରେ ୨୮ ଲକ୍ଷ ବ୍ୟାରେଲ୍ ଅଶୋଧିତ ତେଲ ଥିଲା । ପୁଣି ମାର୍ଚ୍ଚ ୨ରେ ମାତ୍ର ଏକ ଛୋଟ ଟ୍ୟାଙ୍କର ଏବଂ ଗୋଟିଏ ଛୋଟ କାର୍ଗୋ ଜାହାଜ ଗତି କରିଥିଲା । ଏହି ଜଳମାର୍ଗର ଉଭୟ ପାଶ୍ୱର୍ରେ ପ୍ରାୟ ୭୦୬ ଅନ୍ୟ ଦେଶର ଟ୍ୟାଙ୍କର ଫସି ରହିଛି । ଏଥିରେ ୩୩୪ ଟ୍ୟାଙ୍କରରେ ଅଶୋଧିତ ତୈଳ ରହିଛି ।
ଉର୍ଜା ବିଶେଷଜ୍ଞଙ୍କ ଅନୁଯାୟୀ, ପ୍ରତିଦିନ ପ୍ରାୟ ୧.୫ କୋଟି ବ୍ୟାରେଲ୍ ଅର୍ଥାତ ବୈଶ୍ୱିକ ଯୋଗାଣର ପ୍ରାୟ ୨୦ ପ୍ରତିଶତ ଅଶୋଧିତ ତୈଳ ହୋର୍ମୁଜ ଜଳଡମରୁମଧ୍ୟ ଦେଇ ଯାତ୍ରା କରିଥାଏ । କିନ୍ତୁ ମଧ୍ୟପ୍ରାଚ୍ୟରେ ଯୁଦ୍ଧ ସ୍ଥିତି କାରଣରୁ ଉକ୍ତ ମାର୍ଗରେ ଟ୍ୟାଙ୍କର ଓ କାର୍ଗୋ ଜାହାଜ ଯାତ୍ରାୟତ ଗୁରୁତର ଭାବେ ପ୍ରଭାବିତ ହୋଇଛି । ଏହାର ପ୍ରଭାବରେ ବୈଶ୍ୱିକ ତୈଳ ଯୋଗାଣରେ ବିଭ୍ରାଟ ସୃଷ୍ଟି ହୋଇଛି ।
ଏଥିରେ ପଶ୍ଚିମ ଏସିଆର ଦେଶଗୁଡିକରେ ତେଳ ଯୋଗାଣ ଧିମା ହୋଇପାରେ । ଏହାର ପ୍ରଭାବ ସିଧାସଳଖ ଲୋକଙ୍କ ଉପରେ ପଡିପାରେ । କାରଣ ଏମିତି ସ୍ଥିତି ଲାଗି ରହିଲେ ତେଲ ଦର ବଢିବାର ଆଶଙ୍କାକୁ ଏଡାଇ ଦିଆଯାଇ ନ ପାରେ । ପେଟ୍ରୋଲ ଓ ଡିଜେଲ୍ ଦାମ ୪ରୁ ୫ ଟଙ୍କା ବଢିପାରେ ।
Also read: ଇରାନ ଉପରେ ହମଲା, ଭାରତୀୟଙ୍କ ପକେଟ୍ ଖାଲି; ଫ୍ଲାଇଟ୍ ଟିକେଟ୍ ୯ ଲକ୍ଷ, ପ୍ରତିଦିନ ୭୦୦ ଉଡାଣ କ୍ୟାନସଲ