ନୂଆଦିଲ୍ଲୀ: ଆଜି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରାଳୟ ମୋଟ ୫୦୮୩ କୋଟି ଟଙ୍କାର ଦୁଇଟି ପ୍ରତିରକ୍ଷା ଚୁକ୍ତି କରିଛି । ଭାରତୀୟ ତଟରକ୍ଷା ବଳ ପାଇଁ ନୌସେନା ପାଇଁ ୬ଟି ଅତ୍ୟାଧୁନିକ ଆଡଭାନ୍ସଡ୍ ଲାଇଟ୍ ହେଲିକପ୍ଟର୍ Mk-III ଏବଂ ନୌସେନା ପାଇଁ ଭର୍ଟିକାଲ୍ ଲଞ୍ଚ-ଷ୍ଟିଲ୍ (VL-Shtil) କିଣାଯିବ ।
ହିନ୍ଦୁସ୍ତାନ ଏରୋନୋଟିକ୍ସ ଲିମିଟେଡ୍ ବା ହାଲ୍, ବେଙ୍ଗାଲୁରୁ ସହିତ ଆଡଭାନ୍ସଡ୍ ଲାଇଟ୍ ହେଲିକପ୍ଟର୍ Mk-III ପାଇଁ ୨୯୦୧ କୋଟି ଟଙ୍କାର ଚୁକ୍ତି ହୋଇଛି । ଏହି ହେଲିକପ୍ଟର୍ ସମ୍ପୂର୍ଣ୍ଣ ଭାରତୀୟ ଜ୍ଞାନ କୌଶଳରେ ପ୍ରସ୍ତୁତ କରାଯିବ । ଦୁଇଟି ଇଞ୍ଜିନ ଦ୍ୱାରା ହେଲିକପ୍ଟର୍ ପରିଚାଳିତ ହେବ । ଏହାକୁ ସାମୁଦ୍ରିକ ସୁରକ୍ଷା ନିୟୋଜିତ କରାଯିବ । କୃତ୍ରିମ ଦ୍ୱୀପ, ତୈଳ ଡିପୋର ସୁରକ୍ଷା, ମତ୍ସଜୀବୀଙ୍କ ସୁରକ୍ଷା ଏବଂ ସାମୁଦ୍ରିକ ପର୍ଯ୍ୟାବରଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ । ଏହି ପ୍ରକଳ୍ପ ଆତ୍ମନିର୍ଭର ଭାରତ ଏବଂ ମେକ୍ ଇନ୍ ଇଣ୍ଡିଆକୁ ମଜବୁତ କରିବାକୁ ବଡ଼ ପଦକ୍ଷେପ । ୨୦୦ରୁ ଅଧିକ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବା ଏମ୍ଏସ୍ଏମ୍ଇ ସାମିଲ ହେବେ । ତତସହିତ ୬୫ ଲକ୍ଷ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।
ଦ୍ୱିତୀୟ ଚୁକ୍ତି ରୁଷୀୟ କମ୍ପାନୀ ଜେଏସସି ରୋଜବୋରୋନେକ୍ସପର୍ଟ ସହିତ ହୋଇଛି । ଜେଏସସି ସହିତ ୨୧୮୨ କୋଟି ଟଙ୍କାର ଭିଏଲ୍-ଷ୍ଟିଲ୍ ପାଇଁ ଚୁକ୍ତି କରାଯାଇଛି । ଏହି ମିସାଇଲକୁ ଭାରତୀୟ ନୌସେନାର ପ୍ରମୁଖ ଯୁଦ୍ଧ ପୋତରେ ସାମିଲ କରାଯିବ । ଏହା ଶତ୍ରୁପକ୍ଷର ବିମାନ, କ୍ଷେପଣାସ୍ତ୍ର ଏବଂ ଡ୍ରୋନକୁ ମୁକାବିଲା କରିବ । ଏହି କ୍ଷେପଣାସ୍ତ୍ର ସମସ୍ତ ପ୍ରତିକୂଳ ପରିସ୍ଥିତିରେ କାମ କରିବାର କ୍ଷମତା ରଖିଛି । ଯୁଦ୍ଧ ସମୟରେ ସେନାର ଜାହାଜକୁ ସୁରକ୍ଷା ପ୍ରଦାନ କରିଥାଏ । ଏହି ଚୁକ୍ତିକୁ ନେଇ ଭାରତ ଏବଂ ରୁଷ ମଧ୍ୟରେ ଦୀର୍ଘ ଦିନ ଆଲୋଚନା ଜାରି ରହିଥିଲା ଯାହା ଆଜି ଫଳପ୍ରଦ ହୋଇଛି ।