ନୂଆଦିଲ୍ଲୀ: ଇରାନର ପୂର୍ବତନ ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନିଙ୍କ ପତ୍ନୀ ମନସୁରେହ ଖୋଜାସ୍ତେହ ବାଘେରଜାଦେହଙ୍କ ମୃତ୍ୟୁ ଘଟିଛି। ଇରାନର ସରକାରୀ ଗଣମାଧ୍ୟମ ଅନୁଯାୟୀ, ସେ ଦୁଇ ଦିନ ପୂର୍ବରୁ ଆମେରିକା ଏବଂ ଇସ୍ରାଏଲୀ ଆକ୍ରମଣରେ ଆହତ ହୋଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ଏହି ଆକ୍ରମଣରେ ଖାମେନି ଏବଂ ତାଙ୍କ ପରିବାରର ଅନେକ ସଦସ୍ୟ ମଧ୍ୟ ପ୍ରାଣ ହରାଇଥିଲେ। ମନସୁରେହ ୧୯୬୪ ମସିହାରେ ଖାମେନିଙ୍କୁ ବିବାହ କରିଥିଲେ। ସେ ସବୁବେଳେ ସାର୍ବଜନୀନ ଜୀବନରୁ ଦୂରରେ ରହୁଥିଲେ ଏବଂ କୌଣସି ସରକାରୀ କାର୍ଯ୍ୟକ୍ରମରେ କ୍ଵଚିତ୍ ଦେଖାଯାଉଥିଲେ।
ଆମେରିକା ଏବଂ ଇସ୍ରାଏଲ ଖାମେନିଙ୍କ ପରିବାରର ଅନ୍ୟ ସଦସ୍ୟଙ୍କ ମୃତ୍ୟୁକୁ ନେଇ ସ୍ପଷ୍ଟ କରି ନାହାନ୍ତି। ତଥାପି, ଇରାନର ସରକାରୀ ଗଣମାଧ୍ୟମ ଅନୁଯାୟୀ, ଆକ୍ରମଣରେ ତାଙ୍କ ପରିବାରର ଅନେକ ସଦସ୍ୟଙ୍କ ମୃତ୍ୟୁ ହୋଇଛି। ଖାମେନିଙ୍କ ମୃତ୍ୟୁ ପରେ ଇରାନ ୪୦ ଦିନିଆ ଜାତୀୟ ଶୋକ ଘୋଷଣା କରିଛି। ଖାମେନି ୧୯୮୯ ମସିହାରୁ ଇରାନର ସବୁଠାରୁ ପ୍ରମୁଖ ରାଜନୈତିକ ଏବଂ ଧାର୍ମିକ ନେତା ଥିଲେ।
ଖାମେନିଙ୍କ ଝିଅ ଏବଂ ଜ୍ବାଇଁ ମଧ୍ୟ ନିହତ
ଖାମେନିଙ୍କ କମ୍ପାଉଣ୍ଡରେ ୩୦ଟି କ୍ଷେପଣାସ୍ତ୍ର ଆକ୍ରମଣ କରାଯାଇଥିଲା, ଯେଉଁଥିରେ ତାଙ୍କ ବୋହୂ, ନାତୁଣୀ ସମେତ ୪୦ଜଣ କମାଣ୍ଡରଙ୍କ ମୃତ୍ୟୁ ହୋଇଥିଲା। ଖାମେନିଙ୍କ ପତ୍ନୀ ମନସୌରା ଖୋଜାସ୍ତେହ ହେଉଛନ୍ତି ମୋଶାଦର ଜଣେ ପ୍ରମୁଖ ବ୍ୟବସାୟୀ ମହମ୍ମଦ ଇସମାଇଲ ଖୋଜାସ୍ତେହ ବାଘେରଜାଦେହଙ୍କ ଝିଅ। ତାଙ୍କ ଭାଇ ହାସନ ଇରାନର ସରକାରୀ ଟିଭି ଏବଂ ରେଡିଓ ନେଟୱାର୍କ, ଇସଲାମିକ୍ ରିପବ୍ଲିକ୍ ଅଫ୍ ଇରାନ ବ୍ରଡକାଷ୍ଟିଂ (IRIB)ର ପୂର୍ବତନ ଉପ-ନିର୍ଦ୍ଦେଶକ ଥିଲେ।
ଖାମେନି ଏବଂ ତାଙ୍କ ପତ୍ନୀଙ୍କର ଛଅଟି ସନ୍ତାନ ଚାରି ପୁଅ ଏବଂ ଦୁଇଟି ଝିଅ। ପୁଅମାନେ ହେଉଛନ୍ତି ମୁସ୍ତାଫା, ମୋଜତାବା, ମାସୁଦ ଏବଂ ମୈସାମ। ଝିଅମାନେ ହେଉଛନ୍ତି ବୋଶ୍ରା ଏବଂ ହୋଦା। ବଡ଼ ପୁଅ, ମୋସ୍ତାଫା ଜଣେ ଧାର୍ମିକ ନେତା। ସେ ଇରାନୀ ଦାର୍ଶନିକ ଆଜିଜୁଲ୍ଲା ଖୋସୱାତଙ୍କ ଝିଅଙ୍କୁ ବିବାହ କରିଥିଲେ ଏବଂ ଇରାନ-ଇରାକ ଯୁଦ୍ଧରେ ମଧ୍ୟ ଅଂଶଗ୍ରହଣ କରିଥିଲେ। ମାସୁଦ ଇରାନୀ ନେତା ମୋହସେନ ଖରାଜିଙ୍କ ଝିଅଙ୍କୁ ବିବାହ କରିଥିଲେ। ମାସୁଦ କୌଣସି ସରକାରୀ କିମ୍ବା ବେସରକାରୀ ପଦବୀରେ ନାହାନ୍ତି। ଖାମେନିଙ୍କ ପରିବାରରେ ଅନେକ ନାତି ନାତୁଣୀ ଅଛନ୍ତି। ତଥାପି, କେବଳ ଜଣେ ନାତିର ନାମ ସାର୍ବଜନୀନ ଭାବରେ ପ୍ରକାଶ କରାଯାଇଛି ଯାହାଙ୍କ ନାଁ ମହମ୍ମଦ ବାଘେର ଖାମେନି।