ନୂଆଦିଲ୍ଲୀ: ଇରାନର ସୁପ୍ରିମ ଲିଡର ଅଲୀ ଖାମେନିଙ୍କ ମୃତ୍ୟୁ ପରେ ଇସ୍ରାଏଲ ରବିବାର ଇରାନର ରାଜଧାନୀ ତେହରାନରେ ପୁଣି ଥରେ ହମଲା ଜୋରଦାର କରିଛି । ରାଜଧାନୀରେ ଗୋଟିଏ ପରେ ଗୋଟିଏ ଅନେକ ବିସ୍ଫୋରଣ ଘଟିଛି । ଇସ୍ରାଏଲର କହିବା କଥା ତେହରାନର କେନ୍ଦ୍ର ସ୍ଥଳରେ ଟାର୍ଗେଟ୍ ଜାରି ରହିଛି ।
ଏହା ପୂର୍ବରୁ ଇରାନ ସୁପ୍ରିମ ଲିଡର ଅୟାତୁଲ୍ଲା ଅଲୀ ଖାମେନିଙ୍କ ହତ୍ୟାର ବଡ ପ୍ରତିଶୋଧ ନେବାକୁ ପଣ କରିଛି । ଇସ୍ରାଏଲ ଓ ମଧ୍ୟପ୍ରାଚ୍ୟର ଆରବ ଦେଶଗୁଡିକୁ ଟାର୍ଗେଟ୍ କରି ମିସାଇଲ୍ ମାଡ କରିଛି ଇରାନ। ତେହରାନରେ ଘଟିଥିବା ବିସ୍ଫୋରଣରେ ଆକାଶରେ ଧୂଆଁ ଉଠିବା ସହ ମାଟି ଦୋହଲି ଉଠିଛି । ଏହା ସ୍ପଷ୍ଟ ହୋଇ ନାହିଁ ଯେ, କଣ ଟାର୍ଗେଟ୍ କରାଯାଇଛି । ତେହରାନର ପୋଲିସ ମୁଖ୍ୟାଳୟ ଓ ଇରାନ ସରକାରୀ ଟେଲିଭିଜନର ଘର ଉପରେ ହମଲା କରିଛି ଇସ୍ରାଏଲ ।
ଏହା ପୂର୍ବରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚେତାବନୀ ଦେଇଛନ୍ତି ଯେ, ଯଦି ଇରାନ ପାଲଟା ହମଲା କରେ ତେବେ ପରିଣାମ ଭୟାବହ ହୋଇପାରେ । ଟ୍ରମ୍ପ ଏକ ପୋଷ୍ଟର ଜବାବରେ କହିଛନ୍ତି, ଭଲ ହେବ, ଇରାନ ଏମିତି କୌଣସି ପଦକ୍ଷେପ ନ ନେଉ ଯଦ୍ୱାରା ସ୍ଥିତି ଗମ୍ଭୀର ହେବ ।
ସୂଚନାଯୋଗ୍ୟ, ଇରାନ ଉପରେ ଇସ୍ରାଏଲ ଏବଂ ଆମେରିକାର ଆକ୍ରମଣ ପରେ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି। ପ୍ରତିଶୋଧ ସ୍ୱରୂପ, ଇରାନ ଇସ୍ରାଏଲ, ସାଉଦି ଆରବ, କତାର, ସଂଯୁକ୍ତ ଆରବ ଏମିରେଟ୍ସ, ଓମାନ ଏବଂ କୁୱେତ ସମେତ ଅନେକ ଦେଶ ଉପରେ କ୍ଷେପଣାସ୍ତ୍ର ମାଡ଼ କରି ଉତ୍ତେଜନାକୁ ଆହୁରି ବୃଦ୍ଧି କରିଛି।