ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟ ଇରାନ୍ ଏବଂ ଇସ୍ରାଏଲ୍ ମଧ୍ୟରେ ଚାଲିଥିବା ଯୁଦ୍ଧ ଧିରେ ଧିରେ ଅନ୍ୟ ଦେଶକୁ ବିସ୍ତାର ହେବାରେ ଲାଗିଛି । ଓମାନରେ ତୈଳ ଜାହାଜରେ ହୋଇଥିବା ଆକ୍ରମଣରେ ଜଣେ ଭାରତୀୟଙ୍କ ପ୍ରାଣହାନି ଘଟିଛି । ସୋମବାର ଓମାନର ମାର୍ଶଲ୍ ଦୀପରେ ଥିବା ଏକ ତେଲ ଜାହାଜ (ଏମକେଡି ଭିୱାଇଓଏମ୍)ରେ ହୋଇଥିବା ଆକ୍ରମଣରେ ଜଣେ ଭାରତୀୟ ପ୍ରାଣ ହରାଇଛନ୍ତି । ସେ ତେଲ ଜାହାଜରେ ନାବିକଭାବେ କାର୍ଯ୍ୟରତ ଥିଲେ ।
ଓମାନ ନ୍ୟୁଜ୍ ଏଜେନ୍ସି ମୁତାବକ, ମସ୍କଟ କୂଳରୁ ୯୫ କିଲୋମିଟର୍ ଦୂରରେ ଆକ୍ରମଣ ହୋଇଛି । ମିସାଇଲ୍ ପଡ଼ିବା ଦ୍ୱାରା ଜାହାଜରେ ବିସ୍ଫୋରଣ ହୋଇ ନିଆଁ ଲାଗିଯାଇଥିଲା । ଜାହାଜରେ ୨୧ ଜଣ କ୍ର୍ୟୁ ସଦସ୍ୟ ଥିବା ସେଥିରେ କେବଳ ୧୬ ଭାରତୀୟ ଥିଲେ । ତେବେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟମାନେ ସୁରକ୍ଷିତ ଅଛନ୍ତି । ଏହି ଯୁଦ୍ଧରେ ପ୍ରଥମ ଭାରତୀୟଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି ।
ଏହି ତୈଳ ଡିପୋ ବିଶ୍ୱ ସ୍ତରରେ ତେଲ ବ୍ୟାପାର ପାଇଁ ଖୁବ ପ୍ରସିଦ୍ଧ ଅଟେ । ଉକ୍ତ ତୈଳ ଜାହାଜ ଟ୍ୟାଙ୍କରେ ୫୯ ହଜାର ୪୬୩ ମେଟ୍ରିକ୍ ଟନ୍ କାର୍ଗୋ ଥିଲା । ବିଶେଷଜ୍ଞମାନେ ଏହି ଆକ୍ରମଣକୁ ଇରାନର ବୋଲି କହିଛନ୍ତି । ଇରାନ୍ ଦ୍ୱାରା ହୋଇଥିବା ମିସାଇଲ୍ ଏବଂ ଡ୍ରୋନ ଆକ୍ରମଣରେ ଏହି କ୍ଷତି ହୋଇଥିବା କୁହାଯାଉଛି ।